ଆଜି ମୁଣ୍ଡଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ, ବିପଦ ସଂକେତ ଉପରେ ବୈତରଣୀ ଓ ଜଳକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 13, 2022

ଆଜି ମୁଣ୍ଡଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ, ବିପଦ ସଂକେତ ଉପରେ ବୈତରଣୀ ଓ ଜଳକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଆଜି ଏହା କଟକ ଜିଲ୍ଲା ମୁଣ୍ଡଳି ଅତିକ୍ରମ କରିବ। ଆଜି ମୁଣ୍ଡଳି ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ଜଳସ୍ତର  ୬୧୬.୫୬ ଫୁଟ୍ ରହିଛି। ଡ୍ୟାମ୍‌କୁ ୫,୪୧,୯୮୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୫,୬୧,୦୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତା’ହେଲେ ଅଗଷ୍ଟ ୧୫ ବେଳକୁ ଛୋଟ ବନ୍ୟା ଆସିପାରେ। ତେଣୁ ମହାନଦୀ ଅବବାହିକା ଜିଲ୍ଲା ଗୁଡ଼ିକରେ ସଜାଗ ରହିଛନ୍ତି ସଂପୃକ୍ତ ଜିଲ୍ଲା ପ୍ରଶାସନ।

ଉପର ମୁଣ୍ଡରେ ବର୍ଷା ଯୋଗୁ ମହାନଦୀ ଫୁଲୁଥିବା ବେଳେ ତଳମୁଣ୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗୋଟିଏ ପଟେ ଲଘୁଚାପ ଜନିତ ବର୍ଷା ଓ ଅନ୍ୟ ପକ୍ଷରେ ହୀରାକୁଦ ଡ୍ୟାମ୍‌ର ୩୪ଟି ଗେଟ୍ ଖୋଲା ଯାଇଥିବାରୁ ସୁବର୍ଣ୍ଣପୁର, ବୌଦ୍ଧ ସହିତ କଟକର ମୁଣ୍ଡଳି ଠାରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି।

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିଛି। ବୀରମହାରାଜପୁର-ସୋନପୁର ରାସ୍ତାର ବିଜେପୁର ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁରକୁ ଗମନାଗମନ ବ୍ୟାହତ ହୋଇଛି। ସୋନପୁର-ସମ୍ବଲପୁର ରାସ୍ତାର ମାଲତିଯୋର ସେତୁ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। ତେଣୁ  ସୋନପୁର-ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ବୀରମହାରାଜପୁର-ଅମରପାଲିର ରାସ୍ତାର ଘୁଂଘିଯୋର ଉପରେ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଏହି ବାଟ ଦେଇ ସମ୍ବଲପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି।

ସେହିପରି ଜିଲ୍ଲାର ବିନିକା ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ସହରର ଗୁଲାପଡ଼ାରେ ବଢ଼ି ପାଣି ପଶି ଯାଇଛି। ଫଳରେ ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ି ଯାଇଛି। ତଳିଆ ଅଞ୍ଚଳରେ ଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି। ଗୁଲାପଡ଼ାରୁ ବିନିକା ଟାଉନକୁ ସଂଯୋଗ କରୁଥିବା ରାସ୍ତା ବୁଡ଼ି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଝରାପଡ଼ା, କୋଲପଡ଼ା ଓ ସେଲେରୀ ପଞ୍ଚାୟତ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି।

ହୀରାକୁଦ ଡ୍ୟାମ୍‌ରୁ ୩୪ଟି ଗେଟ ଦେଇ ଜଳ ନିଷ୍କାସନ ସହିତ ତଳ ମୁଣ୍ଡରେ ବର୍ଷା ହେଉଥିବା ଯୋଗୁ କଟକ ଜିଲ୍ଲାର ତଳିଆ ଅଞ୍ଚଳରେ ଏବେ ଜଳସ୍ତର ବୃଦ୍ଧିପାଉଛି। ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରର ପାହାଚ ଛୁଇଁଲାଣି ମହାନଦୀର ବନ୍ୟାଜଳ। ଲଗାଣ ବର୍ଷାରେ ବନ୍ୟପାଣି ପଶି ବଡ଼ମ୍ବା ବ୍ଳକର ହଜାର ହଜାର ଚାଷଜମି ଜଳାର୍ଣ୍ଣବ ହୋଇଛି। ଫଳରେ ଚିନ୍ତାରେ ପଡ଼ି ଯାଇଛି ଚାଷୀ।

ଅନ୍ୟପକ୍ଷରେ ଲଗାଣ ବର୍ଷା ଜାରି ରହିଥିବାରୁ ବୈତରଣୀ ଓ ଜଳକା ନଦୀରେ ଜଳ ସ୍ତର ବିପଦ ସଂକେତ ଟପିଛି। ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ଏଠାରେ ଏହା ୧୮.୦୦ ମିଟରରେ ପ୍ରବାହିତ ହେଉଛି। ଲଘୁଚାପ ଜନିତ ବର୍ଷା ଚାଲିଥିବାରୁ ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି। ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଯାଜପୁର ଜିଲ୍ଲାର ଦଶରଥପୁର ଓ କୋରେଇ ବ୍ଲକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ଆସିବା ପରେ ଯାଜପୁର ବ୍ଲକରେ ପ୍ରବାହିତ ଏହାର ଶାଖା ନଦୀ ବୁଢ଼ା ଓ କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ବୈତରଣୀ ନଦୀରେ ବନ୍ୟା ଆସିଲେ ଦଶରଥପୁରର କୟାଁ, କମାରଢ଼ି, ଖାନ ନଗର, ଦତ୍ତପୁର, କସପା, ନିଜାମପୁର ଅଂଚଳ ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ଏହି ସବୁ ଗାଁର ଲୋକେ ଚିନ୍ତିତ ଅଛନ୍ତି।

ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ନାଳ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଲଗାଣ ବର୍ଷା ପରେ କନ୍ଧମାଳ ଜିଲ୍ଲାର ସବୁ ଛୋଟ ବଡ଼ ନଦୀରେ ବୃଦ୍ଧି ପାଇଛି ଜଳସ୍ତର। କିଛି ଗାଁ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଛନ୍ତି। ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତର ବାଘ ନଦୀରେ ଥିବା କାଠ ପୋଲ ଭାସି ଯାଇଛି। ସେହିପରି ବାଘ ନଦୀର ବଢ଼ିପାଣି ଯୋଗୁଁ କାଣ୍ଡ୍ରିବାଲି ପଞ୍ଚାୟତର କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଲୁଇସିଂ ପଞ୍ଚାୟତର ପାହାଡ଼ିଆ ନଦୀରେ ବଢ଼ି ଯୋଗୁଁ ଡାଙ୍ଗଣାମୁଁ ପାଣି ଘେରରେ ରହିଛି। ଗୋଟେଣୀ ନାଳରେ ମଧ୍ୟ ଅଧିକ ପାଣି ଚାଲିଥିବାରୁ ଶିକୁଳିପଦର ଗାଁ ଜଳବନ୍ଦୀ ହୋଇ ରହିଛି। ଏହି ସବୁ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛି ଜିଲ୍ଲା ପ୍ରଶାସନ।

ଅନ୍ୟପକ୍ଷରେ ଦାଉ ସାଜିଛି ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ। ଆଜି ଏହା ଅବପାତର ରୂପ ନେବା ପରେ ରାଜ୍ୟରେ ୨ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ  ଉପକୂଳ ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୫୫ କିମି ବେଗରେ ପବନ ହେବା ସମ୍ଭାବନା ରହିଛି।

The post ଆଜି ମୁଣ୍ଡଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ, ବିପଦ ସଂକେତ ଉପରେ ବୈତରଣୀ ଓ ଜଳକା appeared first on Odisha Reporter.



from Odisha Reporter https://ift.tt/qDuljrE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages