
ନୂଆଦିଲ୍ଲୀ: କିଛି ସ୍ଥାନରେ ହିଂସା ଏବଂ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ ସତ୍ତ୍ୱେ ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬୨.୫୬% ଭୋଟର ମତଦାନ କରିପାରିଛନ୍ତି। ୭ଟି ରାଜ୍ୟର ୫୧ଟି ନିର୍ବାଚନମଣ୍ଡଳୀରେ ଏହି ପର୍ଯ୍ୟାୟରେ ଭୋଟ୍ଗ୍ରହଣ ଅନୁଷ୍ଠିତ ହେଉଥିଲା। ତେବେ ଏହି ପର୍ଯ୍ୟାୟରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ମୃତି ଇରାନୀଙ୍କ ଭାଗ୍ୟ ମଧ୍ୟ ଇଭିଏମ୍ରେ ସିଲ୍ ହୋଇସାରିଛି।
ଉତ୍ତରପ୍ରଦେଶରେ ୧୪ଟି ଆସନ, ରାଜସ୍ଥାନରେ ୧୨ଟି ଆସନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୭ଟି ଲେଖାଏ ଆସନ, ବିହାରରେ ୫ଟି ଏବଂ ଝାରଖଣ୍ଡରେ ୪ଟି ଆସନ ପାଇଁ ଆଜି ଭୋଟ୍ଗ୍ରହଣ କରାଯାଇଛି। ଜମ୍ମୁକଶ୍ମୀର ଲଦାଖ ଏବଂ ଅନନ୍ତନାଗ ଭଳି ଅତି ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ଏହି ପର୍ଯ୍ୟାୟରେ ଭୋଟର ନିଜର ମତଦାନ କରିଛନ୍ତି। କଶ୍ମୀର ଡିଭିଜନ୍ରୁ ଅଲଗା ହେବାପରେ ଲଦାଖରେ ଏଥର ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି।
ଏହି ପର୍ଯ୍ୟାୟ ବିଜେପି ଏବଂ ଏହାର ଏନ୍ଡିଏ ମେଣ୍ଟ ସହଯୋଗୀଙ୍କ ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ୨୦୧୪ ନିର୍ବାଚନରେ ଏହି ଆସନ ସବୁରୁ ଏନ୍ଡିଏ ୪୦ଟି ଆସନ ପୋଛି ନେଇଥିଲା। କଂଗ୍ରେସ ଏଥିରୁ ମାତ୍ର ୨ଟି ପାଇଥିଲା ଏବଂ ବାକି ଆସନ ତୃଣମୂଳ କଂଗ୍ରେସ ପରି ଅନ୍ୟ ବିରୋଧୀ ଦଳ ମାନେ ହାତେଇଥିଲେ। ତୃଣମୂଳ କଂଗ୍ରେସ ଏଥିରୁ ମୋଟ ୭ଟି ଆସନ ହାତେଇଥିଲା। କଂଗ୍ରେସ ଜିତିଥିବା ୨ଟି ଆସନ ହେଉଛି ରାଏ ବରେଲୀ ଏବଂ ଆମେଠି। ଉତ୍ତରପ୍ରଦେଶର ୮୦ ଆସନରୁ ମାତ୍ର ଦୁଇଟି ଆସନରେ କଂଗ୍ରେସ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲା।
ଆଜିର ନିର୍ବାଚନରେ ମୁଖ୍ୟତଃ ପଶ୍ଚିମବଙ୍ଗ ଏବଂ ଜମ୍ମୁକଶ୍ମୀରରେ ହିଂସା ଦେଖିବାକୁ ମିଳିଥିଲା। ଜମ୍ମୁକଶ୍ମୀରର ପୁଲ୍ୱାମା ଜିଲ୍ଲାରେ ଗ୍ରେନେଡ୍ ମାଡ଼ କରାଯାଇଥିବାବେଳେ ପଶ୍ଚିମବଙ୍ଗରେ ଜଣେ ବିଜେପି ନେତାଙ୍କୁ ଟାର୍ଗେଟ୍ କରି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶରେ କିଛି ଇଭିଏମ୍ ଟ୍ୟାମ୍ପରିଂ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଲଢ଼ୁଥିବା ବିଜେପିର ସ୍ମୃତି ଇରାନୀ ମଧ୍ୟ ଅଭିଯୋଗ ଆଣିଥିଲେ ସେଠାରେ ବୁଥ୍ ରିଗିଂ ହେଉଥିଲା। ଇରାନୀ ଏକ ଭିଡିଓ ମଧ୍ୟ ଶେୟାର କରିଥିଲେ ଯେଉଁଥିରେ ଜଣେ ବୃଦ୍ଧା ଅଭିଯୋଗ ଆଣିଥିଲେ ଯେ, ବୁଥ୍ରେ ସେ ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ଇଚ୍ଛୁକ ଥିଲେ ମଧ୍ୟ ଜୋର କରି ତାଙ୍କୁ ହାତ ଚିହ୍ନରେ ଭୋଟ୍ ଦେବାକୁ ବାଧ୍ୟ କରାଯାଇଥିଲା। ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।
ଆସନ୍ତା ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ପାଇଁ ଭୋଟ୍ଗ୍ରହଣ ହେବ। ମେ ୧୯ ତାରିଖରେ ସପ୍ତମ ବା ଅନ୍ତିମ ପର୍ଯ୍ୟାୟର ଭୋଟ୍ଗ୍ରହଣ ହେବ। ଏପ୍ରିଲ ୧୧ ତାରିଖରୁ ମେ ୧୯ ମଧ୍ୟରେ ୯୦କୋଟି ଭୋଟରଙ୍କ ପାଇଁ ମତଦାନ ଅନୁଷ୍ଠିତ ହେଉଛି। ଆସନ୍ତା ୨୩ ତାରିଖରେ ଭୋଟ୍ ଗଣତି ହେବାର ତାରିଖ ନିର୍ଦ୍ଧାରଣ କରାଯାଇଛି। ଏହାର ୧୦ ଦିନ ପରେ ବର୍ତ୍ତମାନର ସଂସଦର ଅବଧି ସରିବ।
from Odisha Reporter http://bit.ly/2VfvhVf
No comments:
Post a Comment