ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ। କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା’ପୂର୍ବରୁ ତିନି ଦିନ ଧରି ଜିଲ୍ଲାରେ କରୋନା ପଜିଟିଭ୍ ଯଥାକ୍ରମେ ୯, ୩୧ ଓ ୨୦ ରହିଥିଲା।
ନିର୍ଦ୍ଦେଶ ଅନୁଯାୟୀ, ଏହି ୭ ଦିନ ଧର୍ମାନୁଷ୍ଠାନ ଗୁଡ଼ିକୁ ସାନିଟାଇଜ୍ କରାଯିବ। ତା’ ସହ ଠାକୁରଙ୍କ ରୀତିନୀତି ପାଳନ ହେବ।
ଧର୍ମାନୁଷ୍ଠାନ ସହିତ ଜିଲ୍ଲାର ସମସ୍ତ ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସେହିପରି ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
ସେହିଭଳି ଏହା ପୂର୍ବରୁ ଅତି ଜରୁରୀ କାର୍ଯ୍ୟ ନଥିଲେ ଜିଲ୍ଲାର କୌଣସି ସରକାରୀ ଅଫିସ୍କ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ କୁହାଯାଇଥିଲା। ଆବଶ୍ୟକସ୍ଥଳରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କାମ ଥିଲେ ଫୋନ୍ କରି ଜଣାଇବାକୁ ନମ୍ବର ଜାରି କରାଯାଇଥିଲା।
ବୁଢ଼ୀ ଠାକୁରାଣୀ ଯାତ୍ରାରେ ଲାଗିଲା କଟକଣା
ଏବେ ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଚାଲିଛି। ତେବେ ଏଥିରେ ବି ଲାଗିଛି କଟକଣା। ମାଆଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଦୁଇ ଜଣ ପୂଜକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି କଟକଣା ଲାଗୁ କରାଯାଇଛି। ଏଣିକି ଯାତ୍ରା ସରିବା ଅର୍ଥାତ୍ ୧୬ ତାରିଖ ଯାଏ ମା’ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଏହାସହ ମଣ୍ଡପରେ ପୂଜକ ଓ କର୍ମକର୍ତ୍ତାଙ୍କ ସମେତ ଅତି ବେଶୀରେ ୧୦ ଜଣଙ୍କ ପ୍ରବେଶକୁ ଅନୁମତି ମିଳିଛି।
ମଣ୍ଡପ ଚାରିପଟକୁ ବ୍ୟାରିକେଡ୍ କରିବା ସହ ଦେଶୀ ବେହେରା ସାହିକୁ ବାହାର ଲୋକଙ୍କ ପ୍ରବେଶ ଉପରେ ବି କଟକଣା ଲାଗୁ ହୋଇଛି। କେବଳ ସ୍ଥାନୀୟ ବାସିନ୍ଦା ଓ ଦୋକାନୀ ହିଁ ସାହି ଭିତରକୁ ଯା’ଆସ କରିପାରିବେ। ତେବେ ମା’ଙ୍କ ଦର୍ଶନ ପାଇଁ ଭର୍ଚୁଆଲ ମାଧ୍ୟମରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
The post କରୋନା କୋପ: ଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ବନ୍ଦ appeared first on Odisha Reporter.
from Odisha Reporter https://ift.tt/3sfVb6R
No comments:
Post a Comment