
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ରେ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ଭୁବନେଶ୍ୱର। ଏଥିରୁ ବର୍ତ୍ତିନି କଳିଙ୍ଗ ଷ୍ଟାଡିୟମ। ଆସନ୍ତା ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ମଧ୍ୟ ହୋଇସାରିଥିଲା।
କିନ୍ତୁ ‘ଫୋନି’ର ପ୍ରଭାବରେ କଳିଙ୍ଗ ଷ୍ଟାଡିୟମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ପାଇଁ ଆଉ ମାସେ ସମୟ ବାକିଥିବାରୁ କଳିଙ୍ଗ ଷ୍ଟାଡିୟମକୁ ମ୍ୟାଚ୍ ଉପଯୋଗୀ କରାଇବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି। ଯଦି ରାଜ୍ୟ ସରକାର ଷ୍ଟାଡିୟମକୁ ମ୍ୟାଚ୍ ପାଇଁ ପ୍ରସ୍ତୁତ ନକରି ପାରିଲେ, ତାହେଲେ ଟୁର୍ଣ୍ଣାମେଣ୍ଟ ଏଠାରୁ ସ୍ଥାନାନ୍ତର ହେବ।
ଏହି ମାମଲାରେ ହକି ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, `ଆମ ହାତରେ ଏବେ ତିନି ସପ୍ତାହରୁ କମ୍ ସମୟ ବାକି ରହିଲା। ବିଦେଶୀ ଟିମଗୁଡ଼ିକ ମେ’ ୨୯ ଓ ୩୦ ତାରିଖ ସୁଦ୍ଧା ପହଞ୍ଚିଯିବେ। ତେଣୁ ଭେନ୍ୟୁ ନେଇ ଆମେ ଦିନେ କିମ୍ବା ଦୁଇଦିନ ମଧ୍ୟରେ ସ୍ଥିର କରିବୁ।’
ଏଫଆଇଏଚ୍ ସିରିଜ୍ ଫାଇନାଲ୍ ଦୌଡ଼ରେ ଲକ୍ଷ୍ନୌ ଓ ରାୟପୁର ରହିଥିବା ବେଳେ ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ ପୁନେରେ କିଛି ନା କିଛି ସମସ୍ୟା ରହିଛି। ଏ ନେଇ ହକି ଇଣ୍ଡିଆ ଅଫିସିଆଲ୍ସ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀର ଟର୍ଫରେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ସେହିପରି ବେଙ୍ଗାଲୁରୁରେ ଦର୍ଶକଙ୍କ ପାଇଁ ଗ୍ୟାଲେରୀ ନାହିଁ। ଅପରପକ୍ଷରେ ମହାରାଷ୍ଟ୍ରରେ ବିବାଦ କାରଣରୁ ହକି ଇଣ୍ଡିଆ ସେଠାରେ ଇଭେଣ୍ଟ ଆୟୋଜନ କରିବାକୁ ଅନୁମତି ଦେବ ନାହିଁ।
ତେଣୁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଲକ୍ଷ୍ନୌ ଓ ରାୟପୁର ଉପଯୁକ୍ତ ଭେନ୍ୟୁ ବୋଲି ହକି ଇଣ୍ଡିଆର ଅଧିକାରୀ ଜଣକ କହିଛନ୍ତି। ଏହା ପୂର୍ବରୁ ରାୟପୁର ୨୦୧୫ରେ ହକି ୱାର୍ଲ୍ଡ ସିରିଜ୍ ଫାଇନାଲ୍ସ ଆୟୋଜନ କରି ବେଶ୍ ପ୍ରଶଂସା ସାଉଁଣ୍ଟି ଥିଲା। କିନ୍ତୁ ଏପର୍ଯ୍ୟନ୍ତ ହକି ଇଣ୍ଡିଆ ପକ୍ଷରୁ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଆୟୋଜନ ନେଇ କୌଣସି ସୂଚନା ମିଳିନାହିଁ।
Bhubaneswar's Kalinga stadium roof blown off. #CycloneFani pic.twitter.com/AT7biLh13J
— Priyarag Verma (@priyarag) May 3, 2019
from Odisha Reporter http://bit.ly/2IXA0Ek
No comments:
Post a Comment