
ନୂଆଦିଲ୍ଲୀ: ଇସ୍ରୋରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଫସାଇ କେରଳ ପୁଲିସ୍ ଗିରଫ କରିଥିବା ବୈଜ୍ଞାନିକ ନାମ୍ବି ନାରାୟନନ୍ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନାରାୟନନ୍ଙ୍କ ଗିରଫଦାରୀକୁ ନିରାଧାର ଦର୍ଶାଇ ସର୍ବୋଚ୍ଚ ଅଦାଲତ କେରଳ ପୁଲିସ୍ର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।
କେରଳ ପୁଲିସ୍ର ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଡିକେ ଜୈନ୍ଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ବୈଜ୍ଞାନିକ ନାରାୟନନଙ୍କୁ ଗିରଫ କରିବା ଯିବାର କୌଣସି ଯଥାର୍ଥତା ନଥିଲା ବୋଲି ମଧ୍ୟ ରୁଲିଂ ଦେଇଛନ୍ତି।
ଜୁନ୍ ମାସରେ ସୁପ୍ରିମକୋର୍ଟ ନିଜ ରାୟ ସଂରକ୍ଷିତ ରଖିବା ସହ କ୍ଷତିପୂରଣ ରାଶି ବୃଦ୍ଧି କରିବା ଦିଗରେ ବିଚାର କରାଯିବ ବୋଲି କହିଥିଲେ। ଏଥିସହ କାହା ପ୍ରରୋଚନାରେ ବୈଜ୍ଞାନିକ ନାରାୟନନ୍ଙ୍କୁ ଫସାଯାଇ ଥିଲା ତା’ର ମଧ୍ୟ ବିଚାର କରାଯିବ ବୋଲି କୋର୍ଟ କହିଥିଲେ।
୧୯୯୪ରେ ଇସ୍ରୋରେ ବୈଜ୍ଞାନିକ ନାରାୟନନ୍ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା। କେରଳ ପୁଲିସ୍ ତାଙ୍କ ବିରୋଧରେ ମିଥ୍ୟା ପ୍ରମାଣ ଯୋଗାଡ଼ କରି ତାଙ୍କୁ ଗିରଫ କରିଥିଲା। ତେବେ ବୈଜ୍ଞାନିକ ନାରାୟନନ୍ଙ୍କ ସମେତ ୬ ଜଣ ଇସ୍ରୋ ଅଧିକାରୀଙ୍କ ବିରୋଧରେ ପୁଲିସ୍ ରୁଜୁ କରିଥିବା ମାମଲା ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା।
ଏହାପରେ ବୈଜ୍ଞାନିକ ନାରାୟନନ୍ ନ୍ୟାୟ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ନିଜର ଆବେଦନର ପୂର୍ବତନ କେରଳ ଏଡିଜିପି ଶିବେୟା ମାଥ୍ୟୁସ୍, କେକେ ଜ୍ୟୋସ୍ନା ଓ ଏସ୍ ବିଜୟନ୍ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ନିବେଦନ କରିଥିଲେ।
ପ୍ରାଥମିକ ଅବସ୍ଥାରେ ଇସ୍ରୋ ଗୁଇନ୍ଦାଗିରି ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ ନାରାୟନନ୍ଙ୍କୁ କ୍ଲିନ୍ଚିଟ୍ ଦେବା ପରେ ହାଇକୋର୍ଟର ଏକକ ବେଞ୍ଚ ସଂପୃକ୍ତ ପୁଲିସ୍ ଅଧିକାରୀଙ୍କ ବିରୋଧରେ ମାମଲା ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ହାଇକୋର୍ଟର ଡିଭିଜନ୍ ବେଞ୍ଚ୍ ପୁଲିସ୍ ଅଫିସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି କହିଥିଲେ। ଏହା ବିରୋଧରେ ୨୦୦୫ରେ ନାରାୟନନ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
from Odisha Reporter https://ift.tt/2MvXmhB
No comments:
Post a Comment