ବିଜେଡି ଉତ୍ତରାଧିକାରୀଙ୍କ ପାଇଁ ହିଞ୍ଜିଳି ଛାଡ଼ିପାରନ୍ତି ନବୀନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ବିଜେଡି ଉତ୍ତରାଧିକାରୀଙ୍କ ପାଇଁ ହିଞ୍ଜିଳି ଛାଡ଼ିପାରନ୍ତି ନବୀନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି। ଚଳିତ ନିର୍ବାଚନରେ ନବୀନ ଏକକାଳୀନ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବୃହତ୍ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତେବେ ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ ନବୀନଙ୍କ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ, ତା’କୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ଦୂର କରିବା ପାଇଁ ବିଜେଡି ଏକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛି। ଆଉ ସେହି ଆଧାରରେ ବିଜେଡିର ଉତ୍ତରାଧିକାରୀଙ୍କ ପାଇଁ ନବୀନ ନିଜର ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନକୁ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଚଳିତ ନିର୍ବାଚନରେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହିତ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବୃହତ୍ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିୟମ ଦୃଷ୍ଟିରୁ ନବୀନଙ୍କୁ ଗୋଟିଏ ବିଧାନସଭା ଆସନ ଛାଡ଼ିବାକୁ ପଡ଼ିବ। ବିଜେଡି ସୂତ୍ର ଅନୁସାରେ, ନିର୍ବାଚନବେଳେ ଦଳ ସୁଚିନ୍ତିତ ରଣନୀତି ଆଧାରରେ ନବୀନଙ୍କୁ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରାଇବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଚଳିତ ନିର୍ବାଚନରେ ବିଜେଡିର ଉତ୍ତରାଧିକାରୀ(ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ)ଙ୍କୁ ଯାଜପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିବାକୁ ଯୋଜନା ଥିଲେ ମଧ୍ୟ ବିଜେପିର କଡ଼ା ଆଭିମୁଖ୍ୟକୁ ଦେଖି ତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ବିଜେଡି ରଣନୀତିକାର ସାହସ କରିପାରିନଥିଲେ। ଆଉ ଶେଷ ମୁହୂର୍ତ୍ତରେ ନବୀନଙ୍କୁ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ କରାଇବା ନିମନ୍ତେ ଦଳ ପକ୍ଷରୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

ପୂର୍ବ ନିର୍ଦ୍ଧାରିତ ରଣନୀତି ଅନୁଯାୟୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ବର୍ଗର ନାଗରିକଙ୍କୁ ନବୀନ ନିବାସ ଅଣାଯାଇ ନବୀନଙ୍କ ପାଖରେ ପଶ୍ଚିମ ଓଡ଼ିଶାରୁ ଲଢ଼ିବା ପାଇଁ ଅନୁରୋଧ ରଖାଗଲା, ଯାହାକୁ ନବୀନ ୨୪ଘଣ୍ଟା ମଧ୍ୟରେ ସ୍ୱୀକାର କରି ବିଜେପୁର ବିଧାନସଭା ଆସନରୁ ଲଢ଼ିବାକୁ ଘୋଷଣା କଲେ। ଏବେ ନବୀନ ହିଞ୍ଜିଳିରେ ୬୦ହଜାର ଓ ବିଜେପୁରରେ ୫୭ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହେବାପରେ ବିଜେଡି ରଣନୀତିକାର ନିଜର ଅଧାଅଧୁରା ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ୨୦୦୦ ମସିହାରୁ ହିଞ୍ଜିଳି ଆସନରୁ ବିଜୟୀ ହେଉଥିବା ନବୀନ ବିଜେପୁର ଆସନକୁ ନିଜ ପାଖରେ ରଖି ହିଞ୍ଜଳିରୁ ଇସ୍ତଫା ଦେବେ। ନବୀନ ପଶ୍ଚିମ ଓଡ଼ିଶାରେ ପ୍ରତିନିଧିତ୍ୱ କଲେ ସେଠାରେ ଦଳର ସଂଗଠନ ପୂର୍ବ ତୁଳନାରେ ସୁଦୃଢ଼ ହେବ। ଆଉ ବିଜେପୁରର ପୂର୍ବତନ ବିଧାୟକ ରୀତା ସାହୁଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷା କିମ୍ବା ରାଜ୍ୟସଭା ସଦସ୍ୟ ଭାବେ ଥଇଥାନ କରାଯାଇପାରେ।

ଅନ୍ୟପକ୍ଷରେ, ବିଜେଡିର ଉତ୍ତରାଧିକାରୀ ଭାବେ ନିଜ ପୁତୁରା(ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ) ଅରୁଣ ପଟ୍ଟନାୟକଙ୍କୁ ହିଞ୍ଜିଳିରେ ଉପନିର୍ବାଚନ ଲଢ଼ାଇ ତାଙ୍କୁ ରାଜନୀତିକ ମଇଦାନକୁ ଆଣିବେ ବୋଲି ଏକ ସୂତ୍ର କହିଛି। ନବୀନଙ୍କ ସକ୍ରିୟ ନେତୃତ୍ୱରେ ହିଁ ଅରୁଣଙ୍କୁ ବିଜେଡିରେ ‘ରାଜ୍ୟାଭିଷେକ’ କରାଯିବାର ମାର୍ଗ ପ୍ରଶସ୍ତ ହେବ। ଅରୁଣଙ୍କ ହାତରେ ସଂଗଠନର ଦାୟିତ୍ୱ ଦେଇ ନବୀନ କେବଳ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ୨୦୧୪ରେ ଚତୁର୍ଥଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ସମାରୋହରେ ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟ(ଭାଇ କିମ୍ବା ପୁତୁରା)ଙ୍କୁ ଦେଖିବାକୁ ମିଳିନଥିଲା। କେବଳ ବଡ଼ ଭଉଣୀ ଗୀତା ମେହେଟ୍ଟା ହିଁ ଶପଥ ସମାରୋହରେ ଉପସ୍ଥିତ ଥିଲେ। ମାତ୍ର ଆସନ୍ତା ୨୯ତାରିଖରେ ପଞ୍ଚମଥର ନବୀନଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମାରୋହରେ ଗୀତା ମେହେଟ୍ଟା ଓ ଅରୁଣ ପଟ୍ଟନାୟକଙ୍କ ସମେତ ବିଜୁ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ତେବେ ବିଜେଡିର ଏହି ବ୍ଲୁ-ପ୍ରିଣ୍ଟ ବିଜୁ ପରିବାରର ସାମୁହିକ ନିଷ୍ପତ୍ତି ଓ ଗୀତା ମେହେଟ୍ଟାଙ୍କ ସକ୍ରିୟତା ଉପରେ ନିର୍ଭର କରୁଛି ବୋଲି ଚର୍ଚ୍ଚା।



from Odisha Reporter http://bit.ly/2MoZjSz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages