
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୋରଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଦୋକାନର ସାମ୍ନା ପଟେ ନଯାଇ ଡ୍ରେନ୍ ତଳେ ସୁଡଙ୍ଗ କରି ପଶିଲେ। ଆଉ ଗହଣା ଦୋକାନରେ କଳାକନା ବୁଲାଇ ଦେଲେ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଘଟିଥିଲା। ଏହି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସ।
ଦୁଇ ଚୋର ଓ ଦୁଇ ଗହଣା ଦୋକାନୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ।
ଗତ ୨୧ ତାରିଖରେ ଜଟଣୀ ଅଞ୍ଚଳରେ ଏକ ସୁନା ଦୋକାନରୁ ଚୋରି ହୋଇଥିଲା। ୩ ଜଣ ଚୋର ମିଶି ଗହଣା ଦୋକାନ ସାମ୍ନାରେ ଥିବା ଡ୍ରେନ୍ ତଳେ ଖୋଳି ଏକ ସୁଡଙ୍ଗ ତିଆରି କରିଥିଲେ। ଦିନରେ ଧରା ପଡ଼ିଯିବା ଭୟରେ ସେମାନେ ରାତିରେ ମାଟି ଖୋଳୁଥିଲେ। ୫ ଦିନ ଭିତରେ ଦୋକାନ ଭିତରକୁ ସୁଡଙ୍ଗ ତିଆରି କରିଥିଲେ। ଯାହାର ଟେର୍ କେହି ପାଇ ପାରି ନ ଥିଲେ।
ଶେଷରେ ଚୋରଙ୍କ ସ୍ୱପ୍ନ ସାକାର ହେଲା। ସୁଡଙ୍ଗ ଦେଇ ସେମାନେ ଦୋକାନ ଭିତରେ ପଶିଥିଲେ। ଦୋକାନରୁ ୧୮ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ୍ କରି ଚମ୍ପଟ ମାରିଥିଲେ। ଏନେଇ ଦୋକାନୀ ମାଲିକ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଜଟଣୀ ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ମିଳିତ ଭାବେ ଘଟଣାର ତଦନ୍ତ ଆରମ୍ଭ କରି ଦୁଇ ଲୁଟେରାଙ୍କୁ ଗିରଫ କରିବା ପରେ ମାମଲା ଉପରୁ ପର୍ଦ୍ଦା ହଟିଛି। ତେବେ ଅନ୍ୟ ଜଣେ ଫେରାର ହୋଇଯାଛି। ଏହାଛଡ଼ା ଚୋରି ଗହଣା କିଣିବା ଅଭିଯୋଗରେ ପୁଲିସ ଦୁଇ ଗହଣା ଦୋକାନୀଙ୍କୁ ମଧ୍ୟ ଗିରଫ ପୁଲିସ କରିଛି।
ଗିରଫ ହୋଇଥିବା ଚୋରମାନେ ଏକାଧିକ ଲୁଟ୍ରେ ସାମିଲ୍ ଅଛନ୍ତି। ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ରହିଛି। ଅନ୍ୟପକ୍ଷରେ ଲୁଟ୍ ଗହଣା ମଧ୍ୟରୁ ୮୦ ପ୍ରତିଶତ ଉଦ୍ଧାର ହୋଇଛି। ବାକି ଗହଣା ଉଦ୍ଧାର ପାଇଁ ଚଢଉ ଜାରି ରହିଛି।
from OdishaReporter https://ift.tt/2nFjb4k

No comments:
Post a Comment