ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍ ଉପଭୋକ୍ତାଙ୍କ ମୁଣ୍ଡରେ ପଡ଼ିପାରେ ଚଡ଼କ। ଚଳିତ ବର୍ଷ ବଢ଼ିପାରେ ବିଦ୍ୟୁତ୍ ଦର । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପୂର୍ବ ଆଦେଶର ପୁନଃବିଚାର କରିବାକୁ ଗ୍ରୀଡକୋ ଗତ ମେ’ ୨୩ ତାରିଖରେ ଓଇଆରସିଙ୍କ ଦ୍ୱାରସ୍ତ ହୋଇଛି। ରାଜସ୍ୱ କ୍ଷତି ଭରଣା କରିବା ଆଳ ଦେଖାଇ ରାଜ୍ୟ ସରକାର ବିଦ୍ୟୁତ୍ ଦର ବଢ଼ାଇବା ନେଇ ଚିନ୍ତା କରୁଛନ୍ତି ।
୨୦୧୯-୨୦ ବର୍ଷ ନିମନ୍ତେ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ ବୋଲି ଗତ ମେ’ ୨୩ ତାରିଖରେ OERC ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଗତ ୨୦ ତାରିଖରେ ବିଦ୍ୟୁତ୍ ଦର ବଢ଼ାଇବା ନିମନ୍ତେ ଓଇଆରସିଙ୍କ ନିକଟରେ ଗ୍ରୀଡକୋର ଆବେଦନ ପରେ ସମସ୍ତଙ୍କ ମନରେ ଛନକା ପଶି ଯାଇଛି। ଚଳିତ ବର୍ଷ ବିଦ୍ୟୁତ୍ ଦର ବଢ଼ିବା ନେଇ ସୃଷ୍ଟି ହେଲାଣି ଶଙ୍କା।
ଗତ ୨୦ ତାରିଖରେ ଗ୍ରୀଡକୋ OERC ପାଖରେ କରିଥିବା ସାନି ଆବେଦନ ନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ ରାଜ୍ୟର ବିଦ୍ୟୁତ୍ ଦର ନିର୍ଦ୍ଧାରଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ OERC ହାତରେ ରହିଛି। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯାହା ଠିକ୍ ହେବ ସେ ନେଇ OERC ନିଷ୍ପତ୍ତି ନେବ।”
ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଚାଲିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାତ୍ୟା ‘ଫୋନି’ ମାଡ଼ରେ ଏବେ ସୁଦ୍ଧା ରାଜ୍ୟର ଅନେକ ଗାଁରେ ବିଦ୍ୟୁତ୍ ସେବା ପହଞ୍ଚି ପାରି ନଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ବିଦ୍ୟୁତ୍ ଦର ବୃଦ୍ଧିକୁ ଗ୍ରାହକ କିପରି ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
from Odisha Reporter https://ift.tt/2Likvpt
No comments:
Post a Comment