ମୁମ୍ବାଇ: ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାରଙ୍ଗ କୋତୱାଲ ସୋମବାର ଏକ ମାମଲାର ଶୁଣାଣି କରୁଥିଲେ। ଭିଡିଓ କନଫରେନ୍ସିଂରେ ଏହି ମାମଲାର ଶୁଣାଣି ହେଉଥିଲା। ହେଲେ ଶୁଣାଣି ପରେ ନିଜ ମାଇକ୍ର ସୁଇଚ୍ ଅଫ୍ କରିବାକୁ ଭୁଲି ଯାଇଥିବା ଏକ ପକ୍ଷର ଓକିଲ ଜଣଙ୍କ କହିଦେଲେ, ଦେଖନ୍ତୁ କୋର୍ଟରେ ଶୁଣାଣି ବେଳେ କିପରି ଭିଡ଼ ହେଉଛି। ଆଉ ଏହି କଥା ଜଜ୍ଙ୍କ କାନରେ ପଡ଼ିଗଲା ଓ ସେ ରାଗି ଗଲେ। ତେବେ ସେତେବେଳକୁ ଓକିଲ ଜଣଙ୍କ ଲଗ୍ ଆଉଟ୍ ହୋଇସାରିଥିଲେ। କିନ୍ତୁ ବିଚାରପତି ତାଙ୍କୁ ଛାଡ଼ି ନଥିଲେ।
ପୁଣି ଥରେ ଉକ୍ତ ଓକିଲଙ୍କୁ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ହେବାକୁ କୁହାଯାଇଥିଲା। ଆଉ ସେତେବେଳେ ଓକିଲ ଜଣଙ୍କ ନିଜ ଭୁଲ୍ ପାଇଁ ବିଚାରପତିଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ ବିଚାରପତି ତାଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ନଥିଲେ।
ସେ ଉକ୍ତ ଓକିଲଙ୍କୁ କହିଥିଲେ, ମୋ କୋର୍ଟରେ ଉପସ୍ଥିତ ରହିବା ପାଇଁ ମୁଁ କାହାକୁ ଅନୁମତି ଦେବି, ତାହା ସମ୍ପୂର୍ଣ୍ଣ ଭାବେ ମୋ ଅଧିକାର। ଆଇନ ପାଠ ବ୍ୟତୀତ ଆପଣ କାହାକୁ କେମିତି ବ୍ୟବହାର କରାଯିବା ଉଚିତ୍, ତାହା ଶିଖିବା ଦରକାର। ସେହିପରି କୋର୍ଟଙ୍କୁ କିପରି ସମ୍ବୋଧିତ କରିବାକୁ ହୁଏ, ସେ ସଂପର୍କିତ ଜ୍ଞାନ ବି ଆପଣ ଆହରଣ କରିବା ନିହାତି ଆବଶ୍ୟକ।
ଏଥିସହ ବିଚାରପତି କହିଥିଲେ, ଆପଣ ବ୍ୟବସ୍ଥାକୁ ସମ୍ମାନ ନ କଲେ ଆପଣଙ୍କୁ ବି ସମ୍ମାନ ମିଳିବ ନାହିଁ। ଏହାପରେ ଓକିଲ ଜଣଙ୍କ ପୁଣି ଥରେ ବିଚାରପତିଙ୍କୁ କ୍ଷମାପ୍ରାର୍ଥନା କରିଥିଲେ । କିନ୍ତୁ ଏହି ଘଟଣା ଯୋଗୁ ଖୁବ୍ ଅଧିକ ମର୍ମାହତ ହୋଇଥିବା ବିଚାରପତି ସମ୍ପୃକ୍ତ ଓକିଲଙ୍କ ଭିଡିଓ କନଫରେନ୍ସିଂ ସଂଯୋଗ କାଟି ଦେଇଥିଲେ।
ସୂଚନାଯୋଗ୍ୟ, ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ଚାଲିଥିଲେ ହେଁ କୋର୍ଟ ରୁମ୍ ଭିତରେ କିଛି ସରକାରୀ ଓକିଲ, ପୁଲିସ୍ କର୍ମଚାରୀ ଓ ଏକ ପକ୍ଷ ଉପସ୍ଥିତ ଥିଲେ। ସେଥିପାଇଁ ଉକ୍ତ ଓକିଲ ଜଣଙ୍କ ସେମିତି ମନ୍ତବ୍ୟ ଦେଇଥିଲେ।
The post ମାଇକ୍ ଅଫ୍ କରିବାକୁ ଭୁଲିଗଲେ ଓକିଲ; କହିଦେଲେ ଏପରି କଥା, ଜଜ୍ ଖପ୍ପା appeared first on Odisha Reporter.
from Odisha Reporter https://ift.tt/3rDUghH
No comments:
Post a Comment