ନବୀନଙ୍କ ସମର୍ଥନକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ, ଦଳ ଜାରି କଲା ଲିଖିତ ସ୍ପଷ୍ଟୀକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ନବୀନଙ୍କ ସମର୍ଥନକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ, ଦଳ ଜାରି କଲା ଲିଖିତ ସ୍ପଷ୍ଟୀକରଣ

ଭୁବନେଶ୍ୱର (ପ୍ରକାଶ ସେଠୀ):  ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଏବେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ନିର୍ବାଚନୀ ବର୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତି ନେଇ ଦଳ ମଧ୍ୟରେ ଚାପା ଅସନ୍ତୋଷ ପ୍ରକାଶ ପାଇବା ପରେ ତାଳିପକା ଉଦ୍ୟମ ଆରମ୍ଭ ହୋଇଛି।

ଯେଉଁଥିପାଇଁ ବିଳମ୍ବିତ ରାତିରେ ନବୀନ ଦେଇଥିବା ମନ୍ତବ୍ୟ ଉପରେ ଆଜି ସକାଳେ ଦଳ ପକ୍ଷରୁ ଲିଖିତ ସ୍ପଷ୍ଟୀକରଣ ଜାରି କରାଯାଇଛି। ଏହା ବ୍ୟତୀତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁମ୍ବାଇ ଗସ୍ତରୁ ଫେରିବା ପରେ ଜେଡିୟୁର ହରିବଂଶ ନାରାୟଣ ସିଂହଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଥିଲେ। “ଜେଡିୟୁର ପ୍ରାର୍ଥୀ ମଧ୍ୟ ଏନଡିଏ ପ୍ରାର୍ଥୀ, ତେଣୁ ଆମେ ତାଙ୍କୁ ସମର୍ଥନ କରିବୁ।”

ଅବଶ୍ୟ ବିଜେଡିର ସମର୍ଥନରେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ଆଜି ସହଜ ବିଜୟ ଲାଭ କରିଛନ୍ତି। କିନ୍ତୁ ବିଜେଡିର ଏହି ରଣନୀତି ଦଳକୁ ମହଙ୍ଗା ପଡ଼ିଛି।

ଯେଉଁଥିପାଇଁ ଆଜି ସକାଳେ ଦଳର ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଇଛି ଓ ଏବେବି ବିଜେପିଠୁ ସମଦୂରତ୍ୱ ବଜାୟ ରଖିଛି। ବିଜେଡି ଓ ଜେଡିୟୁର ଆଦର୍ଶଗତ ଚିନ୍ତାଧାରା ପ୍ରାୟ ସମାନ। ସାମ୍ବିଧାନିକ ପଦବୀ ହୋଇଥିବାରୁ ବିଜେଡି ସମର୍ଥନ ଜଣାଇଛି, ଏଥିରେ କିଛି ରାଜନୀତି ନାହିଁ।

ସେହିପରି ଦଳର ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି ଯେ, ଲୋକନାୟକ ଜୟପ୍ରକାଶଙ୍କ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ଉଭୟ ଜେଡିୟୁ ଓ ବିଜେଡିର ଉତ୍ପତି। ଉଭୟ ଦଳ ସମଭାବାପନ୍ନ ଦଳ ହୋଇଥିବାରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଜଣାଇବ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

ତେବେ ଦଳର ମୁଖପାତ୍ର ଓ ସମ୍ପାଦକ ଆଜି ଗଣମାଧ୍ୟମକୁ ଦେଇଥିବା ବୟାନରେ ଆଶ୍ଚର୍ଯ୍ୟଜନକ ଭାବେ ଏନଡିଏର ନାଁ ବି ଉଚ୍ଚାରଣ କରିନଥିଲେ।

ନବୀନ ମଧ୍ୟ ନବନିର୍ବାଚିତ ହରିବଂଶଙ୍କୁ ଟ୍ୱିଟ୍‌ ଯୋଗେ ଅଭିନନ୍ଦନ ଜଣାଇଛନ୍ତି। ଲୋକନାୟକ ଜୟପ୍ରକାଶଙ୍କ ଗାଁରେ ଜନ୍ମିତ ହରିବଂଶ ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ବିଜେଡିର ଜଣେ ବରିଷ୍ଠ ସାଂସଦ ନିଜ ନାଁ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ‘‘ଦୀର୍ଘ ୯ ବର୍ଷ ହେଲା ଦଳ ଉଭୟ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଓ ବିଜେପି ନେତୃତ୍ୱାଧୀନ ଏନଡିଏଠୁ ସମଦୂରତ୍ୱରେ ରହିଥିଲା। ଏହା ମଧ୍ୟ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଥିଲା। ପୂର୍ବରୁ ୟୁପିଏ ସରକାର ଓ ଏବେ ଏନଡିଏ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ବିଜେଡି ନିଜର ସମର୍ଥନ ଜଣାଇ ଆସିଛି। କିନ୍ତୁ ସମଦୂରତ୍ୱ ନୀତିରେ ଦଳ କାଏମ ରହିଛି ବୋଲି ଯେଉଁ ଆଜି ପର୍ଯ୍ୟନ୍ତ ଦଳ ଦମ୍ଭୋକ୍ତି ବାଢ଼ୁଥିଲା, ତାକୁ ନବୀନଙ୍କ ବୟାନ ଫିକା କରିଦେଇଛି।” 

ସେ କହିଛନ୍ତି, “ଜେଡିୟୁ ପ୍ରାର୍ଥୀଙ୍କୁୁ ସମର୍ଥନ ଦେବାରେ ସମସ୍ୟା ନଥିଲା। ଦଳ ଚାହିଁଥିଲେ ଭୋଟଦାନରୁ ଅନୁପସ୍ଥିତ ରହିପାରିଥାନ୍ତା କିମ୍ବା ଜେଡିୟୁ ପ୍ରାର୍ଥୀଙ୍କୁ ପୁରୁଣା ଜନତା ଦଳ ସହଯୋଗୀ ବୋଲି କହି ସମର୍ଥନ ଜଣାଇପାରିଥାନ୍ତା। କିନ୍ତୁ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ବିଜେଡି କରିବ ବୋଲି କହିବାର କ’ଣ ଆବଶ୍ୟକତା ଥିଲା? କେବଳ ନବୀନଙ୍କ ଏହି ପଦୁଟିଏ କଥା ତୃଣମୂଳସ୍ତରରେ କର୍ମୀଙ୍କ ମନରେ ଭବିଷ୍ୟତରେ ବିଜେପି ସହ ପୁଣି ମେଣ୍ଟ ସମ୍ଭାବନା ଚର୍ଚ୍ଚାକୁ ବଢ଼ାଇ ଦେଇଛି।”

ସେ ଆହୁରି କହିଛନ୍ତି, “ତୃଣମୂଳସ୍ତରରେ ଦଳୀୟ କର୍ମୀମାନେ ଏବେ ବିଜେପି ସହ ଟକ୍କର ଦେଉଥିବାବେଳେ ନେତାଙ୍କ ଏହି ବୟାନ ସେମାନଙ୍କୁ ବ୍ୟଥିତ କରିବା ସ୍ୱାଭାବିକ। ଏହାର ପ୍ରଭାବ ଆଗାମୀ ନିର୍ବାଚନ ଉପରେ ପଡ଼ିବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଏନ୍‌ଡିଏ ପ୍ରତି ସକାରାତ୍ମକ ଆଭିମୁଖ୍ୟ ରହିଥିଲେ ମଧ୍ୟ ରାଜନୀତିକ ଦୃଷ୍ଟିରୁ ଦଳର ସୁପ୍ରିମୋ ଏହାକୁ ପରିପ୍ରକାଶ କରିବା ଉଚିତ୍ ହୋଇନି। ନବୀନ ପ୍ରଥମଥର ପାଇଁ ଏନଡିଏକୁ ସମର୍ଥନ କରି ବୟାନ ଦେଇଛନ୍ତି। ଉପରାଷ୍ଟ୍ରପତି ପଦ ମଧ୍ୟ ସାମ୍ବିଧାନିକ ପଦବୀ ଥିଲା। କିନ୍ତୁ ବିଜେଡି ସେତେବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା। ଏଭଳି ଦୋମୁହାଁ ଆଭିମୁଖ୍ୟ ହିଁ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ରଖିଛି।”

ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ଏକ ସାମ୍ବିଧାନିକ ପଦବୀ  ଓ ଏଥିରେ କୌଣସି ରାଜନୀତି ନାହିଁ ବୋଲି ଉଭୟ ବିଜେଡି ଓ ବିଜେପି ପକ୍ଷରୁ ସଫେଇ ଦିଆଯାଉଛି। ତଥାପି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ସମର୍ଥନକୁ ନେଇ ବିଜେଡି ଓ ବିଜେପି ନେତୃତ୍ୱଙ୍କ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଉଭୟ ଦଳର କର୍ମୀ ଓ ନେତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।



from OdishaReporter https://ift.tt/2nlCFuS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages