ପୁରୀ(ମଧୁସୂଦନ ମିଶ୍ର): ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାରଙ୍କ ଘୋଷଣା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଏଥିଯୋଗୁ ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
ଏହାପରେ ସମୁଦ୍ର ସମ୍ମୁଖରେ ଥିବା ବଳିଆପଣ୍ଡାର ୧ ଏକର ୫୩ ଡିସିମିଲ୍ ଜମିରେ ହୋଇଥିବା ‘ଯାତ୍ରିକା’ ନାମକ ଗେଷ୍ଟ ହାଉସ୍କୁ ପୁରୀ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି।
ଆଜି ସକାଳେ ବୁଲଡୋଜର ସହ ଉପଜିଲ୍ଲାପାଳ ଓ ପୌର ପରିଷଦ କର୍ମଚାରୀ ପହଞ୍ଚି ଭଙ୍ଗା କାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀର ‘ଯାତ୍ରିକା’ ଟ୍ରଷ୍ଟ ପକ୍ଷରୁ ୧୯୮୪ରେ ଏହି ଯାତ୍ରିକା ନିର୍ମାଣ ହୋଇଥିଲା । ଏହାର ୩୦ ବର୍ଷର ଲିଜ୍ ଥିଲା। ୨୦୧୪ ମସିହାରେ ଲିଜ୍ ଅବଧି ସରିଯାଇଥିବାରୁ ପ୍ରଶାସନ ପକ୍ଷରୁ ଏଠାରୁ ଉଚ୍ଛେଦ ଆରମ୍ଭ ହୋଇଛି। ଏହି ଜାଗାରେ ବହୁତଳ ପ୍ରାସାଦ ପାର୍କିଂ ପ୍ଲେସ ଓ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨୬୫ କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ ହେବ।
ଏନେଇ ଉପଜିଲ୍ଲାପାଳ କହିଛନ୍ତି,“ ଯାତ୍ରିକା ସରକାରୀ ଜାଗା ଉପରେ ଅବସ୍ଥାପିତ। ୨୦୧୪ ମସିହାରୁ ‘ଯାତ୍ରିକା‘ର ଲିଜ୍ ସରିଯାଇଛି। ଯେହେତୁ ଦୀର୍ଘ ୫ ବର୍ଷ କାଳ ବେଆଇ ଭାବେ ଏହି ଜାଗାକୁ ଦଖଲ କରି ରଖିଥିଲେ। ସେଥିପାଇଁ ପୁରୀ ତହସିଲ ପକ୍ଷରୁ ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।”
from Odisha Reporter https://ift.tt/325gqf3
No comments:
Post a Comment