- ମହାରାଷ୍ଟ୍ରରେ ଅଜିତ ପାଓ୍ୱାରଙ୍କ ସହ ମିଶି ବିଜେପି ସରକାର ଗଢ଼ିଛି
- ବିଜେପି ପାଖରେ ୧୦୫ ବିଧାୟକ, ଏନସିପି ପାଖରେ ୫୪ ବିଧାୟକ
- ଅଜିତ ପାଓ୍ୱାରଙ୍କ ସହ ୩୪ ଦଳୀୟ ବିଧାୟକ
- ଏନସିପି ବିଜେପିକୁ ସମର୍ଥନ କରୁନାହିଁ: ଶରଦ ପାଓ୍ୱାର
- ୧୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ବିଜେପି ପାଖରେ
ମୁମ୍ୱାଇ: ଆଜି ସକାଳୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଆଜି ଶିବସେନା-କଂଗ୍ରେସ-ଏନସିପି ନେତା ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟି ସରକାର ଗଢ଼ିବାକୁ ଯାଇଥାନ୍ତେ। ଏ ନେଇ ଗତକାଲି ତିନି ଦଳ ଘୋଷଣା କରିଥିଲେ। ହେଲେ ରାତି ପାହିଲା ବେଳକୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ମହାରାଷ୍ଟ୍ରରେ ଏନସିପି ଦଳର ପ୍ରମୁଖ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ ଜଣାଇ ଫଡ଼ନାଭିସ ସରକାରରେ ସାମିଲ୍ ହୋଇଛନ୍ତି। ଏହାପରେ ରାଜ୍ୟରେ ଚାଲିଥିବା ରାଷ୍ଟ୍ରପତି ଶାସନ ମଧ୍ୟ ଉଠିଯାଇଛି। ତେବେ ଏହି ନିଷ୍ପତ୍ତି ଏନସିପିର ନୁହେଁ ବୋଲି ଶରଦ ପାଓ୍ୱାର କହିଛନ୍ତି। ଏହା ଅଜିତଙ୍କର ବ୍ୟକ୍ତିଗତ ମତ।
ନିର୍ବାଚନ ଫଳାଫଳ
ଅକ୍ଟୋବର ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ବାହାରିଥିଲା। ୨୮୮ ବିଧାନସଭାରୁ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ ଓ ଅନ୍ୟାନ୍ୟ ୨୯ ବିଧାୟକ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ବିଜେପି ସର୍ବାଧିକ ଆସନ ମିଳିଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକ ନଥିବାରୁ ସରକାର ଗଢ଼ିବ ନାହିଁ ବୋଲି ଘୋଷଣା କରିଥିଲା। ଏହାପରେ ଶିବସେନା-ଏନସିପି-କଂଗ୍ରେସ ମିଶି ସରକାର ଗଢ଼ିବେ ବୋଲି ଘୋଷଣା କରିଥିଲେ।
ବିଜେପିକୁ କେମିତି ମିଳିଲା ଆବଶ୍ୟକ ବିଧାୟକଙ୍କ ସଂଖ୍ୟା?
ସରକାର ଗଢ଼ିବା ପାଇଁ ୧୪୫ ବିଧାୟକଙ୍କ ଆବଶ୍ୟକ ରହିଛି। ବିଜେପି ପାଖରେ ୧୦୫ ବିଧାୟକ ରହିଛନ୍ତି। ଏଥିସହ ୧୩ ସ୍ୱାଧୀନ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳର ବିଧାୟକଙ୍କ ସମର୍ଥନ ରହିଛି। ମୋଟ୍ ୧୧୮ ବିଧାୟକ ବିଜେପି ପାଖରେ ରହିଛନ୍ତି। ଏବେ ଏନସିପି ନେତା ଅଜିତ ପାଓ୍ୱାରଙ୍କ ପାଖରେ ୫୪ ବିଧାୟକଙ୍କ ମଧ୍ୟରୁ ୩୪ ବିଧାୟକଙ୍କ ସମର୍ଥନ ରହିଥିବା ସୂଚନା ରହିଛି। ତେଣୁ ବିଜେପି ପାଖରେ ମୋଟ୍ ୧୫୨ ବିଧାୟକ ହୋଇଛନ୍ତି। ତେଣୁ ଫଡ଼ନାଭିସ ସରକାର ଗୃହରେ ବହୁମତ ସାବ୍ୟସ୍ତ କରିପାରିବେ।
ଅଜିତ ପାଓ୍ୱାର ମହାରାଷ୍ଟ୍ରର ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ। ଶରଦ ପାଓ୍ୱାରଙ୍କ ଅଙ୍ଗୁଳି ଧରି ସେ ରାଜନୀତି ଶିଖିଛନ୍ତି।
from Odisha Reporter https://ift.tt/2KM7G7g
No comments:
Post a Comment