ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶାକୁ ପୂରିଲା ୮୪ ବର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶାକୁ ପୂରିଲା ୮୪ ବର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦେ ଉତ୍କଳ ଜନନୀ… ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ. ଜନନୀ…ବନ୍ଦେ ଉତ୍କଳ ଜନନୀ…। ସତରେ..ନିଜକୁ ଓଡ଼ିଆ ବୋଲି କହିବାକୁୁ ବହୁତ ଗର୍ବ ଅନୁଭବ ହୁଏ। କାରଣ ପୁଣ୍ୟ ଭୂମି ଓଡ଼ିଶା ବୁକୁରେ ସନ୍ତାନଟିଏ ହୋଇ ଆମେ ଜନ୍ମ ନେଇଛେ, ଯାହାର ଏକ ଗୌରବମୟ ଇତିହାସ ରହିଛି। ପୌରାଣିକ ମତରେ, ମହାଭାରତ ଯୁଦ୍ଧରେ କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା। ସେହିପରି କିମ୍ବଦନ୍ତୀ କହେ, ଉତ୍କଳ ହେଉଛି କଳା, ସଂସ୍କୃତି ଓ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ। ଓଡ଼ିଶାର ସାଧବ ପୁଅମାନଙ୍କ ନୌବାଣିଜ୍ୟ କାରବାର ସାରା ବିଶ୍ୱରେ ଓଡ଼ିଶାକୁ ବାଣିଜ୍ୟିକ କ୍ଷେତ୍ରଭାବେ ପ୍ରସିଦ୍ଧ କରିଥିଲା। ତେବେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଶାକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ଭାଷ୍କର୍ଯ୍ୟ, ଖାଦ୍ୟପେୟ, ପର୍ବପର୍ବାଣି ପାଇଁ ଉତ୍କଳ ଆଜି ବିଶ୍ୱବିଦିତ। ଆଜି ସିନା ଆମେ ନିଜକୁ ଓଡ଼ିଆ ବୋଲି ଗର୍ବ କରୁଛେ, ହେଲେ ଦିନ ଥିଲା ଆମ ମାଟି ମା’ ପରାଧିନତାର ଜାଲରେ ଫସିରହିଥିଲା। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆକ୍ରମଣ ଓ ଅଧିଗ୍ରହଣକାରୀଙ୍କ ହାତରେ ପରାଧିନ ହୋଇ ନିଜ ଅସ୍ତିତ୍ୱ ଖୋଜୁଥିଲା ଉତ୍କଳ ମାଟି। ଏପରି କି ଏହାର ପରିସୀମା ମଧ୍ୟ ସଠିକ୍ ଭାବେ ନିର୍ଣ୍ଣୟ କରାଯାଇପାରୁ ନ ଥିଲା। ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ମା’ର ଲୁହ ପୋଛିଦେବାକୁ ତା’କୋଳରେ ଜନ୍ମ ନେଲେ ବୀରପୁତ୍ରମାନେ, ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରି ଉତ୍କଳ ମାଟିକୁ ସ୍ୱତନ୍ତ୍ରତା ଦେଇଥିଲେ।

୧୯୩୬ ମସିହା ଏପ୍ରିଲ ୧ ତାରିଖ। ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଏହି ଦିନ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହୋଇଥିଲା। ପ୍ରତିବର୍ଷ ଗର୍ବିତ ଓଡ଼ିଆମାନେ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରିଥା’ନ୍ତି। ପବିତ୍ର ଉତ୍କଳ ମାଟିର ଯୋଗ୍ୟ ସନ୍ତାନମାନେ ଦୀର୍ଘ ୩୦ ବର୍ଷ ଧରି ସଂଘର୍ଷ କରି ପରାଧିନ ଥିବା ମାଟି ମା’ଆକୁ ସ୍ୱାଧିନ କରିଥିଲେ ଓ ସ୍ୱତନ୍ତ୍ର ପରିଚୟ ଦେଇଥିଲେ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ୧୯୦୨ରେ ଗଠିତ ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୦୩ରେ ଏହାର ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୬୨ଜଣ ସ୍ଥାୟୀ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋବବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, ଭୁବନାନନ୍ଦ ଦାସ ଓ କବିବର ରାଧାନାଥ ରାୟ ପ୍ରମୁଖ ଅନ୍ୟତମ। ସର୍ବମୋଟ ୬ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ରାଜ୍ୟର ପରିଚୟ ପାଇଲା ଉତ୍କଳ। କଟକ, ବାଲେଶ୍ୱର, ସମ୍ୱଲପୁର, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାକୁ ନେଇ ଓଡ଼ିଶା ମାନଚିତ୍ର ସଜେଇ ହୋଇଥିଲା। କଟକ ଥିଲା ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ରାଜଧାନୀ।

ଆଜି ଓଡ଼ିଶାକୁ ପୂରିଲା ୮୪ ବର୍ଷ। ଉତ୍କଳ ମା’ର ସେହି ଯୋଗ୍ୟ ସନ୍ତାନମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁ ହିଁ ଓଡ଼ିଶା ମାଟି ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଥିଲା। ଆଉ ଆଜି ବିକଶିତ ହୋଇ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ଭାବେ ପରିଚିତ। ଏଣୁ ସେହି ବରପୁତ୍ରମାନଙ୍କ ଅବଦାନକୁ ଓଡ଼ିଶା ମାଟିର ପ୍ରତ୍ୟେକ ସନ୍ତାନ କେବେ ଭୁଲିଯାଇପାରିବେ ନାହିଁ। ଆଜି ଏହି ପବିତ୍ର ଦିନରେ ଆସନ୍ତୁ ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନମାନଙ୍କ ସ୍ମୃତିଚାରଣ କରିବା।



from Odisha Reporter https://ift.tt/39yV4tV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages