ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରହନ୍ତି ଲାଲଜୀ ଯାଦବ ଓ ତାଙ୍କ ପତ୍ନୀ ରେଖା। କିଛି ଦିନ ତଳେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଯଦିଓ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା, ତଥାପି ସେମାନଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଅବସ୍ଥା ଅଧିକ ଖରାପ ହେବାରୁ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଚାହିଁଲେ। କିନ୍ତୁ ମେଡିକାଲରେ ବେଡ୍ ମିଳିଲା ନାହିଁ। ତାଙ୍କ ସଂପର୍କୀୟମାନେ ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଥିବା ଡାକ୍ତରଖାନାରେ ବେଡ ଖୋଜି ବିଫଳ ହୋଇଥିଲେ। ୬ଟି ହସପିଟାଲ ଅକ୍ସିଜେନର ଅଭାବ କହି ସେମାନଙ୍କୁ ଭର୍ତ୍ତି କରିବାକୁ ମନା କରି ଦେଇଥିଲେ। ଅନ୍ୟପକ୍ଷରେ ଏହି ଦମ୍ପତିଙ୍କ ଅକ୍ସିଜେନ ସ୍ତର ମଧ୍ୟ କମିବାରେ ଲାଗିଥାଏ। ଶେଷରେ କୌଣସି ଉପାୟ ନପାଇ ସେମାନେ ଉତ୍ତର ପ୍ରଦେଶରୁ ପଶ୍ଚିମବଙ୍ଗ ଚାଲିଯାଇଥିଲେ। ଆମ୍ୱୁଲାନ୍ସରେ ସେମାନେ ୨୪ ଘଣ୍ଟାରେ ୮୫୦ କିଲୋମିଟର ଯାତ୍ରା କରି ପଶ୍ଚିମ ବଙ୍ଗର ହୁବଲୀରେ ପହଞ୍ଚିଥିଲେ।
ରେଖା ଯାଦବଙ୍କ ସାନ ଭାଇ ରବି ଶଙ୍କର ହୁବଲୀର ମୋଗରା ଅଂଚଳରେ ରହନ୍ତି। ସେ କହିବା ପରେ ରେଖା ଓ ତାଙ୍କ ସ୍ୱାମୀ ଲାଲଜୀ ଯାଦବ ଅଯୋଧ୍ୟାରୁ ହୁବଲୀ ଯାଇଥିଲେ। ରବି ଶଙ୍କରଙ୍କ ସୂଚନା ଅନୁଯାୟୀ, ତାଙ୍କ ଭଉଣୀ ଓ ଭିଣୋଇ ଏପ୍ରିଲ ୨୨ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ ଓ ଏପ୍ରିଲ ୨୩ ତାରିଖ ରାତିରେ ହୁବଲୀରେ ପହଞ୍ଚିଥିଲେ। ତା’ପରେ ସେମାନଙ୍କୁ ନିକଟସ୍ଥ ଚିନସୁରରେ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା।
ରବି ଶଙ୍କର ଆହୁରି କହିଛନ୍ତି, ଯେତେବେଳେ ସେମାନେ ହୁବଲୀରେ ପହଞ୍ଚିଲେ ସେତେବେଳକୁ ସେମାନଙ୍କୁ ନିଃଶ୍ୱାସ ନେବାରେ ହେଉଥିବା କଷ୍ଟ ବଢ଼ି ଯାଇଥିଲା। ଯଦି ସେମାନେ ହୁବଲୀ ଆସିନଥା’ନ୍ତେ ସେମାନଙ୍କର କ’ଣ ଅବସ୍ଥା ହୋଇଥା’ନ୍ତା, ତାହା କହିହେବ ନାହିଁ। କାରଣ ୟୁପିରେ ସେମାନଙ୍କୁ ହସପିଟାଲ ମିଳୁ ନଥିଲା।
ରେଖା ଓ ଲାଲଜୀ ଯାଦବଙ୍କୁ ପ୍ରାୟ ୧୦ ଦିନ ଧରି ଜ୍ୱର ହୋଇଥିଲା। ସେମାନଙ୍କର କଫ ବି ଜମି ଥିଲା ଓ କାଶ ହେଉଥିଲା। ତେବେ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ଏହା ପରେ ସେମାନେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ।
The post ଡାକ୍ତରଖାନାରେ ମିଳିଲାନି ବେଡ୍, ଆମ୍ୱୁଲାନ୍ସରେ ଅଯୋଧ୍ୟାରୁ ଗଲେ ପଶ୍ଚିମବଙ୍ଗ appeared first on Odisha Reporter.
from Odisha Reporter https://ift.tt/32YxKoq
No comments:
Post a Comment