
ଉମରକୋଟ (କାର୍ତ୍ତିକ ମଲ୍ଲିକ): ବାହାଘର ପାଇଁ ବରଯାତ୍ରୀମାନେ ଆସୁଥିଲେ। ହେଲେ ଝିଅ ଘର ପହଞ୍ଚିବା ପୂର୍ବରୁ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯିବା ଫଳରେ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ଭିତରେ ମହିଳା ଓ ପିଲା ଅଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ଛତିଶଗଡ଼ ଦେଓବୁକର ଆତ୍ମାରାମଙ୍କ ସହିତ ରାଇଘର ବ୍ଲକ ହଳଦୀ ଗାଁର ଉମେଙ୍କ ବାହାଘର ଠିକ୍ ହୋଇଥିଲା। ଆଜି ବରଯାତ୍ରୀମାନେ ଏକ ବସ୍ରେ ହଳଦୀ ଗାଁକୁ ଆସୁଥିଲେ। ବସ୍ରେ ୨୫ରୁ ଅଧିକ ବରଯାତ୍ରୀ ଥିଲେ। ତେବେ ବସ୍ଟି ଝରିଗାଁ ବ୍ଲକ୍ ହାତୀବାଡ଼ି ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା।
ଫଳରେ ବସ୍ ଚାଳକ ରୋହିତ ଗୌଡ଼ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ବରଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
from Odisha Reporter https://ift.tt/2F73FYw
No comments:
Post a Comment