
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ରାଜ୍ୟରେ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ହୋଇ ପାରୁନାହିଁ। ଏପରି କହିଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ। ଏନେଇ ସେ ଚିଠି ଲେଖି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଛନ୍ତି।
ଶ୍ରୀ ନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା କାର୍ଯ୍ୟରେ ବିଳମ୍ବ ହେଉଛି। ବ୍ରହ୍ମପୁର ଓ ଢେଙ୍କାନାଳରେ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଖର୍ଚ୍ଚର ରିପୋର୍ଟ ଏଯାଏ ରାଜ୍ୟ ସରକାର ପ୍ରଦାନ କରିନାହାନ୍ତି। ବିନିଯୋଗ ରିପୋର୍ଟ ନ ମିଳିବାରୁ ବାଲେଶ୍ୱର ହସ୍ପିଟାଲ ଲାଗି ଅର୍ଥ ମଞ୍ଜୁର କରାଯାଉନାହିଁ।
ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୬-୧୭ ଆର୍ଥିକବର୍ଷରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ୫ କୋଟି ଓ ୨୦୧୭-୧୮ ଆର୍ଥିକବର୍ଷରେ ୩ କୋଟି ଟଙ୍କା ଯଥାକ୍ରମେ ଢେଙ୍କାନାଳ ଓ ବ୍ରହ୍ମପୁରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ନିର୍ମାଣ ପାଇଁ ଅନୁମୋଦନ କରିଥିଲେ। ହେଲେ ରାଜ୍ୟ ସରକାର ବିଗତ ଦିନର ଅନୁମୋଦନ ରାଶି ଉପରେ ବିନିଯୋଗ ନେଇ କୌଣସି ରିପୋର୍ଟ ଦେଇନାହାନ୍ତି। ରାଜ୍ୟ ସରକାର ପୁରୁଣା ଦୁଇ ପ୍ରକଳ୍ପର ବିନିଯୋଗ ପ୍ରମାଣପତ୍ର ଦେବା ସହ ବାଲେଶ୍ୱରରେ ଏହି ଡାକ୍ତରଖାନା ନିର୍ମାଣ ପାଇଁ ବାର୍ଷିକ ଯୋଜନାରେ ସାମିଲ କରି ପ୍ରସ୍ତାବ ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି।
ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ପ୍ରସଙ୍ଗରେ ଧର୍ମେନ୍ଦ୍ର, ରେମୁଣାର ବିଧାୟକ ଗୋବିନ୍ଦ ଦାସ ତାଙ୍କ ନିକଟକୁ ପଠାଇଥିବା ଚିଠିକୁ ଉଦ୍ଧୃତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀପଦଙ୍କୁ ଚିଠି ଲେଖିଥିଲେ। ଏହାର ଉତ୍ତରରେ ସେ ଏହି ଚିଠି ଲେଖିଛନ୍ତି।
ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକଙ୍କ ଏହି ଚିଠିକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter http://bit.ly/2rQtRPY
No comments:
Post a Comment