ଛେପ ପକାଇ ଢୋକିଲେ ଦାମ, ପାରାଦୀପ ବିଜେଡିରେ ବିଦ୍ରୋହ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଛେପ ପକାଇ ଢୋକିଲେ ଦାମ, ପାରାଦୀପ ବିଜେଡିରେ ବିଦ୍ରୋହ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ ମନ୍ତ୍ରିମଣ୍ଡଳ ଓ ବିଜେଡିରୁ ଲଜ୍ଜାଜନକ ଢଙ୍ଗରେ ବିଦା ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ପୁଣିଥରେ ପରୋକ୍ଷରେ ବିଜେଡି ପାଇଁ କାମ କରିବେ। ନବୀନ ପଟ୍ଟନାୟକ ସରକାର ଓ ବିଜେଡିକୁ ତଳିତଳାନ୍ତ କରିବାକୁ ରାଜ୍ୟବ୍ୟାପୀ ବୁଲିବୁଲି ଆହ୍ୱାନ ଦେଉଥିବା ଡାକ୍ତର ରାଉତ ନିଜ ପୁଅ ସମ୍ବିତ ରାଉତରାୟଙ୍କ ଭବିଷ୍ୟତ ନିମନ୍ତେ ନିଜର ସ୍ୱାଭିମାନ ଓ ନୈତିକତା ସହ ସାଲିସ୍ କରିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି। ଆଉ ସେପଟେ ତୃତୀୟ ମହଲା ଓ ବିଜେଡି ନେତୃତ୍ୱଙ୍କ ଇସାରାରେ ପାରାଦୀପ ନିର୍ବାଚନମଣ୍ଡଳୀରେ ଦାମଙ୍କୁ ଦୃଢ଼ ବିରୋଧ କରୁଥିବା ତାଙ୍କର ପୂର୍ବତନ ସମର୍ଥକ(ବିଜେଡି କର୍ମୀ)ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଦାମଙ୍କ ପାଇଁ ବିଜେଡି ନେତୃତ୍ୱଙ୍କ ଏପରି ଦୋମୁହାଁ ନୀତି ପାରାଦୀପ ନିର୍ବାଚନମଣ୍ଡଳୀର କର୍ମୀଙ୍କୁ ଅସନ୍ତୁଷ୍ଟ କରିଛି, ଯାହା ଆଗାମୀ ନିର୍ବାଚନରେ ଉଭୟ ବିଜେଡି ଓ ଦାମଙ୍କ ପାଇଁ ବୁମେରାଂ ହେବ ବୋଲି ଆକଳନ କରାଯାଉଛି।

ସୂଚନା ଅନୁସାରେ, ବିଜେପିରେ ସାମିଲ ହେବା ପାଇଁ ଡାକ୍ତର ରାଉତ ଆଜି ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଓ ବ୍ରଜ କିଶୋର ତ୍ରିପାଠୀଙ୍କ ସହ ସେ ଦିଲ୍ଲୀ ଗସ୍ତରେ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସଙ୍ଗେ ଆଲୋଚନା କରିଥାନ୍ତେ ତଥା ବିଜେପି ବ୍ୟାନରରେ ପାରାଦୀପ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥାନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ଡାକ୍ତର ରାଉତ ଦିଲ୍ଲୀ ଗସ୍ତରୁ ଓହରି ଯାଇଥିଲେ। ଏପଟେ ଡାକ୍ତର ରାଉତଙ୍କ ପୁଅ ସମ୍ବିତଙ୍କ ସହ ବିଜେଡି ପାରାଦୀପକୁ ନେଇ ମୂଲଚାଲ୍ ଆରମ୍ଭ କରିଥିଲା, ଯାହା ସଫଳ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ସମ୍ବିତଙ୍କ ସହ ଆଲୋଚନା କରି ପାରାଦୀପରୁ ତାଙ୍କୁ ବିଜେଡି ଟିକେଟ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଟିକେଟର ପ୍ରତିଶ୍ରୁତି ପାଇବା ପରେ ସମ୍ବିତ ଡାକ୍ତର ରାଉତଙ୍କ ଉପରେ ଚାପ ପକାଇ ତାଙ୍କର ବିଜେପିରେ ମିଶ୍ରଣ କାର୍ଯ୍ୟକ୍ରମକୁ ବାତିଲ କରାଇଛନ୍ତି।

ଏପଟେ ବିଜେଡିର ଏଭଳି ଆଭିମୁଖ୍ୟକୁ ପାରାଦୀପ ନିର୍ବାଚନମଣ୍ଡଳୀରେ ତୀବ୍ର ବିରୋଧ ହେଉଛି। ଗତବର୍ଷ ସେପ୍ଟେମ୍ବର ମାସରେ ଡାକ୍ତର ରାଉତଙ୍କୁ ଅପମାନିତ କରି ବିଜେଡିରୁ ବହିଷ୍କାର କରାଯିବା ପରଠୁ ପାରାଦୀପ ବିଜେଡି ସଂଗଠନ ସୁସଂଗଠିତ ହୋଇ ବିଭିନ୍ନ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଡାକ୍ତର ରାଉତଙ୍କୁ ବିରୋଧ କରୁଥିଲା। ଏପରିକି ଡାକ୍ତର ରାଉତ ବିଜେଡିରେ ଥିବାବେଳେ ତାଙ୍କର ଦୃଢ଼ ସମର୍ଥକ ଥିବା ସୁମନ୍ତ ବିଶ୍ୱାଳ(ପାରାଦୀପ ନଗର ବିଜେଡି ସଭାପତି) ଓ ବସନ୍ତ ବିଶ୍ୱାଳ(ପାରାଦୀପ ମ୍ୟୁନିସପାଲଟି ଅଧ୍ୟକ୍ଷ) ତାଙ୍କଠୁ ଦୂରେଇ ଯାଇ ରାଜ୍ୟନେତୃତ୍ୱଙ୍କ ସହଯୋଗରେ ବିଜେଡି ସଂଗଠନକୁ ସୁଦୃଢ଼ କରିଥିଲେ। ଦାମ ମଧ୍ୟ ନିୟମିତ ଭାବେ ବ୍ୟକ୍ତିଗତସ୍ତରକୁ ଯାଇ ନବୀନ ପଟ୍ଟନାୟକଙ୍କ ପ୍ରତି ଅତ୍ୟନ୍ତ କଟୂ ମନ୍ତବ୍ୟ ଦେଉଥିଲେ। ତେଣୁ ଡାକ୍ତର ରାଉତଙ୍କ ବିଜେଡିରେ ଥିବା ସମର୍ଥକମାନେ ତାଙ୍କଠୁ ଦୂରେଇ ଯାଇ ଦଳ ସହ ରହିଥିଲେ।

ଦୀର୍ଘ ଦଶନ୍ଧି ଧରି ପାରାଦୀପରେ ବିଜୁ ପଟ୍ଟନାୟକ ଟ୍ରଷ୍ଟ ଅଧୀନରେ ଡାକ୍ତର ରାଉତ ଯେଉଁ ବିଜୁ ଜୟନ୍ତୀ ପାଳନ କରୁଥିଲେ ଏଥର ମଧ୍ୟ ତାଙ୍କୁ ସେଥିରୁ ବଞ୍ଚିତ ହେବାକୁ ପଡ଼ିଥିଲା। ଗତବର୍ଷ ସେପ୍ଟେମ୍ବର ମାସରୁ ପାରାଦୀପରେ ଡାକ୍ତର ରାଉତଙ୍କୁ ବ୍ୟକ୍ତିଗତସ୍ତରକୁ ଯାଇ ବିରୋଧ କରିଥିବା ବିଜେଡି ନେତାମାନେ ଏବେ ପୁଣିଥରେ କିଭଳି ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ନେତା ବୋଲି ସ୍ୱୀକାର କରିବେ, ତାହା ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।

ଦାମଙ୍କ ଭାଷାରେ ‘ନିଜର ସ୍ଥିତି ପାଇଁ ନୀତି ବଦଳାଉଥିବା ନବୀନ ପଟ୍ଟନାୟକ’ଙ୍କ ଏଭଳି ଆଭିମୁଖ୍ୟ ପାରାଦୀପ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ସ୍ୱାଭିମାନ ସହ ସଂଗଠନରେ ରହିଥିବା ପାରାଦୀପ ବିଜେଡିର ନେତାମାନେ ଏବେ ସଂଘବଦ୍ଧ ହୋଇ ଡା. ରାଉତଙ୍କୁ ବିରୋଧ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ତା’ଛଡ଼ା ଡା. ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ସାଂଗଠନିକ ଦକ୍ଷତାର ଅଭାବ ରହିଥିବା ନିଜେ ଡାକ୍ତର ରାଉତ ଓ ପାରାଦୀପ ନିର୍ବାଚନମଣ୍ଡଳୀର ଆଗଧାଡ଼ିର ବିଜେଡି କର୍ମୀମାନେ ଜାଣନ୍ତି। ତେଣୁ ଦଳ ଯଦି ସ୍ଥାନୀୟ କର୍ମୀମାନଙ୍କ ଉପରେ ନିଷ୍ପତ୍ତିକୁ ଲଦି ଦେଇ ଡାକ୍ତର ରାଉତଙ୍କ ପୁଅକୁ ପାରାଦୀପରୁ ଟିକେଟ୍ ଦିଏ ତେବେ ତାହା ବିଜେଡି ପାଇଁ ବୁମେରାଂ ହେବ ବୋଲି ଦଳର ବରିଷ୍ଠ ନେତାମାନେ ମତ ଦେଇଛନ୍ତି।



from Odisha Reporter https://ift.tt/2u2kD4b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages