ଆଳୁ ପୋଡ଼ା, ଶାଗଭଜା, ବଡ଼ି ଚୁରା, ବାଇଗଣ ଭର୍ତ୍ତା । ଆଉ ତା’ ସାଙ୍ଗକୁ ଖଣ୍ଡେ ମିରିକାଳି ମାଛ ଭଜା ହୋଇଗଲେ ଜମିଯିବ ପଖାଳ ପାଗ । ପ୍ରକୃତରେ ପଖାଳ ଭାତ ସହିତ ପାଗଯୋଗର ତାଲିକା ବେଶ୍ ଲମ୍ବା । ଯୋଡି ଚାଲିଲେ ବଢ଼ି ଚାଲିଥିବ ପଛେ ସରିବନି ଜମା। କିଛି ନ ଥିଲେ ବି ଲୁଣ ଲଙ୍କା ପିଆଜ କୋଲେ ହୋଇଗଲେ ଆପଣା ଛାଏଁ କଁସାଏ ପଖାଳ ପେଟକୁ ଚାଲିଯିବ । ପ୍ରତି ଓଡ଼ିଆଙ୍କ ରକ୍ତ ବିନ୍ଦୁରେ ପଖାଳ ତୋରାଣି ବୋହୁଛି।
ପଖାଳ କଂସାଏ ଓଡିଆଙ୍କ ପାଇଁ ଅମୃତ ସମାନ । ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଖଟିଖିଆ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ପଖାଳ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ପ୍ରତିବର୍ଷ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଏ ।
ତେବେ କାହିଁକି ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଏ ତା’ ପଛରେ ଅନ୍ତର୍ନିହିତ ଅଛି ସ୍ୱତନ୍ତ୍ର ବାର୍ତ୍ତା। ପଖାଳକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସ ପାଇଁ ନୟାଗଡ଼ର ଅମରେଶ ଦାସ କିଛି ବନ୍ଧୁମାନଙ୍କ ସହ ପ୍ରୟାସ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ତାରିଖରେ ଏହି ଉଦ୍ୟମକୁ ମିଳିଥିଲା ସଫଳତା ।
ଗରିବ ହେଉ କି ଧନୀ, ଛୁଆ ହେଉ କି ବୁଢ଼ା, ଖରା ହେଉ କି ବର୍ଷା, ଶୀତ ପଖାଳ ଖାଇବା ପାଇଁ ବୟସର କୌଣସି ମାପ ନାହିଁ କି ଋତୁର କୌଣସି ହିସାବ ନାହିଁ। ପ୍ରତି ଓଡ଼ିଆଙ୍କ ରକ୍ତ ବିନ୍ଦୁରେ ପଖାଳ ତୋରାଣି ବୋହୁଛି। ଆଜି ସିନା ଏହା ଏକ ସେଲିବ୍ରେସନରେ ପହଞ୍ଚିଲାଣି ହେଲେ ପଖାଳର ମହ ମହ ବାସ୍ନା ଯୁଗଯୁଗର । ପଖାଳ କେବଳ ଓଡ଼ିଆଙ୍କ ପ୍ରଧାନ ଖାଦ୍ୟ ନୁହେଁ ଏହା ପ୍ରତିଟି ଓଡ଼ିଆଙ୍କ ଜୀବନଶୈଳୀର ଅଂଶବିଶେଷ ।
ପଖାଳ ଦିବସ କେବେଠୁ ପାଳନ ହେଲାଣି ତାହା ଯେତେ ବଡ଼ କଥା ନୁହେଁ ବଡ଼ କଥା ହେଉଛି ଏହା ବର୍ଷକୁ ବର୍ଷ ବ୍ୟାପକ ହେବାରେ ଲାଗିଛି। ଗାଁଠୁ ସହର, ଦେଶରୁ ବିଦେଶ ଯେଉଁଠି ଓଡିଆ ଅଛନ୍ତି ସେଠି ପାଳୁଛନ୍ତି ପଖାଳ ଦିବସ। କେଉଁଠି ନିଜ ପ୍ରିୟ ପରିଜନଙ୍କୁ ଧରି ଖଳା ବାଡିରେ ତ ଆଉ କେଉଁଠି ହୋଟେଲରେ ଜମୁଛି ପଖାଳ ଆସର। ପଖାଳ କଂସାକୁ ସଜେଇବା ପାଇଁ ଜାତି ଜାତିକା ପାଟି ସୁଆଦିଆ ଆଇଟମ ପ୍ରସ୍ତୁତି ବି ଚାଲିଛି।
ଚାଇଁ ପଖାଳ ହେଉ କି ବାସି ପଖାଳ, ସଜ ପଖାଳ ହେଉ କି ଛୁଙ୍କ ପଖାଳ ସବୁଥିରେ ରହିଛି ନିଆର ସ୍ୱାଦ। କେଉଁ ସମୟରେ କେଉଁ ପଖାଳ ଖାଇଲେ ଦେହକୁ ଭଲ, ଖାଇବା ଲୋକ ହିଁ ଜାଣିଛି । ଖରା ଦିନ ଆସିଲେ ପଖାଳର ବାସ୍ନା ବେଶି ବେଶି ବାସେ । ପଖାଳ କଂସା ଖାଲି ଭାତ ତୋରାଣି ନୁହେଁ ଏକ ଭାବଧାରା ।
ଗତ ୨ ଦିନ ଧରି ପାଗ ଖରାପ ଥିବାରୁ ଆଜି ପଖାଳ ଦିବସ ଟିକେ ଧୀମା ପଡ଼ିପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ରେସ୍ତୋରାଁ ଓ ହୋଟେଲ ମାଲିକ ଏହାକୁ ନେଇ ସାଲିସ କରି ନାହାନ୍ତି। ପଖାଳ ଦିବସ ପାଳନ ନିମନ୍ତେ ଚାଳିଆ ହୋଟେଲଠୁ ଆରମ୍ଭ କରି ତାରକା ହୋଟେଲରେ ବି ହୋଇଛି ସ୍ୱତନ୍ତ୍ର ଆୟୋଜନ । ଏଥିନିମନ୍ତେ ଲୋକଙ୍କ ମଧ୍ୟରେ ବି ଦେଖାଦେଇଛି ପ୍ରବଳ ଉତ୍ସୁକତା ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/TBhnLbF
No comments:
Post a Comment