କିଭ୍: ୟୁକ୍ରେନ୍ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି। ଏହାରି ଭିତରେ ରୁଷ ବିରୋଧରେ ଲଢ଼ିବାକୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି। ଏହାସହ ଆମେରିକାରେ ୟୁକ୍ରେନ ଶରଣାର୍ଥୀଙ୍କୁ ରହିବା ଲାଗି ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ବାଇଡେନ୍। ସେମାନଙ୍କୁ ଅର୍ଥ, ଖାଦ୍ୟ ଓ ଅନ୍ୟ ମାନବିକତା ସହାୟତା ଦେବାକୁ ଘୋଷଣା କରିଛନ୍ତି ବାଇଡେନ୍।
ଜୋ ବାଇଡେନ କହିଛନ୍ତି, ‘ୟୁକ୍ରେନ ନିଜକୁ ରକ୍ଷା କରିବା ପାଇଁ ଆମେ ଅସ୍ତ୍ରଶସ୍ତ୍ର ଯୋଗାଇବୁ। ଆମେ ୟୁକ୍ରେନବାସୀଙ୍କ ଜୀବନ ବଞ୍ଚାଇବା ପାଇଁ ଟଙ୍କା, ଖାଦ୍ୟ ଏବଂ ସହାୟତା ପଠାଇବୁ। ଏଥିସହ ଆମେ ୟୁକ୍ରେନ ଶରଣାର୍ଥୀଙ୍କୁ ମଧ୍ୟ ଖୋଲା ହୃଦୟରେ ସ୍ୱାଗତ କରିବୁ।’
ଫେବ୍ରୁଆରୀ ୨୪ରୁ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତକାଲି ୟୁକ୍ରେନ୍ର ଡୋନେସ୍କ ସହରର ଜନବସତି ଅଞ୍ଚଳରେ ମିଜାଇଲ ମାଡ଼ କରିଛି ରୁଷ। ଯେଉଁଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଗୁରୁତର ଆହତ ହୋଇଥିବା ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେଣେ ଡୋନବାସରେ ଦୁଇ ପକ୍ଷଙ୍କ ଲଢେଇ ବେଳେ ୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।
ଅନ୍ୟପଟେ ଆଜି ରୁଷ ଏବଂ ୟୁକ୍ରେନ୍ ଭିତରେ ଚତୁର୍ଥ ରାଉଣ୍ଡ ଆଲୋଚନା ହେବ। ଏଥିରୁ କିଛି ବାଟ ଫିଟିବା ନେଇ ଆଶା କରାଯାଉଛି। ପୂର୍ବରୁ ମଧ୍ୟ ତିନି ତିନି ଥର ଶାନ୍ତି ବୈଠକ ବସିସାରିଲାଣି। ହେଲେ ସମାଧାନର ବାଟ ବାହାରୁନି କି ଯୁଦ୍ଧ ଥମୁନି। ସେପଟେ ଆସନ୍ତାକାଲି ICJରେ ରୁଷ-ୟୁକ୍ରେନ୍ ଯୁଦ୍ଧ ମାମଲାର ଶୁଣାଣି ହେବ ବୋଲି ରୁଷ ଗଣମାଧ୍ୟମ ସ୍ପୁଟନିକ୍ ସୂଚନା ଦେଇଛି।
The post ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଦେବ ଆମେରିକା, ଶରଣାର୍ଥୀଙ୍କୁ କରିବ ସ୍ୱାଗତ appeared first on Odisha Reporter.
from Odisha Reporter https://ift.tt/pi8P09c
No comments:
Post a Comment