
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସକୁ ଦେଖିଲେ ମନ ଭିତରେ ଭୟ ସଞ୍ଚାରିତ ହୋଇଯାଏ। ହଡ୍ବଡ଼େଇ ହୋଇଯାଏ ମଣିଷ। ଯେଉଁଥିପାଇଁ ଜଣେ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ପୁଲିସ ପାଖକୁ ଯିବାକୁ ଚାହିଁ ନଥାଏ। ପୁଲିସକୁ ଦେଖିଲେ ଲୋକଙ୍କର ଏଭଳି ପ୍ରତିକ୍ରିୟା କାହିଁକି ସୃଷ୍ଟି ହୁଏ? ସତରେ କ’ଣ ପୁଲିସ କ୍ରୁର ଓ ଭୟଙ୍କର।
ମନ ଭିତରେ ଥିବା ଏଭଳି କିଛି ପ୍ରଶ୍ନକୁ ଦୂର କରିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୁଲିସ। ଆରମ୍ଭ କରାଯାଇଛି ଆପଣଙ୍କ ପୁଲିସକୁ ଜାଣନ୍ତୁ (Know Your Police ) କାର୍ଯ୍ୟକ୍ରମ।
ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ନନ୍ଦନକାନନ ଓ କ୍ୟାପିଟାଲ ଥାନାରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ପୁଲିସ୍ କମିଶନର୍ ସତ୍ୟଜିତ ମହାନ୍ତି। ଏହି କ୍ରମରେ ଥାନାକୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିଆଯାଇ ପୁଲିସର କାମ କ’ଣ, କେମିତି କାମ କରାଯାଏ ଇତ୍ୟାଦି ସଂପର୍କରେ ବୁଝାଇ ଦିଆଯାଇଛି। ଛାତ୍ରଛାତ୍ରୀ ମଧ୍ୟ ଏଫ୍ଆଇଆର୍, ଚାର୍ଜସିଟ୍ ଓ ପିସିଆର୍ କ’ଣ ଜାଣିବା ସହ ଥାନା ଭିତରେ ଥିବା ହାଜତ ଓ ମାଲ୍ଖାନାକୁ ବୁଲି ଦେଖିଥିଲେ।
ଛାତ୍ରଛତ୍ରୀଙ୍କ ମନରେ ଥିବା ଡରକୁ ବାହାର କରିବା ପାଇଁ ନିଜେ ପୁଲିସ୍ କମିଶନର୍ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ। ପରେ ଛାତ୍ରଛାତ୍ରୀ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରି ନିଜ ମନରେ ଥିବା ସନ୍ଦେହ ଦୂର କରିଥିଲେ।
ଏହାଛଡ଼ା ପିସିଆର୍ କମ୍ୟୁନିକେସନ କିଭିଳି ହୁଏ, ତାହା ମଧ୍ୟ ଛାତ୍ରଛାତ୍ରୀଙ୍କୁ ଦେଖାଇଥିଲେ କମିଶନର୍। ଏହା ଦ୍ୱାରା ପୁଲିସଙ୍କ ପ୍ରତି ପିଲାଙ୍କ ମନରେ ଥିବା ଭୟ ଓ ଭୁଲ ଧାରଣା ଦୂର କରାଯାଇ ପାରିବ ବୋଲି କମିଶନର୍ ଶ୍ରୀ ମହାନ୍ତି କହିଛନ୍ତି।
from Odisha Reporter https://ift.tt/2McqjiB
No comments:
Post a Comment