ଳଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ପ୍ରେମିକା କ୍ୟାରି ସିମଣ୍ଡସ ଗର୍ଭବତୀ ହୋଇଛନ୍ତି। ଏହାରି ଭିତରେ ଉଭୟ ବିବାହ କରିବେ ବୋଲି ଶନିବାର ଘୋଷଣା କରିଛନ୍ତି। ବୋରିଶ ଏବଂ କ୍ୟାରିଙ୍କ ମୁଖପାତ୍ର ବ୍ରିଟେନ ଗଣମାଧ୍ୟମକୁ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଜନସନ ଏବଂ ମିସ୍ ସିମଣ୍ଡସ୍ ବିବାହ କରିବେ ବୋଲି ଘୋଷଣା କରିଛନ୍ତି। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ସନ୍ତାନ ଜନ୍ମ କରିବେ ବୋଲି ଆଶା ରଖିଛନ୍ତି’। ପ୍ରଧାନମନ୍ତ୍ରୀ ବୋରିଶଙ୍କ କାର୍ଯ୍ୟାଳୟ ୧୦ ଡାଉନିଂ ଷ୍ଟ୍ରିଟ୍ର ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି।
ବ୍ରିଟେନର ପ୍ରମୁଖ ଗଣମାଧ୍ୟମ ‘ଡେଲି ମେଲ୍’ର ରିପୋର୍ଟ ଅନୁଯାୟୀ ସାଇମଣ୍ଡସ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜନସନଙ୍କ ସହ ଏକ ଫଟୋ ଶେୟାର କରି ବିବାହ ବାବଦରେ ଘୋଷଣା କରିଛନ୍ତି। ତେବେ ଏହି ଆକାଉଣ୍ଟ ପ୍ରାଇଭେଟ୍ ରହିଛି ବୋଲି ଡେଲି ମେଲ୍ କହିଛି।
୫୫ ବର୍ଷୀୟ ଜନସନ ସାଇମଣ୍ଡସଙ୍କୁ ବିବାହ ନେଇ ଘୋଷଣା କରିବା ପୂର୍ବରୁ ତାଙ୍କର ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେଇଛନ୍ତି। ୨୦୧୮ରେ ତାଙ୍କର ୨୬ ବର୍ଷର ବିବାହର ଛାଡ଼ପତ୍ର ବାବଦରେ ଘୋଷଣା କରିଥିଲେ। ସେହିପରି ସମାନ ସମୟରେ ସେ ୩୧ ବର୍ଷିୟ ସାଇମଣ୍ଡସଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା କଥା କହିଥିଲେ।
ବୋରିଶ ଜନସନ ହେଉଛନ୍ତି ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ପଦବୀରେ ଥାଇ ବିବାହ କରିବେ। ଏଥିସହ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ସରକାରୀ ବାସଭବନରେ ଏକୁଟିଆ ରହୁଛନ୍ତି। ଗତବର୍ଷ ଡିସେମ୍ବରରେ ବ୍ରିଟେନରେ ସାଧାରଣ ନିର୍ବାଚନ ହୋଇଥିଲା। ତାଙ୍କ ନେତୃତ୍ୱାଧୀନ କନଜରଭେଟିଭ ପାର୍ଟି ବିଜୟୀ ହୋଇଥିଲା।
ବୋରିଶ ଜନସନ ହେଉଛନ୍ତି ଭାରତର ଜ୍ୱାଇଁ। ବୋରିଶ ଜନସନଙ୍କ ପ୍ରଥମ ପତ୍ନୀ ମରିନା ହ୍ୱିଲର ଭାରତୀୟ ବଂଶୋଦ୍ଭବ। ମରିନାଙ୍କ ମା’ଙ୍କ ନାଁ ଦୀପ ଶିଖ। ସେ ଶିଖ ଧର୍ମାବଲମ୍ବୀ। ଏବେ ମରିନାଙ୍କ ସହ ବୋରିଶଙ୍କର ଛାଡ଼ପତ୍ର ହୋଇଛି।
from Odisha Reporter https://ift.tt/2TrCRbp
No comments:
Post a Comment