ଜଣେ ମନୋଜପ୍ରେମୀଙ୍କ ହୃଦୟର ବାର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଜଣେ ମନୋଜପ୍ରେମୀଙ୍କ ହୃଦୟର ବାର୍ତ୍ତା

କେହି ଜଣେ ବୋଧେ ଠିକ୍‌ କହିଥିଲେ, “ମନୋଜ ଦାସଙ୍କୁ ଜାଣିବାକୁ ହେଲେ ମନୋଜ ଦାସ ହେବାକୁ ପଡ଼େ, ହେଲେ ବିଡ଼ମ୍ବନା ଯେ ପ୍ରକୃତି କେବଳ ଗୋଟିଏ ମନୋଜ ଦାସ ହିଁ ସୃଷ୍ଟି କରିଛି ।” ଆଧ୍ୟାତ୍ମିକତାର ଗଭୀରତାକୁ ସରଳରେ ବୁଝାଇବାରେ ଧୂରୀଣ, କେବଳ ଜୀଇଁବାର ନାଁ ଜୀବନ ନୁହେଁ ବୋଲି ପ୍ରମାଣ କରି ଆସିଥିବା ଜଣେ ଲେଖକ କୁନି ଛୁଆଙ୍କ ମନ କଥା କେମିତି ଜାଣିପାରନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କେବେଠାରୁ ଅଶି ଛୁଇଁ ସାରିଥିବା ଚିର ସବୁଜ ଏହି ମହାନ ସାହିତ୍ୟ ସାଧକ ମନୋଜ ଦାସ ଆଜି ପୁଣି ଏକ ଫଗୁଣ ଅତିକ୍ରମ କରିଛନ୍ତି। କୁହାଯାଏ ଯୋଉ କଥା ସାମ୍ନାରେ କହି ହୁଏ ନାହିଁ, ସେଇଠି ତ ଲୋଡ଼ା ପରେ ଚିଠି। ଆଜି ମନୋଜ ଦାସଙ୍କ ଜନ୍ମତିଥିରେ ପଢ଼ନ୍ତୁ ସେଭଳି ଜଣେ ପାଠକଙ୍କ ହୃଦୟ ବାର୍ତ୍ତା, ହଁ ତାକୁ ‘ଖୋଲା ଚିଠି’ ମଧ୍ୟ କହିପାରିବେ।

ପୂଜନୀୟ ସାର,
ନୟାଗଡ଼ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ିଥିଲି ଆପଣଙ୍କ ଲିଖିତ “Lakshmi’s Adventure”। ସେହି ଛୋଟ ଝିଅଟିର କାହାଣୀ ଛଳରେ ଯେଉଁ ଭଳି ନିଷ୍ଠୁର ସମାଜର ପ୍ରତିଛବି ସାଙ୍ଗକୁ ନିଷ୍ପାପ କଳିକାଟିର କରୁଣ ପରିଣତିକୁ ଆପଣ ଆଙ୍କିଥିଲେ, ତାହା ଗଭୀର ରେଖାପାତ କରିଥିଲା ମୋ କଅଁଳ ମନରେ। ପରେ ପରେ “ସ୍ମୃତି ଓ ବିସ୍ମୃତିର ସାରନାଥ” ଲେଖାଟିକୁ ପଢ଼ିଲି। ଇଂରାଜୀରେ ଏମିତି ପ୍ରାଣସ୍ପର୍ଶୀ ଲେଖା ଲେଖିଥିବା ଲେଖକ ଜଣେ ଓଡ଼ିଆରେ ମଧ୍ୟ ଏତେ ମନଛୁଆଁ ଲେଖା ଲେଖିପାରନ୍ତି ତାହା ମୋ ଛୋଟ ବୟସର ସୀମିତ ଜ୍ଞାନଯୁକ୍ତ ମସ୍ତିସ୍କଟି ‘ସହଜରେ’ ଗ୍ରହଣ କରିନେଇ ପାରୁନଥିଲା।

ପାଠ୍ୟ ପୁସ୍ତକରେ ବିଷୟଟିଏ ପଢିବା ପରେ ପଛ ପୃଷ୍ଠାକୁ ଯାଇ ଲେଖକଙ୍କ ଠିକଣା ଦେଖିବା ଏକ ପୁରୁଣା ଅଭ୍ୟାସ ମୋର। ସେହି କ୍ରମେ ଆପଣ ଯେ ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ରହନ୍ତି ତାହା ଜାଣି, ସେଠିକି ଯାଇ କେମିତି ଥରେ ଭେଟିବାର ଛୋଟ ଇଚ୍ଛାଟିଏ ଅଙ୍କୁରିତ ହୋଇଥିଲା ମନରେ। ତେବେ କ୍ଷୁଦ୍ର ପରିସୀମା ବାହାରେ, ପଣ୍ଡିଚେରୀ ଥିଲା ମୋ ପାଇଁ ଏକ ଅପହଞ୍ଚ ଇଲାକା ସଦୃଶ। ଏଣୁ ସେଇ ଇଚ୍ଛାଟିକୁ ସେମିତି ସମାଧି ଦେଇ ଦେଇଥିଲି ମନ ଭିତରେ।

ତେବେ ସମୟ ପ୍ରକାରାନ୍ତରେ ଆପଣଙ୍କ ଅନ୍ୟ ଲେଖାସବୁର ସଂସ୍ପର୍ଶରେ ଆସିବା ପରେ, ଜୀବଦଶାରେ ଥରେ , ଗୋଟିଏ ମୁହୂର୍ତ୍ତ ପାଇଁ ହେଉ ପଛେ, ବହୁ ଦୂରରୁ ହେଉ ପଛେ, ଚର୍ମନେତ୍ରରେ ଟିକେ ଦେଖା କରିବାର ଇଚ୍ଛାଟି ଦୃଢରୁ ଦୃଢ଼ତର ହେଇ ଚାଲିଲା।

ସୌଭାଗ୍ୟକ୍ରମେ ମୋ ସ୍ୱାମୀ ମଧ୍ୟ ଆପଣଙ୍କ ଲେଖାର ଜଣେ ବଡ ପ୍ରଶଂସକ ଓ ସମାନ ଅଭିରୁଚି ତଥା ଅଭିଳାଷ ରଖିଥିବା ବ୍ୟକ୍ତି ବୋଲି ଜାଣିଲି। ଏଣୁ ଆପଣଙ୍କୁ ଭେଟିବାର ଅଦମ୍ୟ ଇଚ୍ଛା ନେଇ ପୂର୍ବରୁ ଥରେ ଦୌଡ଼ି ଆସିଥିଲୁ ପଣ୍ଡିଚେରୀ। କିନ୍ତୁ ଆପଣଙ୍କୁ ଭେଟିବାର କୌଣସି ମାଧ୍ୟମ ନ ପାଇ ଆଶ୍ରମ ଲାଇବ୍ରେରୀରେ ଅପେକ୍ଷା କରି କରି ନିରାଶ ହୋଇ ଫେରିବାକୁ ପଡିଥିଲା।

କୁହାଯାଏ ଅନ୍ତରର ସହିତ ଚାହୁଁଥିବା ଜିନିଷକୁ ଭଗବାନ ସୁଦ୍ଧା ପୂରଣ କରିବାରେ ସାହାଯ୍ୟ କରନ୍ତି। ପ୍ରଭୁ ଜଗନ୍ନାଥ ଆମର କାତର ପ୍ରାର୍ଥନା ଶୁଣିଲେ। ଆପଣଙ୍କୁ ଭେଟେଇ ଦେବାର ଜଣେ ମାଧ୍ୟମଙ୍କୁ ଆଣି ପହଞ୍ଚାଇଲେ ଆମ ସାମ୍ନାରେ। ତାଙ୍କରି ସହଯୋଗ ହେତୁ ପଣ୍ଡିଚେରୀ ଆସି ଆପଣଙ୍କୁ ଭେଟିବାର ପରମ ସୌଭାଗ୍ୟ ପ୍ରାପ୍ତି ହେଲା। ମାତ୍ର ସେ ମହାର୍ଘ୍ୟ ମୁହୂର୍ତ୍ତ ମନକୁ ଏତେ ମାତ୍ରାରେ ବିହ୍ୱଳିତ କରି ରଖିଥିଲାଯେ, ନଭିତରେ ଖୁସିର ଉଚ୍ଛଳ ତରଙ୍ଗ ଅଲୋଡ଼ିତ ହେଲାବେଳେ ମୁହଁ ଦେଇ ପଦୁଟିଏ କଥା ସୁଦ୍ଧା ସ୍ପୁରିତ ହୋଇ ପାରି ନଥିଲା। ସମୟର ଶେଷ ସୀମା ଯାଏ ଆପଣଙ୍କ ସାମ୍ନାରେ ବସି ରହି ଆପଣଙ୍କ ମୁଖ ନିସ୍ତୁତ ସେ ଦିବ୍ୟବାଣୀ ଶୁଣିବାର ଅମାପ ଲୋଭ ଥିଲେ ସୁଦ୍ଧା ଆପଣଙ୍କ ବହୁମୂଲ୍ୟ ସମୟରୁ ବିନ୍ଦୁଏ ବି ଅପଚୟ କରିବାର ଧୃଷ୍ଟତା ନକରି ବିଦାୟ ନେଇଥିଲୁ। ଏଣୁ ମନ କଥାକୁ ଏହି ଚିଠି ମାଧ୍ୟମରେ ପ୍ରକାଶ କରିବାକୁ ଚାହିଁଲି।

ଆପଣଙ୍କ ଲେଖା ପଢିହିଁ ଓଡ଼ିଆ ଭାଷା ପାଇଁ ଆଗ୍ରହ ତଥା ଅନୁସନ୍ଧିତ୍ସା। ସବୁ କ୍ଷେତ୍ରରେ ପଛୁଆ ଭାବେ ସୁପରିଚିତ ଓଡ଼ିଶାର ସାହିତ୍ୟ କ୍ଷେତ୍ରଟି କିନ୍ତୁ ଭାରି ଉନ୍ନତ। କାରଣ ଏହାର ମଙ୍ଗୁଆଳ ଆପଣଙ୍କ ଭଳି କାଳଜୟୀ ଲେଖକ। ଓଡ଼ିଆ ସାହିତ୍ୟଅକୁ ବିଶ୍ୱ ଦରବାରରେ ପରିଚିତ ଦେଇଛନ୍ତି ଆପଣ। ସହ ସହ ପାଠକଙ୍କୁ ଓଡ଼ିଆ ସାହିତ୍ୟମୁଖୀ କରିଛି ଆପଣଙ୍କ ଗଳ୍ପ କଥନ ଶୈଳୀର ବିଚକ୍ଷଣତା, ରସିକତା, ବିବିଧତା ତଥା ଅଲୌକିକତା। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ, ବୟସ ନିର୍ବିଶେଷରେ ବହୁବିଧ ପାଠକଙ୍କୁ ବିମଳ ଆନନ୍ଦ ପ୍ରଦାନ କରିଥାଏ ଆପଣଙ୍କ ସୃଜନୀ।

ଓଡ଼ିଆ ଜାତିକୁ କଙ୍କଡ଼ା ବୋଲି କିଏ, କାହିଁକି, ଆଉ କେଉଁ ପରିପ୍ରେକ୍ଷୀରେ କହିଥିଲା ମୁଁ ଜାଣେନା। କିନ୍ତୁ “ମନୋଜାୟନ” ବହିଟିକୁ ପଢିବା ପରେ ସମସାମୟିକ ଅତ୍ୟନ୍ତ ପ୍ରସିଦ୍ଧ ଲେଖକମାନଙ୍କର ଆଉ ଜଣେ ସହିତ୍ୟକଙ୍କ ପ୍ରତି ଏତେ ସମ୍ମାନ, ଶ୍ରଦ୍ଧା, ଅନାବିଳ ଭଲପାଇବାର ନିଦର୍ଶନ ଦେଖିବାପରେ, ସେହି କଙ୍କଡା ଉକ୍ତିଟି ମୋତେ ସମ୍ପୁର୍ଣରୂପେ ଭିତ୍ତିହୀନ ମନେ ହୋଇଥିଲା। ଯେଉଁ ଜାତି ଜଣେ ଲେଖକଙ୍କ ପ୍ରଶଂସାରେ ଚାରି ଶହ ବୟାଅଶି ପୃଷ୍ଠାର ଏକ ବହି ଲେଖି ଦେଇପାରେ, ସେ ଜାତି କଣ ସତରେ କଙ୍କଡ଼ା କୁହାଯିବାର ଯୋଗ୍ୟ?

ଏ ତ ଗଲା ପୁରୁଣା ସମୟର କଥା। ଏବେକାର ସମୟରେ ଆପଣଙ୍କର ଲୋକପ୍ରିୟତାର କଥା କହେ www.worldofmanojdas.in ୱେବସାଇଟ୍‌ଟି। କୌଣସି ପାରିଶ୍ରମିକ ତଥା ପରିଚୟର ଆଶା ନରଖି, ନିସ୍ୱାର୍ଥପର ଭାବରେ ନିଜ ପ୍ରିୟ ଲେଖକଙ୍କ ସୃଷ୍ଟି ସବୁକୁ ଏକତ୍ର ତଥା ସମୟପଯୋଗୀ କରି ବିଦଗ୍ଧ ପାଠକଙ୍କ ସାମ୍ନାରେ ରଖିବାର ପ୍ରଚେଷ୍ଟାରେ ଅହରହ ବ୍ରତୀ କିଛି ଦୃଢ ପ୍ରଶଂସକ ଆପଣଙ୍କର। ସାହିତ୍ୟର ଇତିହାସରେ ନିଜ ପ୍ରିୟ ଲେଖକଙ୍କ ପାଇଁ ଏଭଳି ନିଚ୍ଛକ ଭଲପାଇବା ବୋଧହୁଏ ବିରଳ।

ଏତେ ମାନ, ସମ୍ମାନ, ଯଶ, ପ୍ରତିଷ୍ଠାର ଅଧିକାରୀ ଯେ ଜଣେ ସରଳ, ବିନୟୀ, ଅମୟୀକ ମଣିଷ, ତାହା ଭେଟିଥିବା ଲୋକ ଜଣେହିଁ କହିପାରିବ। ଦୂରଦୂରାନ୍ତରୁ ଅନୁସନ୍ଧିତ୍ସା ମନ ନେଇ ଛୁଟି ଆସିଥିବା ପାଠକଟିଏ ଆପଣଙ୍କ ସରଳ, ନିରାଡ଼ମ୍ବର ଜୀବନ ଶୈଳୀରେ ଆଶ୍ଚର୍ଯ୍ୟ ଚକିତ ହୋଇପଡିବା ସ୍ୱାଭାବିକ। ସାମ୍ନାରେ ବସିଥିବା ସାଧାରଣ ମଣିଷଟିଏକୁ ଆପଣଙ୍କର ସେ ଭାବଗମ୍ଭୀର, ଧୀଶକ୍ତି ସଂପନ୍ନ ମାର୍ଜିତ କଥା ବାର୍ତ୍ତା, ସକାରାତ୍ମକ ଉର୍ଜା ତଥା ଦେବ ପ୍ରତୀମ ଅଭା ମୋହାଛନ୍ନ କରି ରଖିବା ନିଶ୍ଚିତ। କେଜାଣି ଏ ଧରିତ୍ରୀ ଆଉ ଏକ ମନୋଜ ଦାସଙ୍କୁ ଜନ୍ମ ଦେଇ ପାରିବ କି ନା!

ଆପଣଙ୍କ ଅମୃତ ଲେଖନୀରୁ ଏହିଭଳି ଆହୁରି ଅନେକ ସାରସ୍ୱତ ଦିବ୍ୟ ସୃଷ୍ଟିର ଧାରା ଜାରି ରହୁ ଓ ମୋ ଭଳି କୋଟି କୋଟି ପାଠକଙ୍କୁ ସହିତ୍ୟକାଶରେ ଧ୍ରୁବ ତାରା ସଦୃଶ ଉତ୍ତମ ଦିଗଦର୍ଶନ ଦେଉ।
ସୁସ୍ବାସ୍ଥ୍ୟ ତଥା ସୁଦୀର୍ଘ ଜୀବନର କାମନା କରି, ସରସ୍ବତୀଙ୍କ ବରପୁତ୍ରଙ୍କୁ ପ୍ରଣାମ ଜଣାଇ ରହୁଛି। ଇତି।
ଆପଣଙ୍କ ବାରମ୍ବାର ଦର୍ଶନାଭିଳାଷୀ,

ଲିପ୍ସା ପଣ୍ଡା
ସ୍ମୃତିସିକ୍ତା, ହାଇଦ୍ରାବାଦ
Email: lipsa.171@gmail.com



from Odisha Reporter https://ift.tt/2EghbaI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages