
ଶ୍ରୀନଗର: ଦକ୍ଷିଣ କଶ୍ମୀର ଅୱନ୍ତୀପୁରାର ରିଜ୍ୱାନ୍ ଅସାଦ୍ ପଣ୍ଡିତ ନାମକ ଜଣେ ଶିକ୍ଷକ ଏନ୍ଆଇଏ ହେପାଜତରେ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଏକ ଆତଙ୍କୀ ମାମଲାରେ ସମ୍ପୃକ୍ତି ସନ୍ଦେହରେ ସେ ଗିରଫ ହୋଇଥିଲେ। ଏହି ଘଟଣା ପରେ ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା ଏହାର ତଦନ୍ତ ଯଥାଶୀଘ୍ର ସାରିବାକୁ ଦାବି କରିଛନ୍ତି।
ଓମାର ଆହୁରି ମଧ୍ୟ ଶିକ୍ଷକଙ୍କ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ଏବେ ଯାହା ଘଟିଲା ତାହା ସହଜରେ ଗ୍ରହଣୀୟ ନୁହେଁ। ଏହାର ସ୍ୱଚ୍ଛ ଏବଂ ତ୍ୱରିତ ତଦନ୍ତ ଆବଶ୍ୟକ। ଏହି ଯୁବକଙ୍କ ହତ୍ୟାକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।”
ପଣ୍ଡିତ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ୩ ଦିନ ତଳେ ଆତଙ୍କବାଦୀଙ୍କ ସହିତ ସମ୍ପୃକ୍ତି ସନ୍ଦେହରେ ତାଙ୍କୁ ଉଠାଇ ନିଆଯାଇଥିଲା। ଜଣେ ପୁଲିସ୍ ଅଧିକାରୀ ତାଙ୍କ ମୃତ୍ୟୁ ବାବଦରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ତାଙ୍କୁ ଗିରଫ୍ କରାଯାଇ ପଚରା ଉଚରା ପାଇଁ ନିଆଯାଇଥିଲା। ଏହି ଘଟଣା ପରେ ଅୱନ୍ତିପୁରାର ଇସ୍ଲାମିକ୍ ୟୁନିଭର୍ସିଟି ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ ପିଡିପି ନେତା ନଇମ୍ ଅଖତର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଏହି ମାମଲାର ସମ୍ପୂର୍ଣ୍ଣ ଚିତ୍ର ଉଜାଗର କରିବା ପାଇଁ ଅପିଲ କରିଛନ୍ତି।
from Odisha Reporter https://ift.tt/2JqvXBA
No comments:
Post a Comment