ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବର୍ଷା ଦିନେ ଗରମାଗରମ୍ ଚଟପଟି ଖାଇବାକୁ ଇଚ୍ଛା ହେଉଛି କି ? ତେବେ ଏଥିପାଇଁ ଫୁଟପାଥ୍ର ଷ୍ଟଲ୍ ଅବା କୌଣସି ରେସ୍ତୁରାଁକୁ ନଯାଇ, ଘରେ ଆଜି ହିଁ ବନାନ୍ତୁ, ଚଟ୍ପଟି ଆଳୁ ଟିକ୍କି ଚାଟ୍।
ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, ତେଲ, ଧଣିଆ ପତ୍ର, କଞ୍ଚା ଲଙ୍କା, କର୍ନଫ୍ଲୋର୍, ଲୁଣ, ତେଲ, ଦହି, ତେନ୍ତୁଳିର ମିଠା ଚଟଣୀ, ଧଣିଆ ଚଟଣୀ, ଭଜା ଜିରା ଗୁଣ୍ଡ, ବିଟ୍ ଲୁଣ, ଭଜା ଲଙ୍କାଗୁଣ୍ଡ ଓ ଛଣା ସେଉ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ। ପରେ ଏଥିରେ କଟା କଞ୍ଚା ଲଙ୍କା, ଲୁଣ, ଧଣିଆ ପତ୍ର ଓ କର୍ନପ୍ଲୋର୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ। ଏହା ଭିତରେ ହାତରେ ଅଳ୍ପ ତେଲ ନେଇ ସିଝା ଆଳୁ ଚକଟାରୁ କିଛି ଆଣି ନିଜ ମନପସନ୍ଦର ଆକୃତି ଦେଇ ଗୁଳା ବନାନ୍ତୁ। ଏବେ ଏହାକୁ ହାତରେ ଟିକେ ଚେପଟା କରିଦିଅନ୍ତୁ। ସମସ୍ତ ଆଳୁକୁ ଏହିପରି କରି ଗୋଟିଏ ଗୋଟିଏ ଟିକ୍କି ପ୍ରସ୍ତୁତ କରି ରଖନ୍ତୁ। ପ୍ୟାନ୍ରେ ତେଲ ଗରମ ହୋଇଯିବା ପରେ ଆଳୁ ଟିକ୍କିଗୁଡ଼ିକୁ ସେଥିରେ ପକାଇ କମ୍ ଆଞ୍ଚରେ ଭଲ ଭାବେ ସେକନ୍ତୁ। ଆଳୁ ଟିକ୍କିର ଗୋଟିଏ ପଟ ସୁନେଲି ରଙ୍ଗ ହୋଇଆସିଲେ, ଏହାକୁ ଓଲଟାଇ ଦିଅନ୍ତୁ ଓ ଉଭୟ ପଟ ଲାଲ୍ ହେବା ଯାଏ ସେକନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆଲୁ ଟିକ୍କି।
ଏବେ ଜାଣିବା, ଏହାର ଚାଟ୍ କେମିତି ବନାଇବେ:
ଗୋଟିଏ ପ୍ଲେଟ୍ରେ ଦୁଇଟି କିମ୍ବା ୩ଟି ଗରମ ଗରମ ଆଳୁ ଟିକ୍କି କାଢ଼ିଦିଅନ୍ତୁ। ଏହା ଉପରେ ଦହି, ତେନ୍ତୁଳିର ମିଠା ଚଟଣୀ, ଧଣିଆ ଚଟଣୀ, ଭଜା ଜିରା ଗୁଣ୍ଡ, ବିଟ୍ ଲୁଣ, ଭଜା ଲଙ୍କାଗୁଣ୍ଡ ଓ ଛଣା ସେଉ ପକାଇ ପରଷନ୍ତୁ ସୁଆଦିଆ ଆଳୁ ଟିକ୍କି ଚାଟ୍। ଏହିଭଳି ଭାବେ ଆପଣ ସବୁ ଟିକିକୁ ଚଟପଟି ଚାଟ୍ ବନାଇ ପରଷନ୍ତୁ। ନିଜେ ମଜା ନିଅନ୍ତୁ ଏବଂ ଅନ୍ୟଙ୍କୁ ବି ଖୁଆନ୍ତୁ।
from Odisha Reporter https://ift.tt/2M37rT2
No comments:
Post a Comment