
ନୂଆଦିଲ୍ଲୀ: ସଫ୍ଟୱେର ସମ୍ରାଟ ମାଇକ୍ରୋସଫ୍ଟର ଏକ୍ସେଲ ଆପ୍ ଏବେ ଗୁଗଲ ପ୍ଲେ ଷ୍ଟୋରରେ ହଟହଟା ହୋଇଛି। ଏପରି ସ୍ଥିତି ନିଜ ଭୁଲ ପାଇଁ ନୁହେଁ, ବରଂ ‘ସର୍ଫ ଏକ୍ସେଲ’ର ଭୁଲ ପାଇଁ ଉପୁଜିଛି। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ର ଡିଟରଜେଣ୍ଟ ବ୍ରାଣ୍ଡ ‘ସର୍ଫ ଏକ୍ସେଲ’ର ହୋଲି ବିଜ୍ଞାପନ ପ୍ରତି ଲୋକଙ୍କ ଆକ୍ରୋଶ ଏବେ ‘ମାଇକ୍ରୋସଫ୍ଟ ଏକ୍ସେଲ’ ଆଡ଼କୁ ମୁହାଁଇଛି।
ଏହି ବିଜ୍ଞାପନ ହିନ୍ଦୁଙ୍କ ଧାର୍ମିକ ମନୋଭାବକୁ ଆଘାତ ପହଞ୍ଚାଉଥିବା ଦର୍ଶାଇ ଲୋକେ #BoycottSurfExcel ଏବଂ #BoycottHindustanUniliver ଆଦି ହ୍ୟାଶ୍ ଟ୍ୟାଗ୍ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଏହା ବର୍ତ୍ତମାନ ଟ୍ୱିଟର ପ୍ରମୁଖ ପ୍ରସଙ୍ଗ ପାଲଟିଥିବାବେଳେ ଏହି ଆକ୍ରୋଶ ଗୁଗଲ ପ୍ଲେଷ୍ଟୋର କ୍ଷେତ୍ରରେ ଭିନ୍ନ ରୂପ ନେଇଛି। ଲୋକେ ସମସ୍ତ ଆପ୍ଲିକେଶନ୍ରେ ଏକ୍ସେଲର ନାମ ଖୋଜିବା ବେଳକୁ ‘ମାଇକ୍ରୋସଫ୍ଟ ଏକ୍ସେଲ’କୁ ପାଇ ଏହାକୁ ‘ଡାଉନ୍ରେଟ୍’ କରି ଚାଲିଛନ୍ତି ବା ନକାରାତ୍ମକ ରେଟିଂ ଦେଇଚାଲିଛନ୍ତି।
ବିନା କୌଣସି ଦୋଷରେ ମାଇକ୍ରୋସଫ୍ଟ ଏକ୍ସେଲକୁ ଏବେ ‘ଆଣ୍ଟି ନ୍ୟାସନାଲ’ ବା ରାଷ୍ଟ୍ର ବିରୋଧୀ ଆଖ୍ୟା ଦେଇ ମତାମତ ଦିଆଯାଉଛି। ଅନ୍ୟପକ୍ଷରେ ଏହାକୁ କାଉଣ୍ଟର କରିବା ପାଇଁ କିଛି ଲୋକେ ଏହି ଆପ୍କୁ ୫ ଷ୍ଟାର ରେଟିଂ ଦେବା ଆରମ୍ଭ କରିଛନ୍ତି।
ତେବେ ଏଭଳି ଘଟଣା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଅନ୍ଲାଇନ୍ ଶପିଂ ପ୍ଲାଟଫର୍ମ ‘ସ୍ନାପ୍ଚାଟ୍’ ବଦଳରେ ‘ସ୍ନାପ୍ଡିଲ୍’କୁ ସମାଲୋଚିତ ହେବାକୁ ପଡ଼ିଥିଲା। ‘ସ୍ନାପ୍ଚାଟ୍’ର ସିଇଓ ଭାରତ ବାବଦରେ କୌଣସି ଏକ ବିବାଦୀୟ ମନ୍ତବ୍ୟ ଦେବାରୁ ଏହା ଆରମ୍ଭ ହୋଇଥିଲା। ଏପରିକି କିଛି ଲୋକେ ‘ସ୍ନାପ୍ଡିଲ୍’ର ଆପ୍ ଅନ୍ଇନ୍ଷ୍ଟଲ୍ କରିବା ଆରମ୍ଭ କରିଦେଇଥିଲେ।
from Odisha Reporter https://ift.tt/2TIsphT
No comments:
Post a Comment