
ଭୁବନେଶ୍ୱର ( ଓଡିଶା ରିପୋର୍ଟର ): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣଙ୍କୁ ବିଜେଡି ସମର୍ଥନ କରିବ। ଆଜି ମୁମ୍ବାଇ ଗସ୍ତରୁ ଫେରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।
ନବୀନଙ୍କ ଏହି ବୟାନ ପରେ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ବଜାୟ ରଖିବାର ବିଜେଡିର ବାରମ୍ବାର ଦମ୍ଭୋକ୍ତି ଏବେ କେବଳ ସୁବିଧାବାଦୀ ରଣନୀତିର ଅଂଶବିଶେଷ ବୋଲି ପ୍ରମାଣିତ ହୋଇଛି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେପି ସଭାପତି ଅମିତ୍ ଶାହ ଓ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ତାଙ୍କ ସହ କଥା ହୋଇଛନ୍ତି। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ସହ କଥା ହୋଇଥିଲେ।
ତେଣୁ ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡି ସମର୍ଥନ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହା ସ୍ପଷ୍ଟ ବୟାନ ପରେ ଏ କ୍ଷେତ୍ରରେ ବିଜେଡିର ଆଭିମୁଖ୍ୟକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ସୂଚନାଯୋଗ୍ୟ, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ହେବା ପରଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ସର୍ବଦା ବିଜେପିକୁ ସୁହାଇବା ଭଳି ହୋଇଛି।
ଗତ ମାସରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବରୁ ବିଜେଡି ଅଚାନକ ବିରତ ରହି ପରୋକ୍ଷରେ ସହଯୋଗର ହାତ ବଢ଼ାଇଥିଲା।
ପୂର୍ବରୁ ବିମୁଦ୍ରାକରଣ, ଜିଏସଟି, ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ, ରାଷ୍ଟ୍ରପତି ନିର୍ବାଚନ ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କୁ ବିଜେଡି ପ୍ରତ୍ୟକ୍ଷ ସମର୍ଥନ ଜଣାଇଥିଲା।
ରାଜନୀତିକ ବିଶ୍ଲେଷକଙ୍କ ମତରେ ମୋଦି ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଥମରୁ ହିଁ ବିଜେଡିକୁ ଆଶଙ୍କା ମଧ୍ୟରେ ରଖିଛି। ଖଣି ଓ ଚିଟଫଣ୍ଡ ଦୁର୍ନୀତିରେ ବିଜେଡି ନେତାମାନଙ୍କ ସମ୍ପୃକ୍ତି ଥିବାବେଳେ ସିବିଆଇ ତଦନ୍ତ ଭୟରେ ମୋଦି ସରକାରକୁ ସୁହାଇବା ଭଳି ନିଷ୍ପତ୍ତି ନେବା ବିଜେଡି ପାଇଁ ଏକ ପ୍ରକାରର ରାଜନୈତିକ ବାଧ୍ୟବାଧକତା ହୋଇଛି।
ଏହା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଗୁଳିରେ ମଧ୍ୟ ଦୁଇଟି ଶିକାର କରିଛନ୍ତି ବୋଲି ବିଚାର କରାଯାଉଛି । ମୋଦି ସରକାରକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମର୍ଥନ କରି ସେ ପରୋକ୍ଷରେ ରାଜ୍ୟର ବିଜେପି ୟୁନିଟକୁ ନିରସ୍ତ୍ର ଓ ଦିଶାହୀନ କରିବାକୁ ଉଦ୍ୟମ କରୁଛନ୍ତି।
ନବୀନ ପଟ୍ଟନାୟକ ସରକାର ବିରୋଧରେ ରାଜ୍ୟ ବିଜେପି ୟୁନିଟ୍ ଏଠି ଯେତେ ଚିତ୍କାର କଲେ ମଧ୍ୟ କେନ୍ଦ୍ର ନେତୃତ୍ୱ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ ଥିବାରୁ ସେମାନଙ୍କୁ ରାଜନୀତିକ ଫାଇଦା ମିଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୁଚାଇବାକୁ ଚାହୁଁଛନ୍ତି।
ସେହିପରି ରାଜ୍ୟ ବିଜେପିର କର୍ମୀ ଓ ନେତାଙ୍କୁ ଏଭଳି ଦ୍ଵନ୍ଦ୍ଵରେ ରଖି ନବୀନ ନିଜ ପାଇଁ ଓଡ଼ିଶାରେ ନିରଙ୍କୁଶ କ୍ଷମତା ହାସଲର ମାର୍ଗକୁ ପ୍ରଶସ୍ତ କରୁଛନ୍ତି ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରରେ ୟୁପିଏ ସରକାର କ୍ଷମତାସୀନ ଥିବାବେଳେ ବିଜେଡି ଅନୁରୂପ ରଣନୀତି ଆପଣାଇ ରାଜ୍ୟ କଂଗ୍ରେସକୁ ପରୋକ୍ଷରେ ତଳିତଳାନ୍ତ କରିଦେଇଛି। ଯାହାର ପ୍ରଭାବ ରାଜ୍ୟ କଂଗ୍ରେସକୁ ଏବେ ବି ଭୋଗିବାକୁ ପଡୁଛି।
from OdishaReporter https://ift.tt/2vrU6hK
No comments:
Post a Comment