ନୂଆଦିଲ୍ଲୀ: ଆତ୍ମହତ୍ୟା ଧମକ ଦେଇ ୧୦ ମହଲା ବିଶିଷ୍ଟ ହୋଟେଲ୍ର ଛାତ ଉପରକୁ ଚଢ଼ି ଯାଇଥିବା ଟିକ୍ ଟକ୍ ଷ୍ଟାର୍ ସନ୍ଦୀପ୍ ଓରଫ୍ ଅରମାନ୍ ମଲିକ ରବିବାର ରାତି ତମାମ ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ନାକେଦମ କରି ଦେଇଥିଲେ। ୧୮ ଘଣ୍ଟା ପରେ ଆଜି ସକାଳେ ତାଙ୍କୁ ସୁରକ୍ଷିତ ଭାବେ ଛାତରୁ ତଳକୁ ଅଣାଯାଇଥିଲା।
ସନ୍ଦୀପ୍ ‘ଟିକ୍ ଟକ୍’ରେ ଭାରି ଫେମସ୍। ଏଥିରେ ତାଙ୍କର ଫଲୋଅର୍ ସଂଖ୍ୟା ପ୍ରାୟ ୫୦ ଲକ୍ଷ। ଗତକାଲି ସେ ତାଙ୍କ ଆତ୍ମହତ୍ୟା ଉଦ୍ୟମର ଭିଡିଓ ବି ଟିକ୍ ଟକ୍ରେ ପକାଇ ଥିଲେ, ଯାହା ଭାଇରାଲ୍ ହୋଇଥିଲା। ସେ ମୋଟ୍ ତିନିଟି ଭିଡିଓ ଅପ୍ଲୋଡ୍ କରିଥିଲେ।
ସେ ଟିକ୍ ଟକ୍ରେ ଅପ୍ଲୋଡ୍ କରିଥିବା ତିନିଟି ଭିଡିଓ ମଧ୍ୟରୁ ଗୋଟିକରେ କହିଛନ୍ତି,‘ମୋ ସ୍ତ୍ରୀ ପାୟଲ ଓ ତାଙ୍କ ଘର ଲୋକେ ମୋ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି।’ ସେ ଏଥିରେ ତାଙ୍କ ଘରୋଇ ସହାୟିକା ଓ ନୀରଜ ନାମକ କୌଣସି ବ୍ୟକ୍ତିଙ୍କ ନାମ ବି ନେଇଛନ୍ତି। ଅନ୍ୟ ଏକ ଭିଡିଓରେ ସେ ତାଙ୍କ ସୁଇସାଇଡାଲ୍ ନୋଟ୍କୁ ମଧ୍ୟ ଦେଖାଇଛନ୍ତି। ଏଥିରେ ସେ ତାଙ୍କ ଏମିତି ପଦକ୍ଷେପ ପାଇଁ ତାଙ୍କ ପତ୍ନୀ ପାୟଲଙ୍କ ଦୁଇ ଭଉଣୀଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ବଦନାମ କରିବା ପାଇଁ ତାଙ୍କ ଉପରେ ଦୁଷ୍କର୍ମ ଭଳି ଅଭିଯୋଗ ଲଗାଯାଇଛି।
ପୁଲିସ୍ର କହିବା ଅନୁଯାୟୀ, ସନ୍ଦୀପ ଅହମଦାବାଦ୍ର ବାସିନ୍ଦା। ତାଙ୍କ ନାଁରେ ଦିଲ୍ଲୀର ନିହାଲ ବିହାରର ଥାନାରେ ଏକ ମାମଲା ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେ ଯେଉଁ ହୋଟେଲ୍ ଛାତରେ ଚଢ଼ି ଥିଲେ, ସେଠାକୁ ସେ ତାଙ୍କର ଜଣେ ମହିଳା ବନ୍ଧୁଙ୍କ ସହିତ ଆସିଥିଲେ। ତାଙ୍କ ପତ୍ନୀ ଏ ବିଷୟରେ ଜାଣି ପାରି ସେଠାରେ ଆସି ପହଞ୍ଚି ଥିଲେ। ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତାଙ୍କୁ ତାଙ୍କ ପତ୍ନୀ ଧମକଚମକ ଦେଇଥିଲେ। ଏହା ପରେ ସନ୍ଦୀପ ହୋଟେଲ୍ ଛାତ ଉପରକୁ ଚଢ଼ି ଯାଇଥିଲେ। ତାଙ୍କ ପତ୍ନୀଙ୍କ ସହିତ ଜଣେ ପୁରୁଷ ମଧ୍ୟ ଆସିଥିଲେ। ବହୁତ କସରତ ପରେ ତାଙ୍କୁ ଆସି ସକାଳେ ଛାତ ଉପରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
from Odisha Reporter https://ift.tt/31N90gE
No comments:
Post a Comment