ଫୁଲବାଣୀ (ତ୍ରିନାଥ ସାହୁ): ପୌର ନିର୍ବାଚନ ପାଖେଇ ଆସୁଥିବାରୁ ଉଷ୍ମ ହେଉଛି ରାଜନୀତି। ନେତା ଓ ମନ୍ତ୍ରୀମାନେ ପ୍ରାର୍ଥୀମାନଙ୍କ ପାଇଁ ବୁଲି ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ଏପରି ସ୍ଥିତିରେ ପୌର ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବେଳେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଭିନ୍ନ ସମସ୍ୟା ନେଇ ଘେରିଛନ୍ତି ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର ୮ ନମ୍ବର ଓ୍ୱାର୍ଡର ନୂଆସାହି ଗାଁରେ।
ଗତକାଲି ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀ ପୌର ପରିଷଦର ନୂଆସାହି ଗାଁକୁ ଯାଇଥିଲେ। ସେଠାରେ ସେ ୮ ନମ୍ବର ଓ୍ୱାର୍ଡର ବିଜେଡିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ପୁନମ କହଁର ଏବଂ କାଉନସିଲର ପ୍ରାର୍ଥୀ ରାଜେନ୍ଦ୍ର ପାଢୀଙ୍କ ପାଇଁ ପ୍ରଚାର କରିଥିଲେ। ସେହି ଗାଁରେ ପାନୀୟ ଜଳ, ଡ୍ରେନେଜ୍ ଓ ଅନ୍ୟ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବାରୁ ଲୋକେ ତାତିଥିଲେ। ପୂର୍ବତନ ବିଜେଡି କାଉନସିଲର ଓ ଚେୟାରମ୍ୟାନ ମାନେ କିଛି କାର୍ଯ୍ୟ କରି ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ। ମନ୍ତ୍ରୀ ସଭାମଞ୍ଚରେ ଭାଷଣ ଦେଲାବେଳେ ଲୋକେ ହୋହାଲ୍ଲା କରିଥିଲେ। ଏପରିକି ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ନାହିଁ ବୋଲି ସଭାରେ ଖୋଲାଖୋଲି କହିଥିଲେ।
ସ୍ଥାନୀୟ ବାସିନ୍ଦା କହିଛନ୍ତି, ଆମେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବୁ ନାହିଁ। ପୂର୍ବତନ ବିଜେଡି କାଉନସିଲର ଓ ଚେୟାରମ୍ୟାନ ମାନେ କିଛି କାର୍ଯ୍ୟ କରି ନାହାନ୍ତି। ପୁଣି ଥରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ସେମାନେ କ’ଣ କରିବେ?
ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ନୂଆସାହି ଗାଁର ଲୋକମାନେ ପୂର୍ବତନ କାଉନସିଲରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନ ଗାଁରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ମୋତେ ଜଣାଇଛନ୍ତି। କିପରି ଗାଁ ଲୋକଙ୍କ ସମସ୍ୟାର ସମାଧାନ ହେବ, ଆମେ ଆବଶ୍ୟକ ପଦକ୍ଷେପ ନେବୁ।
The post ତାତିଲେ ଲୋକେ, କହିଲେ- ବିଜେଡିକୁ ଦେବୁ ନାହିଁ ଭୋଟ୍ appeared first on Odisha Reporter.
from Odisha Reporter https://ift.tt/TdGbf9B
No comments:
Post a Comment