
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଭରେଷ୍ଟ ଶୃଙ୍ଗରେ ପ୍ରାଣ ହରାଇଥିବା ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଓଡ଼ିଶାରୁ ଏକ ଟିମ୍ କାଠମାଣ୍ଡୁ ଯିବ। ଏହି ଟିମ୍ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ପରିବାରର ୨ ଜଣ ସଦସ୍ୟ ଅଛନ୍ତି। ଅନ୍ତର୍ଜାତୀୟ ପର୍ବତାରୋହୀ ଗଣେଶ ଜେନା ମଧ୍ୟ ଟିମ୍ ସହ ଯିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ପର୍ବତାରୋହୀ ଗଣେଶ ଜେନା କହିଛନ୍ତି,“ଆମେ ସୋମବାର ସକାଳେ ନୂଆଦିଲ୍ଲୀ ଯିବୁ। ସେଠାରୁ କାଠମାଣ୍ଡୁକୁ ଯାତ୍ରା କରିବୁ। ସେଠାରେ ଆମେ ଦିନ ସାଢ଼େ ଗୋଟାଏ ପହଞ୍ଚିଲା ପରେ କଳ୍ପନାଙ୍କ ପ୍ରାର୍ଥୀବ ଶରୀରକୁ ଓଡ଼ିଶାକୁ କେମିତି ଅଣାଯିବ, ସେନେଇ ବ୍ୟବସ୍ଥା କରିବୁ।”
ଗତ ୨୩ ତାରିଖରେ ଏଭରେଷ୍ଟ ଉପରେ କଳ୍ପନା ଦାଶଙ୍କ ଦୁଃଖଦ ବିୟୋଗ ଘଟିଥିଲା। ୮,୮୪୮ ମିଟର ଉଚ୍ଚତାକୁ ଯାଇ ତ୍ରିରଙ୍ଗା ଉଡ଼ାଇ ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଘଟଣାସ୍ଥଳରୁ ବେସ୍ କ୍ୟାମ୍ପକୁ ତାଙ୍କ ମୃତଦେହ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି।
କଳ୍ପନାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମହାବୋଧି ସୋସାଇଟି ପକ୍ଷରୁ ଗତକାଲି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।
from Odisha Reporter http://bit.ly/2HBa9jC
No comments:
Post a Comment