ନୂଆଦିଲ୍ଲୀ: ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୨୦୨୦ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଛି। ଏହି ଗ୍ରହଣ ଭାରତ ସମେତ କିଛି ଦେଶରେ ପଡ଼ିବ। ଏହି ଗ୍ରହଣ ଆଜି ଦିନ ୧.୦୨ ମିନିଟ୍ ୨୨ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୫.୨୩ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ। ଏହି ଚନ୍ଦ୍ରଗ୍ରହଣ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଏସିଆ ମହାଦେଶ ଅଂଚଳରେ ଦେଖାଯିବ।
ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ କୁହାଯାଉଛି। କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ସହ ସୋମବାରରେ ଏହି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହାର ଅନେକ ଗୁରୁତ୍ୱ ରହିଥିବା କହିଛନ୍ତି ଜ୍ୟୋତିର୍ବିଦ। ଏହା ପୂର୍ବରୁ ୧୦ ଜାନୁଆରୀ, ୫ ଜୁନ, ୫ ଜୁଲାଇରେ ମଧ୍ୟ ଚନ୍ଦ୍ରଗ୍ରହଣ ପଡ଼ିଥିଲା।
ଏ ନେଇ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଯେଉଁ ଛାଇଟା ସୃଷ୍ଟି ହେବ, ତାହା ଦୁଇ ପ୍ରକାରର। ଗୋଟିଏ ହେଉଛି ଗାଢ଼ କଳା ରଙ୍ଗର ଛାଇ, ଯାହାକୁ ଆମେ ସାଧାରଣତଃ ଛାୟା କହୁ। ଆଉ ଗୋଟିଏ ହେଉଛି ଫିକା ରଙ୍ଗର ଛାଇ, ଯାହାକୁ ଆମେ ଉପଛାୟା କହୁ। ବୈଜ୍ଞାନିକଙ୍କ ମତରେ, ଉପଛାୟାରେ ଚନ୍ଦ୍ର ରହିଲେ ତାକୁ ଗ୍ରହଣ ବୋଲି ଧରାଯାଏ। ତେବେ ଉପଛାୟାକୁ ଖାଲି ଆଖିରେ ସମ୍ଭବ ନୁହେଁ।
ସେହିପରି ଜ୍ୟୋତିର୍ବିଦ ଦିବାକର ମିଶ୍ର କହିଛନ୍ତି, ଏହି ଗ୍ରହଣରେ ପ୍ରଭାବ ଦେବନୀତି, ପାକନୀତି ଉପରେ ପଡ଼ିବ ନାହିଁ। ଯେହେତୁ ଏହି ଗ୍ରହଣ ଏକ ଉପଛାୟା, ତେଣୁ ହାଣ୍ଡିଛାଡ଼ କରିବାର ଆବଶ୍ୟକତା ନାହିଁ। ଏପରିକି ଧର୍ମୀୟ ଶାସ୍ତ୍ରରେ ଏହାର ପାଳନ କରିବାର କୌଣସି ନିୟମ ମଧ୍ୟ ନାହିଁ।
The post ଆଜି ଚନ୍ଦ୍ରଗ୍ରହଣ; କେତେବେଳେ ଆରମ୍ଭ ହେବ, କେତେବେଳେ ସରିବ appeared first on Odisha Reporter.
from Odisha Reporter https://ift.tt/39oaPr2
No comments:
Post a Comment