ନବରଙ୍ଗପୁର(ନବଘନ ବିଶୋୟୀ): ଖରା ଛୁଟି ପରଠୁ ଆଉ ସ୍କୁଲରେ ପାଦ ପକାଇ ନାହାନ୍ତି ଖେଳ ଶିକ୍ଷୟିତ୍ରୀ। ହେଲେ ପ୍ରାୟ ୪ ମାସ ହେବ ଦରମା କିନ୍ତୁ ନେଇ ଚାଲିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ଆସିଛି ପ୍ରଶାସନିକ ଅବହେଳାର ଏପରି ସାଂଘାତିକ ଚିତ୍ର । ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମେଣ୍ଟ୍ରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଚାନ୍ଦଙ୍କ ବିରୋଧରେ ଏ ଅଭିଯୋଗ ଆସିଛି।
ଗତ ଜୁନ ୧୭ ତାରିଖରେ ସ୍କୁଲ ଖୋଲିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୀତାଞ୍ଜଳି ସ୍କୁଲକୁ ଆସିନାହାନ୍ତି । ଖରା ଛୁଟି ପରଠାରୁ ଦିନେ ହେଲେ ବି ସେ ସ୍କୁଲରେ ପାଦ ଥାପି ନ ଥିବା ବେଳେ ମାସକୁ ମାସ କିନ୍ତୁ ଦରମା ନେଇ ଚାଲିଛନ୍ତି।
ଖରା ଛୁଟି ପରେ ଜୁନ ୧୭ ତାରିଖରେ ସ୍କୁଲ ଖୋଲିଥିଲା। ମାତ୍ର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୀତାଞ୍ଜଳି ଜୁଲାଇ ୧୫ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ଦରଖାସ୍ତ ଦେଇଥିଲେ। ସେ ଏହି ଦରଖାସ୍ତ ପୋଷ୍ଟାଲରେ ପ୍ରଧାନ ଶିକ୍ଷକଙ୍କ ନିକଟକୁ ପଠାଇଥିଲେ। ଏହାପରଠାରୁ ସେ ୪ ଥର ଛୁଟି ବଢାଇବାକୁ ଡାକ ଦ୍ୱାରା ପ୍ରଧାନ ଶିକ୍ଷକଙ୍କ ନିକଟକୁ ପଠାଇଛନ୍ତି ଛୁଟି ଦରଖାସ୍ତ। ଏଥିରେ ସେ ସ୍ୱାସ୍ଥ୍ୟଗତ କାରଣରୁ ଛୁଟି ନେଉଥିବା ଉଲ୍ଲେଖ କରିଛନ୍ତି।
ଏହାସହ ପାରିବାରିକ କାରଣ ଦର୍ଶାଇ ତାଙ୍କର ନିଜ ଜିଲ୍ଲା ଭଦ୍ରକକୁ ବଦଳି କରିବାକୁ ନିବେଦନ କରିଛନ୍ତି। ଏଥିନିମନ୍ତେ ସେ ଅନଲାଇନ୍ରେ ଆବେଦନ କରିଛନ୍ତି ।
ତେବେ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ଛୁଟିରେ ରହିବା ପରେ ମଧ୍ୟ ଜଣେ ଶିକ୍ଷକ ନିୟମିତ ଭାବେ ସମ୍ପୂର୍ଣ୍ଣ ଦରମା ପାଇ ଆସୁଛନ୍ତି । ତାଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସୂଚନା ଦେଇଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ତଦନ୍ତ ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ।
The post ଛୁଟି ଗଡ଼ାଇ ଚାଲିଛନ୍ତି, ହେଲେ ଦରମା ଗଣି ନେଉଛନ୍ତି ଖେଳ ଶିକ୍ଷୟିତ୍ରୀ appeared first on Odisha Reporter.
from Odisha Reporter https://ift.tt/O7qudPY
No comments:
Post a Comment