ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ। ୨୦୧୮ ମସିହାରେ ଆଜିର ଦିନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ, ଯିଏ ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ।
ସ୍ୱର୍ଗତ ବାଜପେୟୀ ୧୯୯୬ ମସିହାରେ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ୧୯୯୯ରେ ଯେତେବେଳେ ପୁଣି ଏହି ପଦରେ ଅଧିଷ୍ଠିତ ହେଲେ, ସେଥରକ ସେ ପୂରା ୫ ବର୍ଷ ଶାସନ କରିଥିଲେ।
ଯେତେବେଳେ ବି ବାଜପେୟୀଙ୍କ କଥା ଉଠେ, ତାଙ୍କ ଭାଷଣକୁ ସମସ୍ତେ ମନ ପକାନ୍ତି। ତାଙ୍କର ଭାଷଣ ଦେବାର ଅନ୍ଦାଜ୍ ପୂରା ନିଆରା ଥିଲା। ଆଉ ତାଙ୍କ ଭାଷଣରେ ଯେଉଁ ଓଜନ ଥିଲା, ତାହା କେବଳ ଶୁଣିଲା ଲୋକେ ହିଁ ଅନୁଭବ କରିଥିବେ। ଉଭୟ ସଂସଦରେ ଓ ସଂସଦ ବାହାରେ ତାଙ୍କ ଭାଷଣର ବହୁ ପ୍ରଶଂସକ ଥିଲେ। ତାଙ୍କର ବ୍ୟକ୍ତିତ୍ୱ, ଯୁକ୍ତି ଓ କଥା କହିବାର ଶୈଳୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଥିଲା। ସେ ତାଙ୍କୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ।
ବାଜପେୟୀଙ୍କ ଭାଷଣ ଅତ୍ୟନ୍ତ ମୂଲ୍ୟବାନ ତଥ୍ୟ ଆଧାରିତ ହେଉଥିଲା। କେବେ କୌଣସି ସମୟରେ ଅସହିଷ୍ଣୁତାର ଭାଷା ତାଙ୍କ ଭାଷଣରେ ରହୁ ନଥିଲା। ଏମିତିକି ଗାଦି ଛାଡ଼ିବା ପରି ଗୁରୁତ୍ୱପୂର୍ଣ୍ଣ ସମୟରେ ବି ସେ ଆଦୌ ବିଚଳିତ ହୋଇ ନଥିଲେ। ୧୯୯୬ ମସିହାରେ ଯେତେବେଳେ ସେ ମାତ୍ର ୧୩ ଦିନ ପରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଲେ ସେତେବେଳେ ଏହା ଦେଖିବାକୁ ମିଳିଥିଲା। ସଂସଦରେ ବହୁମତ ପ୍ରମାଣିତ କରିବାରେ ବିଫଳ ହେବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ଇସ୍ତଫାପତ୍ର ଦେଇ ଯିବା ପୂର୍ବରୁ ସେ ଯେଉଁ ଅଭିଭାଷଣ ରଖିଥିଲେ, ତାହା ଆଜି ବି ମନେ ପଡ଼େ।
ଏଥିରେ ବାଜପେୟୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ- “ଆପଣମାନେ ଦେଶକୁ ଶାସନ କରିବାକୁ ଚାହୁଁଛନ୍ତି। ଭଲ କଥା। ଆମ ଶୁଭେଚ୍ଛା ଆପଣମାନଙ୍କ ସହିତ ଅଛି। ଦେଶ ସେବାରେ ଆମେ ପୂରା ନିମଗ୍ନ ରହିବୁ। ଆମେ ବହୁମତ ଆଗରେ ମୁଣ୍ଡ ନୁଆଁଉଛୁ। ଖାଲି ହାତରେ ଆମେ ଯେଉଁ କାର୍ଯ୍ୟ ଆରମ୍ଭ କରିଛୁ, ତାହା ଶେଷ ନହେବା ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ। ମାନନୀୟ ବାଚସ୍ପତି ମହୋଦୟ ମୁଁ ରାଷ୍ଟ୍ରପତିଙ୍କ ନିକଟକୁ ଇସ୍ତଫା ଦେବାକୁ ଯାଉଛି।”
ସେଦିନ ସେ ଆଉ କ’ଣ ସବୁ କହିଥିଲେ, ନିମ୍ନରେ ଦିଆଯାଇଥିବା ଭିଡିଓରେ ଦେଖନ୍ତୁ।
The post ୧୩ ଦିନର ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପୂର୍ବରୁ କ’ଣ କହିଥିଲେ ବାଜପେୟୀ? appeared first on Odisha Reporter.
from Odisha Reporter https://ift.tt/3g1DAt9
No comments:
Post a Comment