ମାଲକାନଗିରି(ଜିତେନ୍ଦ୍ର ବେଉରା): ଡାକ୍ତର ବାବୁଙ୍କ ଦବଙ୍ଗଗିରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ଚିକିତ୍ସା ହେବାକୁ ଆସିଥିବା ଜଣେ ଛାତ୍ରୀଙ୍କୁ ଚିକିତ୍ସା ବଦଳରେ ମିଳିଛି ନିର୍ଧୂମ ମାଡ଼। ଅମାନୁଷିକ ଭାବେ ଡାକ୍ତରଜଣକ ଛାତ୍ରୀଙ୍କ ନାକ, କାନ, ପାଟିରେ ଔଷଧ ପକାଇ ଦେବା ସହ ଓଢଣୀରେ ତାଙ୍କ ପାଟିକୁ ବନ୍ଦ କରି ଦେଇଥିଲେ। ଏହାପରେ ନିର୍ଘାତ ମାଡ଼ ମାରିବା ସହ ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଜଣକ। ଏପରି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏନେଇ ପୀଡ଼ିତା ଛାତ୍ରୀ କହିଛନ୍ତି,“ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ସ୍କୁଲରେ ମୁଣ୍ଡ ବୁଲାଇବାରୁ ମୁଁ ପଡ଼ି ଯାଇଥିଲି। ନିଶ୍ୱାସ ପ୍ରଶ୍ୱାସ ଠିକ୍ ସେ ନେଇ ପାରୁ ନଥିଲି। ସ୍କୁଲ ସାର୍ ଆଉ ମୋ ସାଙ୍ଗମାନେ ମୋତେ ଡାକ୍ତରଖାନା ଆଣିଥିଲେ। ଡାକ୍ତର ସାର୍ ଓ ଓ ସାଙ୍ଗମାନଙ୍କୁ ବାହାରକୁ ପଠାଇଦେଲେ। ନର୍ସଙ୍କୁ ଔଷଧ ଆଣିବାକୁ କହିଥିଲେ। ସେହି ଔଷଧ ଆଣି ମୋ ଆଖି, ପାଟି, କାନ ଓ ମୁହଁରେ ପକାଇଦେଲେ। ବହୁତ ମାରିଲେ । ଓଢ଼ଣୀ ଧରି ମୋ ପାଟିକୁ ଚାପି ଦେଲେ। ଆଉ କହିଲେ -ତୁ ଶୀଘ୍ର ମର,ଏଠାକୁ ଆଉ ଆସିବୁ ନାହିଁ ।”
ଛାତ୍ରୀଜଣକ ନିଜ ଘରକୁ ପଳାଇଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଏଥିରେ ସମ୍ପୃକ୍ତ ଡାକ୍ତରଙ୍କ ମତାମତ ମିଳିପାରି ନାହିଁ। ତେଣୁ ଏହି ଘଟଣାରେ ଆଉ କାହାର ହାତ ଅଛି କି ନାହିଁ ଏନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି।
from Odisha Reporter https://ift.tt/34zcc0B
No comments:
Post a Comment