ରକ୍ତ ଅଭାବରୁ ଆଉ ଅକାଳରେ ଚାଲି ଯିବନି ଜୀବନ । ଆବଶ୍ୟକତାସ୍ଥଳେ ଦୂରଦୂରାନ୍ତକୁ ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଉଡ଼ି ଉଡ଼ିଯିବ ରକ୍ତଥଳୀ। ଚିକିତ୍ସା କ୍ଷେତ୍ରରେ ଡ୍ରୋନ ଟେକନୋଲଜିର ଆରମ୍ଭ ହୋଇଛି ସଫଳ ପ୍ରୟୋଗ। ଏହାର ପ୍ରୟୋଗ ଏବେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ଦେଶର ଅନ୍ୟ ଅଞ୍ଚଳରେ ବି କରାଯିବ ।
ଦିଲ୍ଲୀରେ ଡ୍ରୋନ୍ ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ରକ୍ତ ଥଳୀ ପରିବହନ କରାଯାଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ ମାଧ୍ୟମରେ ଏଭଳି ରକ୍ତ ପ୍ରେରଣ ପରୀକ୍ଷଣ କରିଛି ICMR। ଆଉ କିଛି ପର୍ଯ୍ୟାୟ ପରୀକ୍ଷଣ ପରେ ସାରା ଦେଶରେ ଏଥିପାଇଁ ଅନୁମତି ଦିଆଯିବ ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ କହିଛନ୍ତି ।
ରକ୍ତ ପରୀକ୍ଷଣ ପାଇଁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ରକ୍ତକୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପ୍ରେରଣ କରାଯାଇଥାଏ । ଡ୍ରୋନ ମାଧ୍ୟମରେ ନିର୍ଦ୍ଦିଷ୍ଟ ତାପମାତ୍ରା ଥିବା ବାକ୍ସରେ ରକ୍ତ ଥଳିକୁ ରଖି ପରିବହନ କରାଯାଇଥିଲା । ଏହା ପରେ ରକ୍ତର ଗୁଣବତ୍ତାକୁ ପରୀକ୍ଷା କରାଯାଇଥିଲା । ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଲା।
ଅନେକ ସମୟରେ ରକ୍ତ ଅଭାବରୁ ରୋଗୀ ଅକାଳ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ଡ୍ରୋନ୍ ଜରିଆରେ ଦୂରଦୂରାନ୍ତ ଅଞ୍ଚଳରେ ଖୁବ୍ କମ୍ ସମୟରେ ରକ୍ତ ପହଞ୍ଚାଇବାର ବ୍ୟବସ୍ଥା ରୋଗୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।
ଏନେଇ ଆଇସିଏମ୍ଆର ଡିଜି କହିଛନ୍ତି, ଅଧିକ ଉଚ୍ଚତାରେ ଯିବା ବେଳେ ଯେପରି ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ନ ହେବ ତାହା ଉପରେ ନଜର ରଖିଥିଲୁ। ଏହି ପରୀକ୍ଷଣ ପରେ ଆମେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛୁ। ତେଣୁ ଆଗାମୀ ଦିନରେ ଦେଶର ବିଭିନ୍ନ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ରକ୍ତ ଡେଲିଭରି କରାଯିବାକୁ ପ୍ରାଥମିକତା ଦିଆଯିବ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RXUrx2N
No comments:
Post a Comment