
ଗୁଣୁପୁର (ଇନ୍ଦ୍ରଜିତ୍ ପଣ୍ଡା): ବିଜେଡି ଛାଡ଼ିଲେ ଆଉ ଜଣେ ବିଧାୟକ। ଆଜି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି।
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ପରେ ତୃତୀୟ ଜନପ୍ରତିନିଧି ଭାବେ ସେ ବିଜେଡି ଛାଡ଼ିଛନ୍ତି। ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଓ ବାରମ୍ବାର ଅପମାନିତ କରାଯାଇଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି।
ତ୍ରିନାଥ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି,“ଗୁଣ୍ଡାଗର୍ଦ୍ଦି କରି ଲୋକଙ୍କୁ ଭୟଭୀତ କରିଆସୁଥିବା କିଛି ସ୍ୱାର୍ଥପର ଲୋକଙ୍କୁ ଜିଲ୍ଲାର ଛାମୁଆ ନେତାମାନେ ପ୍ରଶୟ ଦେଉଛନ୍ତି। ମୋ ବିରୋଧରେ ସେମାନଙ୍କୁ ଲଗାଇ ଦେଇଛନ୍ତି। ବହୁ ଚାପ ସତ୍ତ୍ୱେ ଜିଲ୍ଲାର କିଛି ନେତାଙ୍କ କଥାରେ ପଡ଼ି ଅନ୍ୟାୟ, ଅନୀତି କଲି ନାହିଁ କି ଏଥିପାଇଁ ସୁଯୋଗ ଦେଲି ନାହିଁ। ମୁଁ ଏହାର ବିରୋଧ କରିଥଲି। ସେଥିପାଇଁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଗଲା। ମୋତେ ବିଭିନ୍ନ ସମୟରେ ଅପମାନିତ କରାଗଲା। ମୁଁ ଜଣେ ଶିକ୍ଷିତ ଆଦିବାସୀ ହୋଇଥିଲେ ବି ମୋତେ ଚାକରଭଳି ବ୍ୟବହାର କରାଗଲା। ଗୁଣ୍ଡା ଓ ଅସାମାଜିକ ଲୋକଙ୍କ ସହାୟତାରେ ମୋ ବିରୋଧରେ ମିଥ୍ୟା ପ୍ରଚାର କରାଗଲା।”
ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସେ ଏଥିରେ ଆହୁରି ଲେଖିଛନ୍ତି,“ଆପଣଙ୍କୁ ଓ ପାଣ୍ଡିଆନ୍ ସାର୍ଙ୍କୁ ଏ ସମସ୍ତ ବିଷୟରେ ଅବଗତ କରିଛି। ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲି। ତଥାପି ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଏଥିରୁ ଜଣାପଡ଼ୁଛି ଆଦିବାସୀଙ୍କ ପ୍ରତି ଆପଣଙ୍କର ତିଳେ ମାତ୍ର ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ନାହିଁ। ବହୁ ଚେଷ୍ଟା କରି ମଧ୍ୟ ଆପଣଙ୍କୁ ସାକ୍ଷାତ କରିବାକୁ ସୁଯୋଗ ମିଳିଲା ନାହିଁ। ବିଧାୟକ ବା ଗୁଣୁପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରତି ଆପଣଙ୍କର ଦରଦ ବା ସମ୍ମାନ ନାହିଁ। ଆପଣ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ପ୍ରଶୟ ଦେଉଛନ୍ତି ଓ ସେମାନଙ୍କ କଥା ଶୁଣୁଛନ୍ତି। ବାରମ୍ବାର ଦଳରେ ଅବହେଳା କରିବା, ଅତ୍ୟାଚାର କରିବା, ମାନସିକ ନିର୍ଯାତନା ଦେବା, ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଜାଣିଶୁଣି ନ ଜଣାଇବା ଭଳି କାର୍ଯ୍ୟ କରିଚାଲିବାରୁ ମୁଁ ଜଣେ ଆଦିବାସୀ ଭାବେ ମୋର ସ୍ୱାଭିମାନ ଓ ଗୁଣୁପୁର ମାଟିର ସମ୍ମାନକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଲି। ତେଣୁ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟରୁ ଇସ୍ତଫା ପ୍ରଦାନ କଲି।”
ଅନ୍ୟପକ୍ଷରେ କୁହାଯାଉଛି, ତ୍ରିନାଥ ଟିକେଟ୍ ପାଇବେ ନାହିଁ ବୋଲି ନିଶ୍ଚିତ ହୋଇଯିବା ପରେ ଦଳ ଛାଡ଼ିଛନ୍ତି। ତେବେ ସେ କେଉଁ ଦଳକୁ ଯିବେ, ସେ ସଂପର୍କରେ କିଛି ଜଣାପଡ଼ି ନାହିଁ।
ସୂଚନାଯୋଗ୍ୟ, ବିଜେଡି ଛାଡ଼ି ସାଂସଦ ବଳଭଦ୍ର ମାଝି ବିଜେପିରେ ମିଶିଛନ୍ତି। ତେବେ ନୀଳଗିରି ବିଧାୟକ କେଉଁ ଦଳକୁ ଯିବେ କିଛି କହି ନାହାନ୍ତି।
from Odisha Reporter https://ift.tt/2W5Ym1i
No comments:
Post a Comment