ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ରାଜ୍ୟକୁ ସରକାର ଅନ୍ଲକ୍ ଘୋଷଣା କରି ନାହାନ୍ତି। ତା’ ବଦଳରେ ଆସନ୍ତା ୧୪ ଦିନ ପାଇଁ ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଜାରି କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଏହି ଘୋଷଣା କରିଛନ୍ତି।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, କାଲି ସକାଳ ୫ଟା ପରଠୁ ଆଂଶିକ ଲକ୍ଡାଉନ୍ ଲାଗୁ ହେବ। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ।
ଆଂଶିକ ଲକ୍ଡାଉନ୍ ଘୋଷଣା କରିବା ସହିତ ସରକାର ରାଜ୍ୟର ସମସ୍ତ ଜିଲ୍ଲାକୁ ୨ଟି ବର୍ଗରେ ବିଭକ୍ତ କରିଛନ୍ତି। ୫%ରୁ କମ୍ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକୁ ‘ଏ’ ବର୍ଗରେ ରଖାଯାଇଛି। ଏହା ମଧ୍ୟରେ ରହିଛନ୍ତି- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା।
‘ଏ’ ବର୍ଗରେ ଅନ୍ତର୍ଭୁକ୍ତ ଥିବା ୧୭ଟି ଜିଲ୍ଲାରେ କଟକଣା ନିୟମକୁ ଟିକେ ଅଧିକ କୋହଳ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଦୋକାନ ବଜାର ଖୋଲା ରହିବ। କିନ୍ତୁ ମଲ୍, ଜିମ୍, ସେଲୁନ୍ ଓ ସ୍ପା ଆଦି ବନ୍ଦ ରହିବ। ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ। ତେବେ ଲୋକେ ସେଠାରେ ଛିଡ଼ା ହୋଇ ଖାଇପାରିବେ ନାହିଁ। ଲୋକେ ଏଠାରୁ ଜିନିଷ କିଣି ନେଇପାରିବେ।
ଅନ୍ୟପକ୍ଷରେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଆଦି ଜିଲ୍ଲା ଗୁଡ଼ିକୁ ‘ବି’ ବର୍ଗରେ ରଖାଯାଇଛି। ଏସବୁ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣାକୁ କୋହଳ କରାଯାଇଛି। ଏସବୁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟ୍ରି ଦୋକାନ ଆଦି ଖୋଲା ରହିବ। ସେହିପରି ସ୍ୱାସ୍ଥ୍ୟ ସେବା ସଂପର୍କିତ ଦୋକାନ ଓ କୃଷି ଉପକରଣ ଦୋକାନ ବି ଖୋଲା ରହିବ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ଦୁଗ୍ଧ ଚାଷୀଙ୍କ ହିତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ସକାଳ ୬ରୁ ୯ଟା ଯାଏ ସାରା ରାଜ୍ୟରେ ମର୍ଣ୍ଣିଂ ୱାକ୍, ଜଗିଂ ଓ ସାଇକେଲିଂ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ପାର୍କ ବନ୍ଦ ରହିବ।
ନାଇଟ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଶଟଡାଉନ ବଳବତ୍ତର ରହିବ। ବିବାହ, ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ। ସିନେମା ହଲ୍, ସେଲୁନ୍ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ। ସେହିଭଳି ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ। ମନ୍ଦିରରେ କେବଳ ନୀତିକାନ୍ତି ଚାଲିବ। ଯାତ୍ରା ଓ ଆଉଟ୍ ଡୋର୍ ଶୂଟିଂ ବନ୍ଦ ରହିବ। ସରକାରୀ ଓ ଘରୋଇ ଅଫିସ୍ ୫୦% ଷ୍ଟାଫ୍ରେ କାର୍ଯ୍ୟ କରିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସେ ଆହୁରି କହିଛନ୍ତି, ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ।
ସକାଳ ୬ଟାରୁ ସନ୍ଧ୍ୟା ୫ଟା: ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା।
— I & PR Department, Odisha (@IPR_Odisha) June 16, 2021
The post ରାଜ୍ୟରେ ୧୪ ଦିନ ପାଇଁ ଆଂଶିକ ଲକ୍ଡାଉନ୍: ଉଠା ଓ ମିଠା ଦୋକାନ ଖୋଲିବ appeared first on Odisha Reporter.
from Odisha Reporter https://ift.tt/35rFK2A
No comments:
Post a Comment