
ନୂଆଦିଲ୍ଲୀ: ସିବିଆଇ ମହାକଳିକୁ ନେଇ ଆରମ୍ଭ ହୋଇଥିବା ଆଇନ୍ଗତ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ଏହି ମହାକଳିରେ ହସ୍ତକ୍ଷେପ କରି କେନ୍ଦ୍ର ସରକାର ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ତାଙ୍କ ଡେପୁଟି ରାକେଶ ଆସ୍ଥାନଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ତେବେ ଏହାକୁ ଶ୍ରୀ ବର୍ମା ବିରୋଧ କରିବାକୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର ଓ ଶ୍ରୀ ବର୍ମାଙ୍କ ଓକିଲ କ୍ଷମତାକୁ ନେଇ ମୁହାଁମୁହିଁ ହୋଇଛନ୍ତି।
ଶ୍ରୀ ବର୍ମାଙ୍କ ଓକିଲ ଫଲି ନରିମନ୍ ନିଜର ଯୁକ୍ତି ଦର୍ଶାଇ ସରକାର କେବେ ହେଲେ ସିବିଆଇ ମୁଖ୍ୟଙ୍କୁ ନିଜ ଇଚ୍ଛାରେ ବଦଳି କରିପାରିବେ ନାହିଁ ଏବଂ ସିବିଆଇ ମୁଖ୍ୟଙ୍କ ବଦଳି କିମ୍ବା ଛୁଟିରେ ପଠାଇବା ନିଷ୍ପତ୍ତି କେବଳ ଚୟନ କମିଟିର ବୋଲି ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷରେ ଏହାର ଜବାବ ଦେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନ୍ଜୀବୀ ତଥା ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ୍ କହିଥିଲେ, ସିବିଆଇ ମୁଖ୍ୟଙ୍କ ନିଯୁକ୍ତି କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ରହିଛି। ଏଥିରେ ଚୟନ କମିଟିର କୌଣସି ଭୂମିକା ନାହିଁ। ତେବେ କୋର୍ଟ ଉଭୟଙ୍କ ଯୁକ୍ତି ଶୁଣିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୫ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।
ସିବିଆଇ ମୁଖ୍ୟ ଆଲୋକ ବର୍ମା ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ। ଶ୍ରୀ ଆସ୍ଥାନା ମଧ୍ୟ ଶ୍ରୀ ବର୍ମାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିବାରୁ ସିବିଆଇ ମଧ୍ୟରେ ଚାଲିଥିବା ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା। ଫଳରେ କେନ୍ଦ୍ର ସରକାର ଉଭୟଙ୍କୁ ଛୁଟିରେ ପଠାଇ ଦେଇଥିଲେ।
ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଶ୍ରୀ ବର୍ମାଙ୍କ ଓକିଲ ନିଜର ଯୁକ୍ତି ଉପସ୍ଥାପନ କରି କହିଥିଲେ, “ ଯେଉଁ କମିଟି ସିବିଆଇ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି ସେହି କମିଟିର ନିଷ୍ପତ୍ତି ବିନା କେନ୍ଦ୍ର ସରକାର ଶ୍ରୀ ବର୍ମାଙ୍କ ବଦଳି କରିପାରିବେ ନାହିଁ। ବିନା ବୈଠକରେ କେନ୍ଦ୍ର ସରକାର କେମିତି ଶ୍ରୀ ବର୍ମାଙ୍କ କ୍ଷମତାକୁ ସଙ୍କୁଚିତ କରିବେ? ଯଦି ଏପରି ହେବ, ତା’ହେଲେ ସିବିଆଇର ନିରପେକ୍ଷତା ଏବଂ ସ୍ୱଂୟ ଶାସିତ ନିୟମର କ’ଣ ଅବସ୍ଥା ହେବ?”
ଏହି ସମୟରେ ଖଣ୍ଡପୀଠରେ ଥିବା ଅନ୍ୟତମ ବିଚାରପତି ଜଷ୍ଟିସ୍ କେଏମ୍ ଯୋଜେଫ୍ ପ୍ରଶ୍ନ କରିଥିଲେ “ ଯଦି ସିବିଆଇ ମୁଖ୍ୟ ଲାଞ୍ଚ ନେଉଥିବା ବେଳେ ‘ରଙ୍ଗେ ହାତ୍’ ଧରା ପଡ଼ନ୍ତି, ତା’ହେଲେ ଆମେ କ’ଣ କମିଟିର ଅନୁମତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା?” ଏହାର ଉତ୍ତରରେ ଶ୍ରୀ ବର୍ମାଙ୍କ ଓକିଲ ଫଲି ନରିମନ୍ କହିଥିଲେ, “ ଏହି ସମୟରେ ଆମେ କମିଟିକୁ କନଫିଡେନ୍ସକୁ ନେବା ଏବଂ କୋର୍ଟ ଏହାର ନିଷ୍ପତ୍ତି ନେବେ।” କମନ୍ କଜ୍ ନାମକ ଏନ୍ଜିଓ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ଦୁଷ୍ୟନ୍ତ ଡାଭେ ମଧ୍ୟ ଶ୍ରୀ ବର୍ମାଙ୍କ ବଦଳି ବା ଛୁଟିକୁ ବିରୋଧ କରିଥିଲେ।
ସେହିପରି କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖାଡଗେଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ କପିଲ ଶିବଲ ମଧ୍ୟ କେନ୍ଦ୍ର ସରକାର ବେଆଇନ୍ ଭାବେ ଶ୍ରୀ ବର୍ମାଙ୍କୁ ଛୁଟିରେ ପଠାଇଥିବା ଅଭିଯୋଗ କରିଥିଲେ।
from Odisha Reporter https://ift.tt/2rczM1u
No comments:
Post a Comment