
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦୁଇ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏବଂ ସୁନୀଲ ଗାଭାସ୍କରଙ୍କୁ ସମସ୍ତେ ଜାଣିଥିବେ। ଉଭୟ ଦୁଇ ଜଣ ଭଲ ବନ୍ଧୁ। ସୁନୀଲ ଗାଭାସ୍କର ଜଣେ ବ୍ୟାଟିଂ କିମ୍ବଦନ୍ତୀ ହୋଇଥିବା ବେଳେ କିପଲ ଦେବ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତକୁ ବିଶ୍ୱକପ୍ ଦେଇଛନ୍ତି।
ହେଲେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ଗାଭାସ୍କର ଗୋଟିଏ ମ୍ୟାଚ୍ରେ କପିଲ ଦେବଙ୍କୁ ବୋଲିଂ ଆସୁନାହିଁ ବୋଲି କହିଥିଲେ।
ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କପିଲ ଦେବ ଏକଥା କହିଛନ୍ତି। ଏହି ସମୟରେ ସୁନୀଲ ଗାଭାସ୍କର ମଧ୍ୟ ଉପସ୍ଥିତ ରହିଥିଲେ।
କପିଲ ଦେବଙ୍କ ୪୩୪ ୱିକେଟ୍ ନେବା ପ୍ରସଙ୍ଗ ଉଠିଥିଲା। ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଥିଲେ, ଫୈସଲାବାଦରେ ଚାଲିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ କପିଲ ଦେବ ନର୍ଭସ ହୋଇଯାଇଥିଲେ।
କିନ୍ତୁ ଦ୍ୱିତୀୟ ଇନିଂସରେ ଭୟଙ୍କର ବୋଲିଂ କରିଥିଲେ। ସେ ପ୍ରଥମେ ପାକିସ୍ତାନ ବ୍ୟାଟସ୍ମ୍ୟାନ ମହମ୍ମଦ ସାଦିକ୍ଙ୍କୁ ବାଉନ୍ସର ମାରିଥିଲେ। ଏହାପରେ ମହମ୍ମଦ ହେଲମେଟ୍ ଆଣିଥିଲେ। ସେହି ଓଭର୍ରେ ମହମ୍ମଦଙ୍କ ହେଲମେଟରେ ବଲ ମାଡ଼ ହୋଇଥିଲା। ଏଭଳି ଘଟଣା ପରେ ପାକିସ୍ତାନ ବ୍ୟାଟସ୍ମ୍ୟାନମାନେ ଡରି ଯାଇଥିଲେ।
ସେତେବେଳେ ପ୍ରତିପକ୍ଷଙ୍କୁ ଡରାଇବା ପାଇଁ ଆମ ପାଖରେ କୌଣସି ବୋଲର ନଥିଲେ। କିନ୍ତୁ ଏବେ ଅଛନ୍ତି। ଏସବୁ କେବଳ କପିଲ ଦେବଙ୍କ ପାଇଁ ସମ୍ଭବ ହୋଇଛି। ସାଧାରଣତଃ ଭାରତୀୟ ପିଚ୍ ସ୍ପିନରଙ୍କୁ ସୁହାଉଥିଲା। କିନ୍ତୁ ଏଠାରେ ମଧ୍ୟ କପିଲ ଦେବ ଭଲ ବୋଲିଂ କରୁଥିଲେ ବୋଲି ଗାଭାସ୍କର କହିଛନ୍ତି।
ସବୁଠାରୁ ରୋଚକ କଥା ହେଉଛି ଫୈସଲାବାଦ ଟେଷ୍ଟ୍ରେ ଗାଭାସ୍କର ହିଁ ସବୁଠାରୁ ବଡ଼ ୱିକେଟ୍ ପାଇଥିଲେ। ଏସିଆ ମହାଦେଶର ବ୍ରାଡମ୍ୟାନ୍ କୁହାଯାଉଥିବା ପାକିସ୍ତାନର ଜାହିର ଆବ୍ବାସଙ୍କୁ ସେ ଆଉଟ୍ କରିଥିଲେ।
ଏହି ସମୟରେ ଆବ୍ବାସ ୯୬ ରନ୍ କରିଥିଲେ। କପିଲ ଦେବ ଏହା ଉପରେ ମତ ରଖି କହିଛନ୍ତି, ଏବେ ଯେମିତି ବିରାଟ୍ କୋହଲିଙ୍କୁ ଆଉଟ୍ କରିବା କଷ୍ଟକର। ସେ ସମୟରେ ଆବ୍ବାସଙ୍କ ୱିକେଟ୍ ନେବା କାଠିକର ପାଠ ହେଉଥିଲା। କିନ୍ତୁ ଗାଭାସ୍କର ବେଶ ଆରାମରେ ତାଙ୍କ ୱିକେଟ ନେଇଯାଇଥିଲେ।
ଏହି ୱିକେଟ୍ ନେବା ପରେ ଗାଭାସ୍କର ମୋ ପାଖକୁ ଆସିଥିଲେ ଏବଂ ସେଠାରେ ଛିଡ଼ା ହୋଇ ତୁମକୁ ବୋଲିଂ ଆସେନି ବୋଲି କହିଥିଲେ। ମୋତେ ଦେଖନ୍ତୁ ମୁଁ ବେଳେ ବେଳେ ବୋଲିଂ କରୁଛି କିନ୍ତୁ ଟପ୍ ବ୍ୟାଟସ୍ମ୍ୟାନ୍ଙ୍କୁ ଆଉଟ୍ କରିଦେଉଛି ବୋଲି ଗାଭାସ୍କର ମୋତେ କହିଥିଲେ ବୋଲି କପିଲ ଦେବ କହିଛନ୍ତି।
from Odisha Reporter https://ift.tt/2SZ7qnc
No comments:
Post a Comment