ଗୌହାଟୀ: ସାରା ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଏବେ ଆଉ ଏକ ଫ୍ଲୁ ଜନିତ ରୋଗ ଆସାମରେ ଆତଙ୍କ ସୃଷ୍ଟି କରିଛି। ଆସାମରେ ଦେଖାଯାଇଥିବା ଆଫ୍ରିକାନ ସ୍ୱାଇନ ଫିଭରରେ ଆକ୍ରାନ୍ତ ହୋଇ ପ୍ରାୟ ୧୫ ହଜାର ଗୃହପାଳିତ ଘୁଷୁରୀ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ପୂରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ରାଜ୍ୟର ୩୩ଟି ଜିଲ୍ଲାରୁ ୧୦ଟି ଜିଲ୍ଲା ଆଫ୍ରିକାନ ସ୍ୱାଇନ ଫିଭର ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ହଜାର ହଜାର ସଂଖ୍ୟକ ଗୃହପାଳିତ ଘୁଷୁରୀ ପ୍ରାଣ ହରାଉଥିବାରୁ ଆସାମ ସରକାର ଏକ ଟ୍ୟାକ୍ସ ଫୋର୍ସ ଗଠନ କରିଛନ୍ତି।
ରାଜ୍ୟ ପଶୁ ସମ୍ପଦ ମନ୍ତ୍ରୀ ଅତୁଲ ବୋରା କହିଛନ୍ତି, ୧୦ଟି ଜିଲ୍ଲା ସ୍ୱାଇନ ଫିଭର ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ଓ ୧୪୯୧୯ ଘୁଷୁରୀ ପ୍ରାଣ ହରାଇଛନ୍ତି। ଆମେ ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଛୁ। ଏ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ସାରିଛୁ।
କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହାୟତା ଦେବାକୁ ପ୍ରସ୍ତୁତ ଥିବା ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ଓ ରାଜ୍ୟ ସ୍ତରରେ ଏଥିପାଇଁ କମିଟି ଗଠନ କରାଯାଇଛି। ଏବେ କାଜିରଙ୍ଗାରେ ଥିବା ବଣୁଆ ଘୁଷୁରୀମାନେ ଯେମିତି ଏହି ଭାଇରସ ଦ୍ୱାରା ପ୍ରଭାବିତ ନ ହୁଅନ୍ତି, ସେଥିପାଇଁ ଜଙ୍ଗଲ ବିଭାଗକୁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।
କେବଳ କାଜିରଙ୍ଗାରେ ୧୫ ହଜାରରୁ ଅଧିକ ବଣୁଆ ଘୁଷୁରୀ ରହିଛନ୍ତି। ଏହି ଆଫ୍ରିକାନ ସ୍ୱାଇନ ଫିଭର ଫେବୃଆରୀ ମାସରୁ ରାଜ୍ୟରେ ଚିହ୍ନଟ ହୋଇଛି। ତେବେ ଏହା ପ୍ରଥମେ ୨୦୧୯ ମସିହା ଏପ୍ରିଲ ମାସରେ ଚାଇନା ସୀମାନ୍ତଙ୍କୁ ଲାଗିଥିବା ଅରୁଣାଚଳ ପ୍ରଦେଶର ଜିଜାଙ୍ଗ ଗାଁରେ ଠାବ ହୋଇଥିଲା ବୋଲି ସେ କହିଛନ୍ତି।
from Odisha Reporter https://ift.tt/2zHA9Z3
No comments:
Post a Comment