ୱାଶିଂଟନ: ଗୋଟିଏ ପରେ ଗୋଟିଏ ଦେଶରେ ପ୍ରବେଶ କରି ଚାଲିଛି କରୋନା ନୂଆ ଷ୍ଟ୍ରେନ। ପ୍ରଥମେ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ଏହି ରୂପ ଏବେ ଆମେରିକାରେ ଠାବ ହୋଇଛି। ଆମେରିକାର କୋଲୋରାଡୋରେ ଜଣେ ବ୍ୟକ୍ତି ବ୍ରିଟେନରେ ଦେଖାଯାଇଥିବା କରୋନାର B.1.1.7 ଭାଇରସରେ ସଂକ୍ରମିତ ହୋଇଥିବା ରାଜ୍ୟ ଗଭର୍ଣ୍ଣନର ଜାରେଡ ପୋଲସି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବ୍ରିଟେନରେ ସଂକ୍ରମଣକୁ ଦ୍ରୁତ ଗତିରେ ବୃଦ୍ଧି କରୁଥିବା କରୋନାର B.1.1.7 ଭାଇରସ ପ୍ରଥମଥର ପାଇଁ ଆମେରିକାରେ ଠାବ ହୋଇଛି। ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ଭୂତାଣୁ ଠାବ ହେବା ପରେ ସବୁ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି। ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟରେ ବ୍ରିଟେନରୁ ଫେରିଥିଲେ।
ଏହି ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ। ସେ ବର୍ତ୍ତମାନ ଏଲବର୍ଟ କାଉଣ୍ଟିରେ ଥିବା ଆଇସୋଲେସନ ସେଣ୍ଟରରେ ରହିଛନ୍ତି। ସଂକ୍ରମିତଙ୍କର କୌଣସି କ୍ଲୋଜ କଣ୍ଟାଣ୍ଟ ନାହାନ୍ତି। ତଥାପି ସ୍ଥିତି ଉପରେ ନଜର ରଖାଯାଇଛି। କଣ୍ଟାଣ୍ଟ ଟ୍ରେସିଂ ଦ୍ୱାରା ଅଧିକାରୀମାନେ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।
କରୋନାର ପୁରୁଣା ରୂପ ଦ୍ୱାରା ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ଆମେରିକାରେ ସଂକ୍ରମଣ ଓ ମୃତ୍ୟୁହାର ଅଧିକ ରହିଛି। ଏସବୁ ଭିତରେ ବ୍ରିଟେନ ଭାଇରସ ଆମେରିକାରେ ପ୍ରବେଶ କରିବା ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି।
ବ୍ରିଟେନରେ ଦେଖାଯାଇଥିବା ନୂଆ ଭାଇରସ ୧୨ରୁ ଅଧିକ ୟୁରୋପୀୟ ରାଷ୍ଟ୍ର ସହ ଭାରତରେ ମଧ୍ୟ ପ୍ରବେଶ କରି ସାରିଛି। ଗତକାଲି ଭାରତରେ ୭ ଜଣ ଲୋକଙ୍କ ଶରୀରରେ ଏହି ଷ୍ଟ୍ରେନ ଠାବ ହୋଇଥିବା ଜଣାପଡ଼ିଥିଲା। ଏହି ନୂଆ B.1.1.7 ଭାଇରସ ପୂର୍ବ ତୁଳନାରେ ଅଧିକ ୫୭% ଦ୍ରୁତଗତିରେ ସଂକ୍ରମିତ କରୁଥିବା ବୈଜ୍ଞାନିକମାନେ କହିଛନ୍ତି।
ଅନ୍ୟପକ୍ଷରେ ଏହି B.1.1.7 ଭାଇରସ ବ୍ୟତୀତ ଦକ୍ଷିଣ ଆଫ୍ରିକାରେ କରୋନାର ଆଉ ଏକ ନୂଆ ଷ୍ଟ୍ରେନ ଠାବ ହୋଇଛି। ଏହି ନୂଆ କରୋନା ଭାଇରସରେ ଦକ୍ଷିଣ ଆଫ୍ରିକାରେ ୩୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି। ସେହିପରି ବ୍ରିଟେନରେ ୨ ଜଣ ଓ ଫିନଲ୍ୟାଣ୍ଡରେ ଜଣେ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ପୂର୍ବରୁ B.1.1.7 ଭାଇରସ ଯୋଗୁ ବ୍ରିଟେନରେ ୩ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏବେ ଦକ୍ଷିଣ ଆଫ୍ରିକା ଭାଇରସ ବ୍ରିଟେନବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ମଧ୍ୟ B.1.1.7 ଭାଇରସ ପରି ଅଧିକ ଦ୍ରୁତ ଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରୁଥିବା କୁହାଯାଉଛି।
The post ଆମେରିକାକୁ ଡେଇଁଲା ବ୍ରିଟେନର କରୋନା ଭାଇରସ appeared first on Odisha Reporter.
from Odisha Reporter https://ift.tt/34TR0Vg
No comments:
Post a Comment