‘ଫୋନି’ ମାଡ଼ରେ ସତ୍ତା ହରାଇଛି ସୁଆଣ୍ଡୋ, ଉଜୁଡ଼ି ଯାଇଛି ଉତ୍କଳମଣିଙ୍କ ଅନ୍ତୁଡିଶାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

‘ଫୋନି’ ମାଡ଼ରେ ସତ୍ତା ହରାଇଛି ସୁଆଣ୍ଡୋ, ଉଜୁଡ଼ି ଯାଇଛି ଉତ୍କଳମଣିଙ୍କ ଅନ୍ତୁଡିଶାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ଛଅ ଘଣ୍ଟାର ପ୍ରଳୟ ପୋଛି ଦେଇଛି ପୂରା ଗାଁକୁ। ଉଡ଼ାଇନେଇଛି ମୁଣ୍ଡ ଉପରୁ ଛାତ। ଆଉ ଉଜାଡ଼ି ଦେଇ ଯାଇଛି ଲୋକଙ୍କ ଜୀବନ ଜୀବିକା। ଏପରି ଚିତ୍ର ଦେଖିବାକୁ ମିଳିଛି, ବିପର୍ଯ୍ୟୟ ବେଳେ ଦୀନ ଦୁଃଖୀଙ୍କ ପାଖରେ ସବୁବେଳେ ଠିଆ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ‘ସୁଆଣ୍ଡୋ’ରେ। ଉଜୁଡ଼ି ଯାଇଛି ତାଙ୍କ ଅନ୍ତୁଡ଼ିଶାଳ। ଉଡି ଯାଇଛି ମୁଣ୍ଡ ଉପରୁ ଛାତ। ପଲିଥିନ ତଳେ ଷଠିଘରେ ସେମତି ନିଶ୍ଚଳ ହୋଇ ବସିଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ‘ଫୋନି’ ଦାଉ ସାଧିବା ଦିନରୁ ହିଁ ନିର୍ବାକ ହୋଇଯାଇଛନ୍ତି ଗୋପବନ୍ଧୁଙ୍କ ପରିବାର ଓ ପାଖ ପଡୋଶୀ।

ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ରହୁଛନ୍ତି ୧୯ଟି ବ୍ରାହ୍ମଣ ପରିବାର। ସମସ୍ତଙ୍କ କୁଳ ବେଉସା ହେଉଛି ନଡ଼ିଆ ଚାଷ। ହେଲେ ସେଇ ନଡ଼ିଆ ଗଛ ଆଜି ସୁଆଣ୍ଡୋ ଶାସନ ପାଇଁ କାଳ ହୋଇଛି। ‘ଫୋନି’ର ମାଡ଼ରେ ଘର ଉପରେ ଶୋଇ ରହିଛି ବଡ଼ ବଡ଼ ନଡ଼ିଆ ଗଛ। ଭାଙ୍ଗି ଯାଇଛି ବାପ-ଅଜା ଅମଳର ଘର। ରାସ୍ତାରେ ଏବେ ମଧ୍ୟ ବାଟ ଓଗାଳୁଛି ଉପୁଡ଼ି ପଡିଥିବା ବିରାଟ ବିରାଟ ଗଛର । ଗଣ୍ଡି। ଏହି ବ୍ରାହ୍ମଣ ଶାସନ ଦାଣ୍ଡରେ ପଡ଼ିଥିବା ଗଛକୁ ଅତିକ୍ରମ କରି ଗଲେ ପଡ଼ିବ ସୁଆଣ୍ଡୋ ଗାଁ’ର ଦଳିତ ସାହି। ଏଠି ଚିତ୍ର ଆହୁରି ଦୟନୀୟ। ଏଠି ବାସହରା ହୋଇଛନ୍ତି ୬୦ ପରିବାର। ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି ଅନେକ ଘର। ମାଟିରେ ମିଶିଯିବା ପରେ ପୁଣି ଚାଳିଆ ଖଣ୍ଡେ ଠିଆ କରିବା ପାଇଁ ଲାଗି ପଡିଛନ୍ତି ରଞ୍ଜ ଭୋଇଙ୍କ ପରିବାର। ଗାଁର ସାଗର, ଲକ୍ଷ୍ମଣ, ଶଙ୍କର ରଶ୍ମିତା, କଳ୍ପନା, ସୁକାନ୍ତି, କାହାରି ମୁଣ୍ଡ ଉପରେ ଆଉ ଛାତ ନାହିଁ। ଜୀବନ ସିନା ବଞ୍ଚିଯାଇଛି। ହେଲେ ଜୀବିକା ଉଜୁଡ଼ି ଯାଇଛି।

ଗତ ତିନି ତାରିଖ ଦିନ ‘ଫୋନି’ ପ୍ରଳୟ ରଚିବା ପୂର୍ବରୁ ଦଳିତ ସାହିର ସବୁ ଲୋକ ଘର ଛାଡ଼ି ଦେଇଥିଲେ। ଏମାନଙ୍କର ଆଶ୍ରା ପାଲଟିଥିଲା ସୁଆଣ୍ଡୋର ସ୍କୁଲ ଘର। ‘ଫୋନି’ର ୧୩ ଦିନ ପରେ ମଧ୍ୟ ଏମାନେ ଘରକୁ ଫେରିବାକୁ ସାହସ କରି ପାରୁନାହାନ୍ତି। ଗୋପବନ୍ଧୁଙ୍କ ଗାଁର ଗରିବ ଖଟିଖିଆ ମଣିଷର ଭାଙ୍ଗି ଯାଇଥିବା ଘରର ସର୍ଭେ ପାଇଁ ସରକାରୀ ବାବୁ ଆସିଥିଲେ ମଧ୍ୟ ସବୁ ଘରର ଠିକ ଭାବେ ହିସାବ ହୋଇନି ବୋଲି କ୍ଷୋଭର ସହ କହିଛନ୍ତି ସ୍କୁଲରେ ଆଶ୍ରୟ ନେଇଥିବା ସର୍ବହରା ଏକାଦଶୀ ଭୋଇ।

ଗୋପବନ୍ଧୁଙ୍କ ସହ ଏଠି ରହିଛି ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି। ୧୧ ତାରିଖରୁ ସୁଆଣ୍ଡୋର ନିରାଶ୍ରୟଙ୍କ ପାଇଁ ସରକାର ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି। ପଞ୍ଚସଖାଙ୍କ ଏହି ମାଟିରେ ଏବେ ୪୦୦ ଲୋକଙ୍କ ପାଇଁ ସବୁଦିନେ ଦୁଇବେଳା ଚାଲିଛି ରୋଷେଇ। ସେଇଥିରେ ପୁରୁଛି ପେଟ।



from Odisha Reporter http://bit.ly/2vZZCYN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages