
ନୂଆଦିଲ୍ଲୀ: ରେଲ୍ୱେ ଏବେ ବିମାନ ପରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାର ଯୋଜନା କରୁଛି। ଅର୍ଥାତ ବିମାନବନ୍ଦର ଯେପରି ୪ ଦିଗରୁ ବନ୍ଦ ଥାଏ ରେଳ ଷ୍ଟେସନ୍ ମଧ୍ୟ ଆଉ ମୁକୁଳା ରହିବନି। ଆଉ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ବିମାନଯାତ୍ରା ପରି ଟ୍ରେନ୍ ଛାଡ଼ିବାର ୨୦ ମିନିଟ୍ ଆଗରୁ ଯାତ୍ରୀ ପହଞ୍ଚିବେ ଏବଂ ତନଖି ପରେ ଭିତରକୁ ଯିବେ।
ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଏପରି ଅତ୍ୟାଧୁନିକ ଟେକ୍ନୋଲଜି ସହିତ ସୁରକ୍ଷା ଯୋଜନାକୁ ପ୍ରୟାଗରାଜ(ଆହ୍ଲାବାଦ) ଠାରେ ପରୀକ୍ଷାମୂଳକଭାବରେ କାମରେ ଲଗାଯାଇଛି। ଏତଦ୍ବ୍ୟତୀତ କର୍ଣ୍ଣାଟକାର ହୁବ୍ଲିଠାରେ ମଧ୍ୟ ଏପରି ବ୍ୟବସ୍ଥା କରାଯାଇଛି ଏବଂ ପରେ ଆଉ ୨୦୨ଟି ଷ୍ଟେସନ୍ରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବାର ଯୋଜନା ରହିଛି ବୋଲି ଆରପିଏଫ୍ ନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, “ରେଲୱେ ଷ୍ଟେସନ୍ସବୁକୁ ଚାରପଟୁ ନିବୁଜ୍ କରିବାର ଯୋଜନା ମଧ୍ୟ ରହିଛି। ସେଥିପାଇଁ ପ୍ରଥମେ ଆକଳନ କରାଯିବ ଯେ, କେତୋଟି ଷ୍ଟେସନ୍କୁ ଏପରି ବନ୍ଦ କରାଯାଇପାରିବ। କିଛି ପାଚେରୀରେ ବନ୍ଦ ହେବ, କିଛି ସୁରକ୍ଷାକର୍ମୀଙ୍କ ଦ୍ୱାରା ବନ୍ଦ ରହିବ ଏବଂ ଆଉ କିଛି ସ୍ଥାନରେ ଜାଲିଫାଟକ ଲଗାଯିବାର ଯୋଜନା ରହିଛି।”
ପ୍ରତିଟି ଫାଟକ ପାଖରେ ଲଗାତାର ସୁରକ୍ଷା ଯାଞ୍ଚ ହେବ। ବିମାନବନ୍ଦରରେ ଘଣ୍ଟାଏ ପୂର୍ବରୁ ଯିବାକୁ ପଡ଼ୁଥିବାବେଳେ ଟ୍ରେନ୍ରେ ୧୫ରୁ ୨୦ ମିନିଟ୍ ପୂର୍ବରୁ ଆସିବାକୁ ହେବ। କାରଣ ଡେରିରେ ଆସିଲେ ସୁରକ୍ଷା ଯାଞ୍ଚ ପାଇଁ ହୁଏତ ଟ୍ରେନ୍ ଛାଡ଼ିବାବେଳକୁ ପହଞ୍ଚି ନପାରିବା ସମସ୍ୟା ହୋଇପାରେ। ଟେକ୍ନୋଲଜି ବ୍ୟବହାର ହେବାକୁ ଥିବାରୁ ଅଧିକ ସୁରକ୍ଷାକର୍ମୀଙ୍କର ଆବଶ୍ୟକତା ମଧ୍ୟ ରହିବନି।
୨୦୧୬ ମସିହାରେ ଅନୁମୋଦନ ପାଇଥିବା ଇଣ୍ଟିଗ୍ରଟେଡ୍ ସିକ୍ୟୁରିଟି ସିଷ୍ଟମ୍ (ଆଇଏସ୍ଏସ୍) ଅଧୀନରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିରେ ସିସିଟିଭି କ୍ୟାମେରା, ଆକ୍ସେସ୍ କଣ୍ଟ୍ରୋଲ୍, ବ୍ୟକ୍ତିଗତ ଏବଂ ବ୍ୟାଗେଜ୍ ଯାଞ୍ଚ ବ୍ୟବସ୍ଥା, ବୋମା ଠାବକାରୀ ଏବଂ ନିଷ୍କ୍ରିୟକାରୀ ବ୍ୟବସ୍ଥା ରହିବ। ଏଥିପାଇଁ ମୋଟ ୩୮୫ କୋଟିର ବ୍ୟୟ ଅଟକଳ କରାଯାଇଛି।
ସମସ୍ତ ଯାତ୍ରୀଙ୍କୁ ଜଣ ଜଣ କରି ଯାଞ୍ଚ କରିବା ବଦଳରେ ରାନଡମ୍ ( random)ଯାଞ୍ଚ ହେବ। ଅର୍ଥାତ କାହାକୁ ମଧ୍ୟ ଯାଞ୍ଚ ପାଇଁ ବଛାଯାଇପାରିବ। ପ୍ରତି ଅଷ୍ଟମ ବା ନବମ ଯାତ୍ରୀ ଯାଞ୍ଚର ସମ୍ମୁଖୀନ ହେବେ ବୋଲି ଜଣାଯାଇଛି।
from Odisha Reporter http://bit.ly/2FdB1pm
No comments:
Post a Comment