
ମୁମ୍ବାଇ: ଦେଶର ବିଭିନ୍ନ ବ୍ୟାଙ୍କର କୋଟି କୋଟି ଟଙ୍କାର ଋଣ ଖିଲାପ କରି ବିଦେଶ ଚାଲିଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ‘ପଳାତକ ଆର୍ଥିକ ଅପରାଧୀ’ ଘୋଷଣା କରିଛି ମୁମ୍ବାଇ କୋର୍ଟ। ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ବିଦେଶ ଚାଲିଯାଉଥିବା ବ୍ୟକ୍ତିମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାପାଇଁ ଗଠିତ ନୂଆ ଆଇନର ଶିକାର ହେବାରେ ସେ ପ୍ରଥମ ବ୍ୟକ୍ତି।
ଗତ କିଛି ଦିନ ମଧ୍ୟରେ ଏହା ମାଲ୍ୟାଙ୍କୁ ଦ୍ୱିତୀୟ ଝଟ୍କା। ଡିସେମ୍ବର ମାସରେ ହିଁ ଲଣ୍ଡନ୍ର ଏକ କୋର୍ଟ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ସପକ୍ଷରେ ରାୟ ଦେଇଥିଲେ। ଏହା ଫଳରେ ତାଙ୍କ ନାମରେ ଚାଲିଥିବା ଅର୍ଥ ହେରଫେର ମାମଲାର ଶୁଣାଣି ହୋଇପାରିବ।
ଷ୍ଟେଟ୍ ବ୍ୟାଙ୍କ ସମେତ ୧୨ଟି ବ୍ୟାଙ୍କରୁ ନିଜ କମ୍ପାନୀ କିଙ୍ଗଫିଶର ଏୟାରଲାଇନ୍ ପାଇଁ ବୃହତ୍ ପରିମାଣର ଋଣ ନେଇ ଏହି ଅର୍ଥକୁ ହେରଫେର କରିଥିବା ଘଟଣାରେ ତାଙ୍କ ନାମରେ ଦୁଇଟି ପୃଥକ ପୃଥକ ଅପରାଧିକ ମାମଲା ରୁଜୁ କରାଯାଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଦ୍ୱାରା ତଦନ୍ତ ଆରମ୍ଭ ହୋଇଛି।
ସେ ପଳାତକ ଆର୍ଥିକ ଅପରାଧୀ ନୁହେଁ ଏବଂ ମନିଲଣ୍ଡରିଂରେ ସମ୍ପୃକ୍ତ ନଥିବାନେଇ ବାରମ୍ବାର ଯୁକ୍ତି ଦର୍ଶାଉଥିବାବେଳେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ଏବଂ ପିଏମ୍ଏଲ୍ଏ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ସେ ସୁପ୍ରିମ୍କୋର୍ଟ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସୁପ୍ରିମ୍କୋର୍ଟ କେବଳ ମାଲ୍ୟାଙ୍କ ଆବେଦନର ପ୍ରତିକ୍ରିୟା ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ମୁମ୍ବାଇ କୋର୍ଟର ରାୟକୁ କାଏମ୍ ରଖିଥିଲେ।
ମାଲ୍ୟା ମାର୍ଚ୍ଚ ୨୦୧୬ରେ ଭାରତ ଛାଡ଼ିଥିଲେ, ଯଦିଓ ଏହି ସମୟରେ ବାଙ୍ଗାଲୋରର ଏକ କୋର୍ଟରେ ତାଙ୍କ ଋଣ ଖିଲାପକୁ ନେଇ ଶୁଣାଣି ଆରମ୍ଭ ହେବାକୁ ଥିଲା।
from Odisha Reporter http://bit.ly/2Vv6Yim
No comments:
Post a Comment