ବିନା କଷ୍ଟରେ କୃଷ୍ଣ – ନାଟକ ବନାମ ସିନେମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ବିନା କଷ୍ଟରେ କୃଷ୍ଣ – ନାଟକ ବନାମ ସିନେମା

ଗୁରୁଜୀ ଶ୍ୱେତଚନ୍ଦନ

କେତେଜଣ ମତେ ଫିଲ୍ମମେକର୍ ବା ଚଳଚ୍ଚିତ୍ର ନିର୍ମାତା ବୋଲି କୁହନ୍ତି । କିନ୍ତୁ ମୁଁ ଆଜିଯାଏଁ କୌଣସି ଚଳଚ୍ଚିତ୍ର ତିଆରି କରି ନାହିଁ । କାରଣ ଅନେକ ଅଛି – ଆବଶ୍ୟକ ଧନର ଅଭାବ, ସମୟ ନଷ୍ଟ କରିବାର ପ୍ରବୃତ୍ତି, ଦୁର୍ବଳ ଇଛାଶକ୍ତି। ଏସବୁ ସହ ଦିନରେ ଜୀବନଜୀବିକା ପାଇଁ ସମୟ ଦେବା ପରେ ରାତିରେ ଚଳଚ୍ଚିତ୍ର କରିବା ପାଇଁ ଯେଉଁ ସାଧନା ଓ ଅଧ୍ୟବସାୟ ଦରକାର, ତାହା ନକରିପାରିବାର ଅକ୍ଷମତା। ଏସବୁ କାରଣକୁ ଗୋଟିଏ ଗୋଟିଏ ବାହାନା ବା ଦୃଢ଼ ମନୋବଳର ଅଭାବ ବୋଲି ମଧ୍ୟ କୁହାଯାଇପାରେ। ଛାଡ଼ନ୍ତୁ, ଏଇ ଲେଖା ମୁଁ ନିଜ ଉପରେ ଲେଖୁ ନାହିଁ। ଏଇ ଲେଖାଟି ଲେଖିବି ବୋଲି ମୁଁ ଭଞ୍ଜକଳା ମଣ୍ଡପରେ ଗୋଟିଏ ନାଟକ ଦେଖୁଥିଲା ବେଳେ ସ୍ଥିର କରିଥିଲି ।

ପ୍ରାୟ ପ୍ରତିଦିନ ରଵୀନ୍ଦ୍ର ମଣ୍ଡପ କିମ୍ବା ଭଞ୍ଜକଳା ମଣ୍ଡପରେ କିଛି ନାଟକ ପ୍ରଦର୍ଶିତ ହୋଇଥିବାର ସୂଚନା ଖବର କାଗଜରେ ଦେଖିବାକୁ ମିଳେ। ଅନ୍ୟମାନଙ୍କ ପରି ମୁଁ ଖବର ପଢ଼େ, ଫଟୋ ଦେଖେ। ବେଳେ ବେଳେ ଭାବେ, କିଏ ଏଇ ନାଟକକୁ ଦେଖୁଛନ୍ତି! କେମିତି ସେମାନେ ଜାଣୁଛନ୍ତି ଆଜି ଏଇ ନାଟକ କି ସେଇ ନାଟକ ପ୍ରଦର୍ଶନ ହେବ! କଳା ପ୍ରତି ରୁଚି ଥିଲେ ମଧ୍ୟ କଦବା କ୍ୱଚିତ୍ ନାଟକ ଦେଖିବାକୁ କେବେ ମୁଁ ଘରୁ ବାହାରକୁ ବାହାରେ। ଚଳଚ୍ଚିତ୍ରପ୍ରେମୀ ହୋଇଥିବାରୁ ବିନା ଲଙ୍ଗଶଟ୍, କ୍ଲୋଜଶଟ୍ ବା କଟରେ କାହାଣୀ ଦେଖିବାକୁ ମତେ ଅଜବ ଲାଗେ। ବେଳେ ବେଳେ ନାଟକର ଅତିରଞ୍ଜିତ ଭାବ୍ୟୋକ୍ତି, ଅପ୍ରାକୃତିକ କଥାବାର୍ତ୍ତା ଶୈଳୀ ମୋର ହଜମ ହୁଏ ନାହିଁ।

କିନ୍ତୁ କଳାର ଏଇ ମାଧ୍ୟମ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ଏବଂ ଏହା ମଧ୍ୟ ସ୍ୱୀକାର କରେ ଯେ ସବୁପ୍ରକାର କଳା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଦର୍ଶକ ଓ ପ୍ରଶଂସକ ରହିଛନ୍ତି। ଖବରକାଗଜରେ ସେଇ ଖବରମାନଙ୍କରେ ପଢେ ଯେ ନାଟକ ଦେଖିବାକୁ ଦର୍ଶକ ହେଉନାହାନ୍ତି। ଯିଏ ବି ହେଉଛନ୍ତି ସିଏ ବିନା ମୂଲ୍ୟରେ, ଟିକେଟ ନକିଣି ନାଟକ ଦେଖିବାକୁ ଚାହୁଁଛନ୍ତି। ବିଦେଶରେ ରହୁଥିବା ଜଣେ ଭାଇ କୁହେ ଯେ ବିଦେଶରେ କୁଆଡେ ଥିଏଟର୍ ଟିକେଟ୍‌ ମୂଲ୍ୟ ସିନେମା ଟିକେଟ୍‌ଠୁ ବି ଅଧିକ ଓ ପ୍ରାୟ ପ୍ରତି ନାଟକରେ ହଲ୍ ଦର୍ଶକରେ ଭରିଯାଏ। ତା’ହେଲେ ଆମର ଏଠି ନାଟକ ମଞ୍ଚର ଅବସ୍ଥା ଏପରି କାହିଁକି ? କିଏ କେତେ କଥା କୁହନ୍ତି। ଜଣେ ଭାଇ ତ ଏବେ କହୁଥିଲେ ଯେ ଏହା ମୋର କାଳେ ଭ୍ରାନ୍ତ ଧାରଣା! “ଥିଏଟର୍ ଏଠି ଠିକ୍ ଚାଲୁଛି। ଆଉ କେମିତି ଚାଲୁଥାନ୍ତା! କଳାକାରମାନେ ବେଶ ଭଲରେ ଅଛନ୍ତି। ସରକାର ନାଟକକୁ ବେଶ ଭଲ ସମର୍ଥନ କରୁଛନ୍ତି। କଳାକାରମାନେ ବିଭିନ୍ନ ସାମାଜିକ ସନ୍ଦେଶଯୁକ୍ତ ନାଟକ ପଥପ୍ରାନ୍ତରେ ପରିବେଷଣ କରି ବେଶ ଭଲ ପଇସା ରୋଜଗାର କରୁଛନ୍ତି।” ସତ ଜାଣିବାକୁ ମୁଁ ବି କେବେ କୌଣସି ଗବେଷଣା କରିନାହିଁ। ମୁଁ ଜାଣିଥିଲି ମଞ୍ଚ ଅଭିନେତାମାନେ ଖୁବ କଷ୍ଟରେ ଚଳନ୍ତି ବୋଲି। କିଏ ଶିକ୍ଷକତା ତ କିଏ ଜମିବାଡ଼ି ଚାଷବାସ, ବ୍ୟବସାୟ ବା ଟିଭିରେ ଛୋଟମୋଟ ଭୁମିକା କରି ସମୟ ପାଇଲା ମାତ୍ରେ ନାଟକରେ ମାତନ୍ତି – କେବଳ ନିଜନିଜ ଅଭିନୟର ନିଶା ପାଇଁ।

ଟିଭିପ୍ରୋଗ୍ରାମ୍, ବୃତ୍ତଚିତ୍ର ନିର୍ମାଣ କରୁଥିବା ଏକ ଘରୋଇ ପ୍ରଡକ୍ସନ ସଂସ୍ଥାରେ ମୁଁ ଚାକିରୀ କରିଥିବାରୁ ମଞ୍ଚ ଅଭିନେତା ଅଭିନେତ୍ରୀଙ୍କ ସହ ମୋର ଦେଖାହୁଏ କୌଣସି ବିଜ୍ଞାପନ ଶୁଟିଂ ସମୟରେ । ଚଳଚିତ୍ର ଅଭିନେତା ଅଭିନେତ୍ରୀଙ୍କ ଠୁ ସମ୍ପୂର୍ଣ୍ଣ ଭିନ୍ନ ଲାଗନ୍ତି ମଞ୍ଚ କଳାକାରମାନେ। କାହାକାହା ମନରେ ତାରକା ହେବାର ସ୍ୱପ୍ନଥିଲେ ମଧ୍ୟ ସେମାନଙ୍କର ବ୍ୟବହାର ଲାଗେ ଏକ ସାଧାରଣ ମଣିଷ ପରି। ବନ୍ଧୁ ପରି ମିଶନ୍ତି, ଯଥେଷ୍ଟ ସମ୍ମାନ ମଧ୍ୟ ଦିଅନ୍ତି। ଆଉ ତାଙ୍କର ଅଭିନୟ ଦକ୍ଷତା ତଥାକଥିତ ଚଳଚ୍ଚିତ୍ର ଓ ଟିଭି ଅଭିନେତାଙ୍କ ଠୁ କାହିଁ କେତେଦୂର ଆଗରେ- ଏହା ପ୍ରାୟ ପ୍ରତ୍ୟେକ ସମୟରେ ମୁଁ ଉପଲବ୍ଧି କରେ। ସେଥିପାଇଁ ବେଳେବେଳେ କେଉଁ କେଉଁ ପ୍ରୋଜେକ୍ଟରେ ଆମେ ସେମାନଙ୍କୁ ଲୋଡୁ।

ନିକଟରେ ଟିଭି ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାବେଳେ ଗାଁ ପରିବେଶରେ କେତେଗୁଡିଏ ଶୁଟିଂ କରିବା ଆବଶ୍ୟକ ପଡ଼ିଲା। ଆମେ ଏଥିପାଇଁ ସାହାଯ୍ୟ ନେଇଥିଲୁ ଦୁର୍ଯୋଧନ ବାବୁଙ୍କର। ଦୁର୍ଯୋଧନ ବାବୁ ଜଣେ ଯୁବ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ। ପିପିଲି ପାଖ ଏକ ଗାଁରେ ରୁହନ୍ତି। ମଞ୍ଚ ଅଭିନୟ ସହ ମୁଖ୍ୟତଃ ଶିକ୍ଷକତା କରି ଚଳନ୍ତି। ଛୋଟମୋଟ କାମରେ ତାଙ୍କ ସହ ପୂର୍ବରୁ ଆମର ଭେଟ ହୋଇଛି। ତା’ପରଠାରୁ ଯେକୌଣସି ସାହାଯ୍ୟ ମାଗିଲେ ସେ ଦେବାକୁ କେବେ ମନାକରନ୍ତି ନାହିଁ। ଏଥର ତାଙ୍କର ନିଜର ଏକ ନାଟକ ଥିଲେ ମଧ୍ୟ ସେ ଆମ କାମକୁ ଗୁରୁତ୍ୱ ଦେଇ ବର୍ଷାଖରା ଦାଉ ସତ୍ତ୍ୱେ ତାଙ୍କର ଶ୍ରମ ଓ ସମୟ ଦେଇଥିଲେ।

ଶୁଟିଂ ହୋଇଥିଲା ଦୁର୍ଯୋଧନ ବାବୁଙ୍କ ଗାଁ ଓ ପିପିଲିର ଆଖପାଖ ଗାଁମାନଙ୍କରେ। ଚାରିପାଞ୍ଚ ଦିନ କାଳ ଲୋକଙ୍କୁ ଜମା କରି ବିଭିନ୍ନ ଭାବଭଙ୍ଗୀ ସଜବାଜରେ ଶଟ୍ ନେବା ଭିତରେ ସମୟ ପାଇଲେ ସେ ତାଙ୍କର ଆଗାମୀ ଏକ ନାଟକର ପ୍ରସ୍ତୁତି ବିଷୟରେ ଆମକୁ କୁହନ୍ତି। “ଆପଣମାନେ ନିଶ୍ଚୟ ମୋର ଏ ନାଟକକୁ ଦେଖିବାକୁ ଆସିବେ। ମଞ୍ଚ ଉପରେ ସତ ଧାନ ଫଳିଥିବ,ସତସତିକା ବିଲରେ ।” ଦୁର୍ଯୋଧନ ବାବୁ ଆମକୁ ନେଇକି ଦେଖାନ୍ତି ତାଙ୍କ ଘର ଅଗଣାରେ ଥୁଆ ହୋଇଥିବା ମାଟିଭର୍ତ୍ତି କଟା ଟିଣ ସବୁକୁ। ମୁଁ ସେସବୁକୁ ଦେଖି ସେତେବେଳେ ଆଶ୍ଚର୍ଯ୍ୟ ହୋଇଥିଲି –“ଟିଣରେ ମାଟି ଥୋଇଦେଲେ କଣ ସତରେ ଧାନ ଉଠିବ! ତାଙ୍କ ନାଟକ ତ ଆହୁରି ତିନି ଚାରି ମାସ ଅଛି. . .।” ଦୁର୍ଯୋଧନ ବାବୁ କୁହନ୍ତି- “ହେବ ନା.. ଏଥିରେ ଧାନ ରୁଆ ହେବ। ନାଟକ ହେଲାବେଳକୁ ଏଥିରେ କେଣ୍ଡା ଧରିଥିବ ଦେଖିବେ। କାହାଣୀ ମୁତାବକ ପରିବେଶ ହୋଇଯିବ ମଞ୍ଚ ଉପରେ। ଆଉ ପୁରା ସତ। ପ୍ଲାଷ୍ଟିକ୍‌ ନୁହେଁ।”

ଦୁର୍ଯୋଧନ ବାବୁ ପତଳା ଆଉ ଭାରି ମଜାଳିଆ ଲୋକ। କଥା କହୁକହୁ ଟିଣ ମାଟିରୁ କଣ ସବୁ ବାଛିବୁଛି ପକାନ୍ତି। “କିନ୍ତୁ କଣ ଦରକାର ଏତେ ପରିଶ୍ରମ! ଧାନ ବିଲ ଯଦି ଦରକାର ଅଛି, ତାକୁ ଆଉ କଣ କରି ବିକଳ୍ପ ବ୍ୟବସ୍ଥା ତ କରିହେବ! କାହାଣୀଟି ମୁଖ୍ୟ, ନିର୍ଦ୍ଦେଶନା ମୁଖ୍ୟ, ଅଭିନୟ ମୁଖ୍ୟ କଥା। ଏ ସାଜସଜା କଣ ନିହାତି ଆବଶ୍ୟକ!”– ମୁଁ ଭାବେ କିନ୍ତୁ ତାଙ୍କ ଆଗରେ ପ୍ରକାଶ କରେନାହିଁ । ଆମ ଶୁଟିଂ ଚାଲିଥିବା ବେଳେ ମଧ୍ୟାହ୍ନ ଭୋଜନ ବା ବିଶ୍ରାମ ବେଳେ ଦୁର୍ଯୋଧନ ବାବୁ ମଝିରେ ମଝିରେ ନିଜ ଘରକୁ ଯାଇ ଗୋଟିଏ ଗୋଟିଏ ଟିଣକୁ କାଟି ସେଥିରେ ମାଟି ଭର୍ତ୍ତି କରି ଜମା କରି ଥୁଅନ୍ତି ତାଙ୍କ ଅଗଣାରେ। ଆମ ଶୁଟିଂର ଶେଷଦିନ ସୁଦ୍ଧା ପ୍ରାୟ ପଚାଶ ଷାଠିଏ ମାଟିଭର୍ତ୍ତି ଟିଣ ତାଙ୍କ ଅଗଣାରେ ଥୁଆହୋଇସାରିଥିବାର ମୁଁ ଦେଖି ଆସିଥିଲି।

ପ୍ରାୟ କୋଡିଏ ପଚିଶ ଦିନ ତଳେ ଦୁର୍ଯୋଧନ ବାବୁଙ୍କର ଏକ ମେସେଜ୍ ଆସିଥିଲା- ‘ଗୁରୁଜୀ, ଏକୋଇଶ ତାରିଖ ସଂଧ୍ୟା ସାତଟାରେ ନାଟକ ଅଛି ଭଞ୍ଜକଳା ମଣ୍ଡପରେ। ନିଶ୍ଚୟ ଆସିବେ।’ ଆଗରୁ ଥରେ ଦୁଇଥର କହି ମଧ୍ୟ ନଯାଇଥିବାରୁ ଏଥର ଦୁର୍ଯୋଧନ ବାବୁଙ୍କର ନାଟକ ଦେଖିବାକୁ ନିଶ୍ଚୟ ଯିବି ବୋଲି ସ୍ଥିର କରିଥିଲି। ତେଣୁ ସମସ୍ତ କାର୍ଯ୍ୟବ୍ୟସ୍ତତା ଓ ଅଳସୁଆମୀ ଛାଡ଼ି ମୁଁ ସେଇ ସଂଧ୍ୟାରେ ବେଶ କିଛି ସମୟ ବିଳମ୍ବରେ ଯାଇ ପହଞ୍ଚିଥିଲି ଭଞ୍ଜକଳା ମଣ୍ଡପରେ। ଆଖିରେ ଯାହା ଦେଖିଥିଲି, ବିଶ୍ୱାସ କରିପାରିନଥିଲି। ମଞ୍ଚ ସାରା ଖେଳୁଥିଲେ ପାଚିଲା ଧାନକେଣ୍ଡା ସବୁ। ଖେଳୁନଥିଲେ ବରଂ ହସୁଥିଲେ। ପ୍ରାୟ ଦେଢ଼ ଦୁଇ ଫୁଟ ମାଟିରେ ଧାନ ଗଛ ଗୁଡ଼ିକ କୃତ୍ରିମ ନୁହେଁ, ବେଶ୍ ହୃଷ୍ଟପୁଷ୍ଟ ଦେଖାଯାଉଥିଲେ। ସତେ ଯେପରି ସେଇ ମଞ୍ଚ ଉପରେ ଚାଷ ହୋଇଛି। ମୋ ଆଖି ଆଗରେ ଥିଲା ବିସ୍ତୀର୍ଣ୍ଣ ଧାନ କିଆରୀ। ଗୋଟିଏ କୋଣରେ କାହାଣୀ ମୁତାବକ ବାଉଁଶରେ ତିଆରି ଏକ ଛୋଟ ଚାଳିଆ ଘର। ଆଲୋକସଜ୍ଜାରେ ମଞ୍ଚ ଦେଖାଯାଉଥାଏ ଭ୍ୟାନଗଗ୍‌ଙ୍କ କୌଣସି ଇମ୍ପ୍ରେସନିଷ୍ଟିକ ପେଣ୍ଟିଂ ପରି। ତେରେଛା ସୂର୍ଯ୍ୟାଲୋକ ଧାନକିଆରୀ ଉପରେ ଓ ପ୍ରଚ୍ଛଦରେ ନୀଳ ଆଲୁଅ ଆକାଶର ଭ୍ରମ ତିଆରି କରୁଥିଲା। ଆଉ ଏସବୁ ଭିତରେ ଚରିତ୍ରଙ୍କ ଚାଲିଚଳନ ହସକାନ୍ଦ, ବ୍ୟଙ୍ଗବିଦ୍ରୁପ। ଦର୍ଶକମାନେ ପ୍ରାୟ ମିନିଟ୍ ଦୁଇ ମିନିଟ୍‌ରେ ତାଳି ମାରୁଥାନ୍ତି। ସେମାନଙ୍କ ମୁଁହ ଦେଖିଲେ ଲାଗୁଥାଏ ଯେ ସେମାନେ ଭୁଲିଯାଇଛନ୍ତି ଯେ ସେମାନେ କୌଣସି ମାଟି ହିଡ଼ରେ ନୁହେଁ, ବରଂ ଥିଏଟର୍‌ର ଚେଆରରେ ବସିଛନ୍ତି ।

କେତେ ସୁନ୍ଦର ପରିକଳ୍ପନା ଇଏ! ଆଉ ତା’ପାଇଁ କେତେ ପରିଶ୍ରମ!- ମୋର ସେତିକିବେଳେ ହୃଦବୋଧ ହୋଇଥିଲା। କି କଷ୍ଟ କରୁଛନ୍ତି ଏଇ ମଞ୍ଚ କଳାକାରମାନେ ! ବିନା କ୍ୟାମେରା କଟରେ ଲମ୍ବା ଲମ୍ବା ଦୃଶ୍ୟ ମନେରଖିବା, ମଞ୍ଚ ଉପରେ ସତ କାଦୁଅ ବୋଳାବୋଳି ହେବା, ଓଦା ହେବା, ମଞ୍ଚ ଉପରେ ଏକ ସତ ଧାନକିଆରୀ ସୃଷ୍ଟି କରିବା! ଚାହିଁଥିଲେ କଣ ସେମାନେ ଠକି ପାରିନଥାନ୍ତେ! ସେଇଦିନ ଅନ୍ୟକଣ କେଉଁ ଘାସଘୁସା କାଟି କୁଣ୍ଡରେ ପୋତି ଦେଇପାରିନଥାନ୍ତେ! କିମ୍ବା କେଉଁ ମଲା ଧାନଗଛ ଶୁଖିଲା ନଡାରେ ବି କାମ ଚଳେଇ ଦେଇପାରିଥାନ୍ତେ। କିନ୍ତୁ ସେସବୁ କରିଥିଲେ ମଞ୍ଚଟି କଣ ଏପରି ଜୀବନ୍ତ ଦେଖାଯାଇଥାନ୍ତା! ଧାନକେଣ୍ଡାଗୁଡିକ ମୃତ ମଳିନ ଦେଖାଯାଇନଥାନ୍ତେ! ଜବରଦସ୍ତି ଥୁଆ ହେଲାପରି ଲାଗିନଥାନ୍ତେ- ବସ୍ତୁ ପରି। କିନ୍ତୁ ଏଇ ମଞ୍ଚ କଳାକାରମାନେ ଧାନକେଣ୍ଡାକୁ ବସ୍ତୁ ନୁହେଁ ବରଂ ମାନୁଥିଲେ ଆଉ ଏକ ଚରିତ୍ର ପରି। ହଁ, ଅନ୍ୟ ଚରିତ୍ରଙ୍କ ପରି ଧାନକେଣ୍ଡା ସବୁ ମଧ୍ୟ ଗୋଟିଏ ଗୋଟିଏ ଚରିତ୍ର ଥିଲେ ମଞ୍ଚ ଉପରେ। ହସୁଥିଲେ।

ମଞ୍ଚରେ ଦୃଶ୍ୟ ବଦଳିବା ବେଳେ ହେଉଥିବା ବିରତି ସମୟରେ ଦର୍ଶକଙ୍କ ମଝିରେ ବସି ମୁଁ ଭାବୁଥିଲି ଆମର ଏବେର ଓଡ଼ିଆ ଚଳଚ୍ଚିତ୍ର ବିଷୟରେ। ଗୋଟିଏ ପଟେ କାମ ପ୍ରତି ଓ କଳା ପ୍ରତି ଏପରି ଶ୍ରଦ୍ଧା ଓ ନିଷ୍ଠା। ଅନ୍ୟପଟେ ଆଉ ଏକ କଳା ପ୍ରତି ଖାମଖିଆଲି ବେପରୁଆ ମନୋଭାବ। ଏପଟେ ମଞ୍ଚ କଳାକାର ତାଙ୍କ ପାରିବାପଣେ ଚେଷ୍ଟା କରୁଛନ୍ତି ଦର୍ଶକଙ୍କୁ ଏକ ସ୍ୱତନ୍ତ୍ର ଅନୁଭବ ଦେବାପାଇଁ। ସେପଟେ ଦର୍ଶକଙ୍କୁ ମୁର୍ଖ ଭାବି ନକଲ ପୁରୁଣା ଚଳଚ୍ଚିତ୍ରକୁ ବିକୁଛନ୍ତି ନୂଆ କହି। ଆମ ଦର୍ଶକ ମଧ୍ୟ ଅସମ୍ମାନ କିଣୁଛନ୍ତି ପଇସା ଦେଇ। ଆଉ ଯେଉଁଠି ତାଙ୍କ ପାଇଁ ସମ୍ମାନ ରହିଛି ସେଠି ସିଟ୍ ଖାଲି ପଡୁଛି। ନାଟକରେ ସିନେମା ଓ ଟିଭି ପରି ଅର୍ଥ ନାହିଁ, କଳାକାରଙ୍କର ଲୋକପ୍ରିୟତା ନାହିଁ, ପରିଚିତି ନାହିଁ, କିନ୍ତୁ ସେଠି ଯେଉଁ ଅନୁରାଗ ଏକାଗ୍ରତା ଯେଉଁ ପାଗଳାମୀ କଳା ପାଇଁ ରହିଛି, ତାହା ଚଳଚ୍ଚିତ୍ର ନିର୍ମାତା କିମ୍ବା ଟିଭି ପ୍ରୋଗ୍ରାମ୍ ପ୍ରଯୋଜକଙ୍କ ମଧ୍ୟରେ ନାହିଁ ।

ଶୁଟିଂ ସମୟରେ କୌଣସି ଜଟିଳ ଦୃଶ୍ୟକୁ ସହଜରେ କରିବାକୁ ଆମେ ଯେତେବେଳେ ଦୃଶ୍ୟ ବଦଳେଇ ଦେଉଥିଲୁ, ଦୁର୍ଯୋଧନ ବାବୁ ପ୍ରଶ୍ନ କରୁଥିଲେ- “ଆପଣ ତ ସବୁ ଟିଭିଲୋକ… ସବୁ ଜାଣିଥିବେ କିନ୍ତୁ ଆପଣ କ’ଣ ଏତିକି ଟିକେ ପରିଶ୍ରମ ପାଇଁ ଦୃଶ୍ୟ ବଦଳେଇ ଦେଉଛନ୍ତି ! ମଞ୍ଚ ହେଇଥିଲେ ମୁଁ ତ ଆଦୌ ଏମିତି କରିନଥାନ୍ତି ।”

ନାଟକ ସରିବାର ପରଦିନ ମୁଁ ଦୁର୍ଯୋଧନ ବାବୁଙ୍କୁ ଫୋନକରି ଶୁଭେଚ୍ଛା ଜଣାଇଥିଲି ଆଉ ନାଟକଟି ଅତ୍ୟନ୍ତ ଉପଭୋଗ୍ୟ ଥିଲା ବୋଲି କହିଥିଲି। “ମୁଁ ଜାଣିଥିଲି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ଆଉ ଭାରି ଖୁସିଲାଗିଲା, ଆପଣ ଆସିଲେ। ସେଦିନ ସିଟ୍ ସବୁ ପ୍ରାୟ ଭର୍ତ୍ତି ଥିଲା ଦେଖିକି ଆହୁରି ଖୁସି ଲାଗିଥିଲା। ଯାହା ହଉ ପରିଶ୍ରମ ଫଳ ଦେଲା। ଯାହା କୁହନ୍ତୁ ଗୁରୁ ଭାଇ, କଷ୍ଟ କରି କୃଷ୍ଣ ମିଳିବାରେ ଯେଉଁ ମଜା, ସେଇ ମଜା କଷ୍ଟ ନକରି କୃଷ୍ଣ ମିଳିବାରେ ନାହିଁ।”



from Odisha Reporter http://bit.ly/2BK04gd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages