ରାୟପୁର: ଛତିଶଗଡ଼ରେ ଶାସନ ଦାୟିତ୍ୱରେ ଥିବା କଂଗ୍ରେସ ଦଳର ବିଧାୟକଙ୍କୁ ନିଜ ଦଳର ମନ୍ତ୍ରୀ ଦେଉଛନ୍ତି ହତ୍ୟା ଧମକ। ଯଦି କ୍ଷମତାସୀନ ଥିବା ଦଳର ବିଧାୟକ ରାଜ୍ୟରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ତେବେ ବିପକ୍ଷ ପକ୍ଷଙ୍କ ଅବସ୍ଥା କ’ଣ ହେବ। ଏପରି ପ୍ରଶ୍ନ ଉଠାଇ ଛତିଶଗଡ଼ରେ ଶାସକ କଂଗ୍ରେସକୁ ଘେରିଛି ବିପକ୍ଷ ବିଜେପି। ଏଥିସହ ଗୃହର ସମିତି ଦ୍ୱାରା ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରିବାକୁ ବି ଦାବି କରିଛି।
ଛତିଶଗଡ଼ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରେ ବିଧାନସଭାରେ ଦେଖାଦେଇଛି ଏପରି ହାଇଡ୍ରାମା। ପ୍ରଥମ ଦିନରେ ହିଁ ରାଜ୍ୟରେ କ୍ଷମତାସୀନ ଥିବା କଂଗ୍ରେସ ଦଳର ଜଣେ ବିଧାୟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କରି ଦେଇଥିବା ଟିପ୍ପଣୀକୁ ନେଇ ଦଳକୁ ଘେରିଛି ବିଜେପି।
ବିଜେପି ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ ସିଂହଦେବ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା କଂଗ୍ରେସ ବିଧାୟକ ବୃହସ୍ପତି ସିଂ ଅଭିଯୋଗ ଆଣିଛନ୍ତି। ନିଜ ଦଳର ମନ୍ତ୍ରୀଙ୍କ ଉପରେ ବିଧାୟକ ବୃହସ୍ପତି ସିଂ ହତ୍ୟା ଧମକ ଉଦ୍ୟମ ଅଭିଯୋଗ ଆଣିବା ଅତ୍ୟନ୍ତ ସଙ୍ଗିନ ବୋଲି ବିଜେପି ବିଧାୟକ ବୃଜମୋହନ ଅଗ୍ରୱାଲା, ଅଜୟ ଚନ୍ଦ୍ରାକର ପ୍ରମୁଖ ଅଭିଯୋଗ ଆଣିଛନ୍ତି। ଯଦି କ୍ଷମତାରେ ଥିବା ସରକାରୀ ଦଳର ବିଧାୟକ ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣୁଛନ୍ତି, ତେବେ ବିପକ୍ଷ ସଦସ୍ୟ କିପରି ସୁରକ୍ଷିତ ରହିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହା ରାଜ୍ୟ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। କାରଣ ରାଜ୍ୟ ଇତିହାସରେ ଏପରି ଅଭିଯୋଗ କେହି ଆଣି ନ ଥିବା ବିଧାନସଭାର ବିପକ୍ଷ ନେତା ଧରମଲାଲ କୌଶିକ କହିଛନ୍ତି।
ଏହାକୁ ନେଇ ଗୃହର ମାହୋଲ ସରଗରମ ଥିବା ବେଳେ ଘଟଣା ଉପରେ ନିଜ ପକ୍ଷ ରଖିବାକୁ ବିଧାନସଭା ଅଧ୍ୟକ୍ଷ ଚରଣ ଦାସ ମହନ୍ତ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କୁ କହିଥିଲେ। କିନ୍ତୁ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। କଂଗ୍ରେସର ବିଧାୟକ ନିଜ ଦଳର ଜଣେ ମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିବାରୁ ପୂରା ମନ୍ତ୍ରୀମଣ୍ଡଳ ଏହା ମଧ୍ୟକୁ ଆସି ଯାଉଛି। ତେଣୁ ଏହାର ତଦନ୍ତ ଆବଶ୍ୟକ ବୋଲି ବିପକ୍ଷ ନିଜ ଜିଦ୍ରେ ଅଡ଼ି ବସିଲେ।
ମାତ୍ର ବିପକ୍ଷ ନିଜ ପକ୍ଷ ରଖି ସାରିଥିବା ବେଳେ ଶାସକ ଦଳକୁ ମଧ୍ୟ ନିଜ ପକ୍ଷ ରଖିବାକୁ ସମୟ ଦେବା ଉଚିତ ବୋଲି ଅଧ୍ୟକ୍ଷ କହିଥିଲେ। ମାତ୍ର ବିରୋଧୀ ହୋହଲ୍ଲା କରି ଗୃହ ଚଳାଇବାକୁ ଦେଇ ନ ଥିଲେ। ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଅଧ୍ୟକ୍ଷ ୫ ମିନିଟ୍ ପାଇଁ ଗୃହକୁ ସସ୍ପେଣ୍ଡ କରିଥିଲେ।
ଏହାପରେ ପୁଣି ଥରେ ଗୃହ ଚାଲିବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିଜ ମତ ରଖି ଗୃହର ପ୍ରତ୍ୟେକ ସଦସ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ତେଣୁ ତାଙ୍କ ସରକାର ବିଧାୟକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବ ବୋଲି କହିଥିଲେ। ମାତ୍ର ବିଜେପି ସଦସ୍ୟ ଗୃହ ସମିତି ଦ୍ୱାରା ଏହାର ଯାଞ୍ଚ କରିବା ଦାବିରେ ଅଡ଼ି ବସିବାରୁ ଗୃହକୁ ସ୍ଥଗିତ ରଖିବାକୁ ପଡ଼ିଲା।
The post ଛତିଶଗଡ଼ ବିଧାନସଭାରେ ହାଇଡ୍ରାମା: ଶାସକ ଦଳର ବିଧାୟକଙ୍କୁ ମନ୍ତ୍ରୀ ଦେଉଛନ୍ତି ହତ୍ୟା ଧମକ appeared first on Odisha Reporter.
from Odisha Reporter https://ift.tt/3zSMjbJ
No comments:
Post a Comment