ବାରିପଦା(ମାଣିକ ଲାଲ ପାଣି): ଗୋଟିଏ ଦସ୍ତଖତ ପାଇଁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ଧରିଦେଲା ଭିଜିଲାନ୍ସ । ଏପରି ଭାବେ ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଙ୍ଗିରିପୋଷି ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ଜଗନ୍ନାଥ ବେହେରା ।
ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଷାଣିପାଳ ଗ୍ରାମର ବିଦ୍ୟୁତ୍ ଠିକାଦାର ଅସିତ ସାହୁ ଲକ୍ଷ୍ମିପୋଷିସ୍ଥିତ ଏକ ମାର୍କେଟ କଂପ୍ଲେକ୍ସରେ ବିଦ୍ୟୁତ ସଂଯୋଗ ପାଇଁ ବର୍ଷେରୁ ଉର୍ଦ୍ଧ ସମୟ ଧରି ବାଙ୍ଗିରିପୋଷି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଦୌଡୁଥିଲେ । ତେବେ ବାଙ୍ଗିରିପୋଷି ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଆସିଷ୍ଟାଣ୍ଡା ମ୍ୟାନେଜର ଜଗନ୍ନାଥ ବେହେରା ବିଭିନ୍ନ ଆଳରେ ତାଙ୍କୁ ହଇରାଣ ହରକତ କରୁଥିଲେ। ଏପରିକି ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଏବଂ ତାର ସଂଯୋଗ ପାଇଁ ୧୦ ହଜାର ଟଙ୍କା ନେଇଥିଲେ । ପରେ କାର୍ଯ୍ୟ ସମାପ୍ତି ସାର୍ଟିଫିକେଟ ବାବଦକୁ ଆହୁରି ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ।
ବିଦ୍ୟୁତ ବିଭାଗର ଅନ୍ୟ ସମସ୍ତ ଅଧିକାରୀ ନିଜର ଦସ୍ତଖତ ଦେଇ ସାରିଥିବା ବେଳେ ନାକେଦମ କରୁଥିଲେ ଜଗନ୍ନାଥ । ଏପରିକି ଟଙ୍କା ନ ଦେଲେ ଦସ୍ତଖତ କରିବେନି ବୋଲି କହୁଥିବାରୁ ଶେଷରେ ବାଧ୍ୟ ହୋଇ ଠିକାଦାରଜଣକ ବାରିପଦା ଭିଜିଲାନ୍ସ ବିଭାଗରେ ଏ ନେଇ ଅଭିଯୋଗ କରିଥିଲେ।
ଯୋଜନା ମୁତାବକ ମଙ୍ଗଳବାର ଠିକାଦାର ଅସିତ ସାହୁ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନୟାବସାଣଠାରେ ଆସିଷ୍ଟାଣ୍ଟ ମ୍ୟାନେଜର ଜଗନ୍ନାଥ ବେହେରାଙ୍କୁ କେମିକାଲ ରଙ୍ଗ ବଳା ୧୦ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ଟଙ୍କା ସହ ଜଗନ୍ନାଥଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କଠାରୁ ୨୦ଟି ୫୦୦ ଟଙ୍କିଆ ନୋଟ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି ।
ନିଜେ ଖୋଦ୍ ଭିଜିଲାନ୍ସ ଏସ୍ପି ଚଢ଼ାଉରେ ସାମିଲ୍ ହୋଇଥିବା ବେଳେ ଜଗନ୍ନାଥ ବେହେରାଙ୍କ ବାଙ୍ଗିରିପୋଷି କାର୍ଯ୍ୟାଳୟ ସହିତ ବାଙ୍ଗିରିପୋଷିସ୍ଥିତ ବାସଭବନ, ବାରିପଦାସ୍ଥିତ ବାସଭବନ ସହ ମରୋଡା ସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଛି।
The post ଗୋଟିଏ ଦସ୍ତଖତ ପାଇଁ ନେଉଥିଲେ ୧୦ ହଜାର, ଧରିଦେଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/e14ld2Bx3
No comments:
Post a Comment