ବିଶ୍ୱରେ କର୍କଟ ଆଉ ଏକ ସ୍ୱାସ୍ଥ୍ୟ ସଙ୍କଟ। ବର୍ଷକୁ ବର୍ଷ କର୍କଟ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗତ କିଛି ବର୍ଷ ମଧ୍ୟରେ ଭାରତରେ କର୍କଟର ଦ୍ରୁତ ବୃଦ୍ଧି ଘଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସମଗ୍ର ବିଶ୍ୱରେ ଗତ ବର୍ଷ କର୍କଟରେ ପ୍ରାୟ ୧୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ତେଣୁ ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କର୍କଟ ସଚେତନତା ଦିବସ ରୂପେ ପାଳନ କରାଯାଉଛି।
ଜାତୀୟ କର୍କଟ ସଚେତନତା ଦିବସର ଇତିହାସ
ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପ୍ରଥମେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ୨୦୧୪ ସେପ୍ଟେମ୍ବରରେ ଏକ କମିଟି ଗଠନ କରାଯାଇ ପ୍ରତିବର୍ଷ ୭ ନଭେମ୍ବରରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ପ୍ରତିବର୍ଷ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଉଛି।
୭ ନଭେମ୍ବରରେ କାହିଁକି ପାଳନ କରାଯାଏ ଜାତୀୟ କର୍କଟ ସଚେତନତା ଦିବସ?
ଏହି ଦିନରେ କର୍କଟ ସଚେତନତା ଦିବସ ପାଳନ କରିବାର ଏକ ବିଶେଷ କାରଣ ରହିଛି। ଏହି ଦିନ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ମ୍ୟାଡାମ୍ କ୍ୟୁରିଙ୍କ ଜନ୍ମଦିନ। କର୍କଟ ମୁକାବିଲା କ୍ଷେତ୍ରରେ ମ୍ୟାଡାମ୍ କ୍ୟୁରିଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ତାଙ୍କ ଅବଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୭ ତାଙ୍କ ଜନ୍ମଦିନରେ କର୍କଟ ସଚେତନତା ଦିବସ ପାଳନ କରାଯାଏ।
କର୍କଟ କଣ ଏବଂ ଏହା କେତେ ପ୍ରକାର
ଶରୀରରେ ଜୀବକୋଷଗୁଡିକର ଅହେତୁକ ବୃଦ୍ଧି କର୍କଟ ରୋଗର କାରଣ। ପ୍ରାରମ୍ଭରେ କର୍କଟର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ଶରୀରର ଏକ କ୍ଷତ ବା ଘା ଧୀରେ ଧୀରେ ବୃଦ୍ଧି ପାଇ କର୍କଟ ସୃଷ୍ଟି ହୁଏ। ଏହା ବିଭିନ୍ନ କାରଣରୁ ହୋଇଥାଏ।ମସ୍ତିଷ୍କ, ପ୍ରୋଷ୍ଟେଟ, ସ୍ତନ, କିଡନୀ, ଯକୃତ ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ କର୍କଟ ବିକଶିତ ହୋଇପାରେ।
କର୍କଟ ଲକ୍ଷଣ
ସମସ୍ତଙ୍କ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। କର୍କଟ ଲକ୍ଷଣ ରୋଗର ପ୍ରଭାବ ଏବଂ ପ୍ରକାର ଉପରେ ନିର୍ଭର କରେ। ତଥାପି କେତେକ ସାଧାରଣ ଲକ୍ଷଣ ମଧ୍ୟରେ ଅତ୍ୟଧିକ କାଶ(ଦୀର୍ଘଦିନ ଧରି ଲାଗି ରହିବା), ଲାଳରେ ରକ୍ତ, ପରିସ୍ରାରେ ପରିବର୍ତ୍ତନ, ଚର୍ମରେ ପରିବର୍ତ୍ତନ, ଚର୍ମ ରଙ୍ଗ ଏବଂ ପାଚନ ପରିବର୍ତ୍ତନ, ଶରୀରରେ ଖୁବ୍ ଯନ୍ତ୍ରଣା ଏବଂ ଥକାପଣ ଇତ୍ୟାଦି।
ପୂର୍ବରୁ କର୍କଟର ଚିକିତ୍ସା ହୋଇପାରୁ ନଥିଲା। ବର୍ତ୍ତମାନ ବିଜ୍ଞାନର ବୃଦ୍ଧି ତଥା ଟେକ୍ନୋଲୋଜିର ଉଦ୍ଭାବନ ଫଳରେ ଅନେକାଂଶରେ ରୋଗୀ ଭଲ ହୋଇପାରୁଛନ୍ତି। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେବା ନିହାତି ଆବଶ୍ୟକ, କେବଳ ସଚେତନତା ମାଧ୍ୟମରେ ହିଁ ଏହା ସମ୍ଭବ। ତେଣୁ ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ପାଇଁ କର୍କଟ ସଚେତନତା ଦିବସ ପାଳନ କରାଯାଉଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fdlBmhn
No comments:
Post a Comment