ବଞ୍ଚିଥିଲା ବେଳେ ଛାଡ଼ି ନଥିଲା, ମଲା ପରେ ବି ମୁଣ୍ଡ ନେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ବଞ୍ଚିଥିଲା ବେଳେ ଛାଡ଼ି ନଥିଲା, ମଲା ପରେ ବି ମୁଣ୍ଡ ନେଲା

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା):ନାରୀ ହେଉଛି ମମତାର ପ୍ରତୀକ। ସେ ଆଦ୍ୟଶକ୍ତି। ଦୟା, କ୍ଷମା, ସ୍ନେହ, ପ୍ରେମର ମୂର୍ତ୍ତି ସେ। ହେଲେ ତା’ପ୍ରତି ଯେତେବେଳେ ଅତ୍ୟାଚାର, ଲାଞ୍ଛନା ଓ ଶୋଷଣର ସୀମା ଲଙ୍ଘେ ସେ ଉଗ୍ର ହୋଇ ଉଠେ। ସେ ବିବସନା ହୋଇ ଚାମୁଣ୍ଡା ବେଶ ଧାରଣ କରିପାରେ। ପୁଣି ମହିଷା ମର୍ଦ୍ଦିନୀ ହୋଇ ଦୁଷ୍ଟ ଶକ୍ତିକୁ ସଂହାର କରିପାରେ। ଯୁଗେ ଯୁଗେ ଧରି ରହିଆସିଥିବା ଏହି ଗାଥାର ଉଦାହରଣ ପିପିଲି ପୀଡ଼ିତାଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଛି। ବଞ୍ଚିଥିଲା ବେଳେ ଅତି ବୀଭତ୍ସ ଭାବେ ଯୌନ ପିପାସୁମାନେ ତାଙ୍କ ଜୀବନ ନେବା ଯେତିକି ହୃଦୟ ବିଦାରକ ଥିଲା ମୃତ୍ୟୁ ପରେ ବି ତା’ପ୍ରତି ହୋଇଥିବା ଅନ୍ୟାୟ ଥିଲା ତା’ଠାରୁ ଆହୁରି ବେଦନା ଦାୟକ।

ଆଇନ୍‌ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତମାନେ ଖସିଯାଇଥିବା ବେଳେ କଟାଘାରେ ଚୂନ ଦେଲା ଭଳି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ ପୀଡ଼ିତାଙ୍କ ଆତ୍ମାକୁ ଆହୁରି ଆକ୍ତାମାକ୍ତା କରିଦେଇଥିବ। ଦୁନିଆ ଆଖିରେ ସେ ମରିଯାଇଛି ସତ, ହେଲେ ଏବେବି ତା’ର ଅତୃପ୍ତ ଆତ୍ମା ନ୍ୟାୟ ପାଇଁ ଏଠି ସେଠି ଘୁରି ବୁଲୁଛି। ଆଉ ତାରି ଅଭିଶାପ ନିଆଁରେ ମହାରଥୀଙ୍କ ମନ୍ତ୍ରୀପଦ ପୁଣି ଥରେ ପୋଡ଼ି ପାଉଁଶ ହୋଇ ଯାଇଛି। ମହିଳା ବିରୋଧୀ ମନ୍ତବ୍ୟ ଓ ପିପିଲି ପୀଡ଼ିତାଙ୍କ ପ୍ରତି ତାଚ୍ଛଲ୍ୟଭରା ମନ୍ତବ୍ୟ ଦେଇଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଆଜି ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ବିରୋଧୀଙ୍କ ଚାପ ଓ ଜନତାଙ୍କ ଆକ୍ରୋଶ ଆଗରେ ଶେଷରେ ବିଜୁ ଜନତା ଦଳ ଆତ୍ମସମର୍ପଣ କରିଛି।

ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଦୋଷମୁକ୍ତ ହେବା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ପୀଡ଼ିତା ପ୍ରତି ଅଶୋଭନୀୟ ଓ ଅପମାନ ସୂଚକ ମନ୍ତବ୍ୟ ଦେଇଥିଲେ। କହିଥିଲେ “ସତ୍ୟର ବିଜୟ ହୋଇଛି। ଛବିରାଣୀ ଯେମିତି ନ୍ୟାୟ ପାଇଥିଲେ, ସେମିତି ପୀଡ଼ିତା ନ୍ୟାୟ ପାଇଛି”। ଯେଉଁ ମନ୍ତବ୍ୟ ତାଙ୍କ ପାଇଁ ଆଜି ମହଙ୍ଗା ସାବ୍ୟସ୍ତ ହୋଇଛି। ୨୦୧୨ରେ ଘଟିଥିବା ଏହି ବହୁ ଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମହାରଥୀଙ୍କ ନାମ ଉଠିଥିଲା। ଅଭିଯୁକ୍ତଙ୍କୁ ସୁରକ୍ଷା ତଥା ସେମାନଙ୍କୁ ନିଜ ଫାର୍ମ ହାଉସ୍‌ରେ ଶରଣ ଦେଇଥିବା ଅଭିଯୋଗ ଉଠିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ କରିବା ପରେ ସେ ମନ୍ତ୍ରୀପଦ ଛାଡ଼ିଥିଲେ। ହେଲେ କଥାରେ ଅଛି, ପ୍ରକୃତି ନୈବ ମୁଚ୍ୟତେଃ। ଏତେବଡ଼ ଶିକ୍ଷା ଓ ଚେତାବନୀ ପରେ ମଧ୍ୟ ମହାରଥୀ ଚେତିଲେନି। ମହିଳାଙ୍କ ପ୍ରତି ଅନେକଥର ବିବାଦୀୟ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି।

୨୦୧୪ରେ ବିଧାନସଭା ଶୀତ ଅଧିବେଶନର ମହାରଥୀ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ କହି ବିବାଦକୁ ଆସିଥିଲେ। ଯାହାକୁ ନେଇ ମହିଳା ବିଜେପି ସେତେବେଳେ ବିକ୍ଷୋଭ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ହେଲେ ଶ୍ରୀ ମହାରଥୀ ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡାଙ୍କୁ ଭେଟି କ୍ଷମା ପ୍ରାର୍ଥନା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା। ଏହା ପରେ ମଧ୍ୟ ତାଙ୍କ ତୁଣ୍ଡକୁ ସେ କାବୁ କରିପାରି ନଥିଲେ। ଗତ ବର୍ଷ ‘୩୦ ହଜାର ମହିଳାଙ୍କ ୬୦ ହଜାର ସ୍ୱାମୀ’ କହି ସମାଲୋଚନାର ଶୀକାର ହୋଇଥିଲେ ମହାରଥୀ। ହେଲେ ପିପିଲି ମାମଲାରେ ମହାରଥୀଙ୍କ ମନ୍ତବ୍ୟ ସବୁସୀମା ସରହଦ ଡେଇଁ ଯାଇଥିଲା। ଏଠି ପ୍ରଶ୍ନ ଉଠୁଛି ଯେଉଁ ବିଜେଡି ଦଳ ମା’କୁ ସମ୍ମାନ ଓ ଗାଁକୁ କାମ କହି ଡିଣ୍ଡିମ ପିଟୁଛି ସେହି ଦଳର ଜଣେ ବିଧାୟକ ବାରମ୍ବାର ମହିଳାଙ୍କୁ ଅସମ୍ମାନ କଲା ଭଳି ମନ୍ତବ୍ୟ ଦେଉଥିଲେ ମଧ୍ୟ ଦଳ ତାଙ୍କୁ କେମିତି ବାରମ୍ବାର ଟିକେଟ ଦେଇ ମନ୍ତ୍ରୀପଦ ଦେଉଛି। ସତରେ କଣ ମହିଳାଙ୍କ ସମ୍ମାନଠାରୁ ଦଳ ପାଇଁ ମହାରଥୀ ଭଳି ଆସେଟ ଅତି ଗୁରୁତ୍ୱପୂର୍ଣ୍ଣ। ଭୋଟ ବ୍ୟାଙ୍କ ପାଇଁ ବିଜେଡିର ଏମିତି ନାଟକବାଜି ମହିଳାଙ୍କ ପ୍ରତି ଏକପ୍ରକାର ଅସମ୍ମାନ ନୁହେଁ।

ସେ ବାହୁବଳ ହେଉକି , ଅର୍ଥବଳ ଅବା ଦୀର୍ଘ ଶାସନର ଅହଙ୍କାର ହେଉ ପିପିଲି, ଟିକିରି ଏବଂ କୁନ୍ଦୁଲି ପୀଡ଼ିତା ସିନା ନ୍ୟାୟ ପାଇପାରିନାହାନ୍ତି, ହେଲେ ମୃତ୍ୟୁ ପରେ ଯେ, ସେମାନଙ୍କ ଆଖିର ଲୁହ ଶୁଖିନି, ସେ କଥା ବିଜେଡି ଭୁଲିଯିବା ଉଚିତ୍‌ ନୁହଁ। ଆଜିର ଘଟଣା ତା’ର ଏକ ଚେତାବନୀ।



from Odisha Reporter http://bit.ly/2VwLFNo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages