ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ପୁଣି ଗୋଟିଏ ଭିଡିଓ ମେସେଜ ଜରିଆରେ ପ୍ରଶାସନକୁ ତାଚ୍ଛଲ୍ୟ କରିଛି। ଦୀର୍ଘ ଦିନ ହେଲା ସୁରକ୍ଷାକର୍ମୀମାନେ ତାକୁ ଧରିବାକୁ ଉଦ୍ୟମ ଜାରି ରଖିଥିଲେ ହେଁ ତା’ର କୌଣସି ପତ୍ତା ମିଳୁନି। ଏପରି ସ୍ଥିତିରେ ଅମ୍ରିତପାଲ ସିଂହ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ଆତ୍ମସମର୍ପଣ କରିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଏବେ ସେ ଭିଡିଓ ଜାରି କରି ଆତ୍ମସମର୍ପଣ କରିବ ନାହିଁ ବୋଲି କହିଛି।
ମାର୍ଚ୍ଚ ୨୮ ତାରିଖ ରାତିରେ ହୋଶିଆରପୁର ନିକଟରେ ସେ ଓ ତା’ର ସହଯୋଗୀ ପାପଲପ୍ରୀତ ରହିଥିଲେ। ପୁଲିସ୍ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଉଭୟ ନିଜର ଇନୋଭା କାର ଛାଡ଼ି ଖସିଯିବାକୁ ସକ୍ଷମ ହୋଇଥିଲା। ଏସବୁ ଭିତରେ ଅମ୍ରିତପାଲ ଭିଡିଓ ମେସେଜ ଜାରି କରି ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ କରିଛି।
ସେ କହିଛି, “ସବୁ କିଛିକୁ ଷଡ଼ଯନ୍ତ୍ର ବୋଲି ଭାବନି। ଗୁରୁଦେବଙ୍କ ଇଚ୍ଛା ଉପରେ ଭରସା ଅଛି। ଯଦି ସେ ମୋତେ ଖସିଯିବା ପାଇଁ ସହଯୋଗ କରୁଛନ୍ତି, ତା’ହେଲେ କୌଣସି ବଡ଼ କାମ ପାଇଁ ସଙ୍କେତ ଦେଉଛନ୍ତି। ମୁଁ ଅଧର୍ମୀ ନୁହେଁ କିମ୍ବା ମୃତ୍ୟୁକୁ ଭୟ କରେନି। ମୁଁ ଖୁବଶୀଘ୍ର ଲୋକଙ୍କ ପାଖକୁ ଆସିବି ଓ ସେମାନଙ୍କ ସହ ପୂର୍ବଭଳି ରହିବି। ଦେଶ ଛାଡ଼ି ଚାଲି ଯାଉଥିବା ଲୋକମାନଙ୍କ ଭଳି ମୁଁ ନୁହେଁ।”
ଅମ୍ରିତପାଲ କହିଛି ଯେ ତାକୁ ପ୍ରତିଦିନ ୨୦ରୁ ୨୨ କିମି ବାଟ ଚାଲିବାକୁ ପଡ଼ୁଛି। ଏପରି କୌଣସି ଦିନ ସେ ଗୋଟିଏ ଥର ଖାଇବାକୁ ସକ୍ଷମ ହେଉଛି କିମ୍ବା ଭୋକରେ ମଧ୍ୟ ରହୁଛି। ସେ ତା’ର ନୂଆ ଭିଡିଓ ବାର୍ତ୍ତାରେ ଅକଲ ତାଖତ ଜତେଦର ଗିଆନି ହରପ୍ରୀତ ସିଂହଙ୍କ ଉପରେ ଚାପ ପକାଇ ବୈଶାଖୀ ଦିନ ଗୋଟିଏ ସାରବତ ଖାଲସା ଡାକିବାକୁ କହିଛି। ଏଥିସହ ସବୁ ଶିଖ ସଂପ୍ରଦାୟର ଲୋକଙ୍କୁ ନିଜ ସପକ୍ଷରେ ଆଣିବାକୁ ଉସକାଇଛି।
ପଞ୍ଜାବରୁ ଫେରାର ହୋଇଯାଇଥିବା ଅମ୍ରିତପାଲ ସିଂହ ହରିଆଣା ଦେଇ ଦିଲ୍ଲୀରେ ପହଞ୍ଚିଥିଲା। ଏହାପରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୂର ଖେରି ଦେଇ ମାର୍ଚ୍ଚ ୨୬ରେ ପୁଣି ପଞ୍ଜାବରେ ପ୍ରବେଶ କରିଛି। ପୁଲିସ୍ କହିଛି ଯେ ଅମ୍ରିତପାଲ ଲକ୍ଷ୍ମୀପୁର ଖେରିରୁ ଫାଗୱାରା ସ୍ଥିତ ଗୋଟିଏ ଡେରାକୁ କାର ଯୋଗେ ଆସିଥିଲା।
ଉକ୍ତ କାରକୁ ଜବତ କରାଯାଇଛି। ସେଠାରେ ରାତ୍ରି ରହଣୀ ପରେ ଅମ୍ରିତପାଲ ଓ ତା’ର ସହଯୋଗୀ ଗୋଟିଏ ଇନୋଭାରେ ନଦାଲୋନ ଗାଁରେ ଥିବା ଆଉ ଗୋଟିଏ ଡେରାକୁ ଆସିଥିଲେ। ସେଠାରୁ ପୁଣି ସେମାନେ ଫାଗୱାରା ଯାଉଥିବା ବେଳେ ପୁଲିସ୍ ସେମାନଙ୍କ ପିଛା କରିଥିଲା। କିନ୍ତୁ ପୁଲିସ ନାକା ପୂର୍ବରୁ ଉଭୟ ଇନୋଭା ଛାଡ଼ି ଖସିଯିବାକୁ ସକ୍ଷମ ହୋଇଥିଲେ। ଇନୋଭାକୁ ପୁଲିସ୍ ଜବତ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8wIrQ4J
No comments:
Post a Comment