ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ ହୋଇଛି। କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି। ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ହୋଇଛି ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି,“ ହୀରାକୁଦ ଡ୍ୟାମ୍ରେ ଏବେ ୪୬ଟି ଗେଟ୍ ଜରିଆରେ ଜଳ ନିଷ୍କାସନ ଚାଲିଛି। ଆବଶ୍ୟକ ହେଲେ ଡ୍ୟାମର ଆଉ ୨ଟି ଗେଟ୍ ଖୋଲାଯାଇପାରେ।”
ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍ରେ ୪୬ଟି ଗେଟ୍ ଖୋଲା ଯାଇଥିବା ବେଳେ ଆଜି କଟକ ମୁଣ୍ଡଳିରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ନେଇ ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସଂପର୍କରେ ଅଧିକ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି ଯେ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ୍ରୁ ଅଧିକ ଜଳ ପ୍ରବାହିତ ହେବ ନାହିଁ। ତେବେ କାଲି ସକାଳ ପର୍ଯ୍ୟନ୍ତ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଏହା ପରେ ଧୀରେ ଧୀରେ ଜଳ ପ୍ରବାହ କମିଯିବ।
ସେ କହିଛନ୍ତି, ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ପାଣି ଆସିବା କମି ଯାଇଛି। ଗତକାଲି ସାଢେ ୯ ଲକ୍ଷ କ୍ୟୁସେକ୍ ଜଳ ଆସୁଥିବା ବେଳେ ଆଜି ୭ ଲକ୍ଷ କ୍ୟୁସେକ୍ ଆସୁଛି।
ଏସ୍ଆର୍ସି କହିଛନ୍ତି, ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଲେ ଦୟା ଓ ଭାର୍ଗବୀ ନଦୀ ସମସ୍ୟା କରନ୍ତି। ଉଭୟ ନଦୀ ଯୋଗୁଁ କଣାସ, ଡେଲାଙ୍ଗର ବହୁ ଗାଁ ଜଳମଗ୍ନ ହୋଇଛି। ଦୟା ନଦୀରେ ୨ଟି ଓ ରାଜୁଆ ନଦୀରେ ଗୋଟିଏ ଘାଇ ହୋଇଛି।
ପାଣି କମିବା କ୍ଷଣି ତୁରନ୍ତ ଘାଇ ମରାମତି ବ୍ୟବସ୍ଥା କରାଯିବ।
The post ‘ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ ହୋଇଛି’ appeared first on Odisha Reporter.
from Odisha Reporter https://ift.tt/3jv1n6O
No comments:
Post a Comment